ଆସିଲା ଫୋନ କଲ, ଚର୍ଚ୍ଚାରେ ନୂଆ ମନ୍ତ୍ରିମଣ୍ଡଳ
ଭୁବନେଶ୍ୱର : ଆସନ୍ତାକାଲି ନୂଆ ମନ୍ତ୍ରିମଣ୍ଡଳ ଗଠନ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ମନ୍ତ୍ରିମଣ୍ଡଳରେ ପୁରୁଣା ମନ୍ତ୍ରୀଙ୍କ ମଧ୍ୟରୁ କିଏ ରହିବେ ଓ ନୂଆ କିଏ ସାମିଲ ହେବେ ତାହାକୁ ନେଇ ସମସ୍ତଙ୍କ ମଧ୍ୟରେ ଜାରି ରହିଛି ଉତ୍ସୁକତା। ଇତିମଧ୍ୟରେ କିଛି ନୂଆ ମୁହଁ ଓ ପୁରୁଣା ମନ୍ତ୍ରୀଙ୍କ ପାଖକୁ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ଫୋନ୍ ଆସିଥିବା ଜଣାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନୂଆ ଟିମ୍ରେ ମାହାଙ୍ଗା ବିଧାୟକ ପ୍ରତାପ ଜେନା, ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ଭୁବନେଶ୍ବର (ଏକାମ୍ର) ବିଧାୟକ ଅଶୋକ ପଣ୍ଡା, ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ, ନିମାପଡ଼ା ବିଧାୟକ ସମୀର ରଂଜନ ଦାଶ, କାମାକ୍ଷାନଗର ବିଧାୟକ ପ୍ରଫୁୁଲ୍ଲ ମଲ୍ଲିକ, ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ ସାମିଲ ହେବେ ବୋଲି ଜଣାପଡ଼ିଛି। ତେବେ ଏହିି ପୁରୁଣା ସହଯୋଗୀଙ୍କ ଉପରେ ନବୀନଙ୍କ ଭରସା ପୂର୍ବ ଭଳି ରହିଛିି। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ଫୋନ କରାଯାଇ ଏମାନଙ୍କୁ ଜଣାଇ ଦିଆଯାଇଛି।
ଏହାଛଡ଼ା ନବୀନ ନିଜର ମନ୍ତ୍ରିମଣ୍ଡଳରେ ନବାଗତ ଓ ପୂର୍ବ ପାଳିରେ ମନ୍ତ୍ରୀ ଥିବା ବିଧାୟକଙ୍କୁ ସୁଯୋଗ ଦେଇଛନ୍ତି। ଏହି କ୍ରମରେ ସେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଜଳେଶ୍ବର ବିଧାୟକ ଅଶ୍ବିନୀ ପାତ୍ର, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡେଇ, ଆଳି ବିଧାୟକ ପ୍ରତାପ ଦେବ, ବିଞ୍ଛାରପୁର ବିଧାୟିକା ପ୍ରମିଳା ମଲ୍ଲିକ,ଚିକିଟି ବିଧାୟିକା ଉଷା ଦେବୀ ଓ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ମନ୍ତ୍ରୀ ପଦ ମିଳିଥିବା ନେଇ ସୂଚନା ଫୋନ ଯୋଗେ ଆସିଛି। ଆସନ୍ତା କାଲି ଲୋକସେବା ଭବନରେ ପୂର୍ବାହ୍ନ ୧୧ଟା ୪୫ରେ ରାଜ୍ୟପାଳ ଗଣେଶୀ ଲାଲ ଏକ ସ୍ବତନ୍ତ୍ର ଉତ୍ସବରେ ମନ୍ତ୍ରୀମାନଙ୍କୁ ଶପଥ ଗ୍ରହଣ କରାଇବାର ବ୍ୟବସ୍ତା ରହିଛି।
