ରଥଖଳାରେ ଚକଅଖ ଡ଼େରା ନୀତି ସମ୍ପନ୍ନ
ପୁରୀ : ଆଜି ଶ୍ରୀକ୍ଷେତ୍ର ଭଉଁରୀଯାତ୍ରା । ଏହି ଅବସରରେ ତିନି ରଥର ଚକ ଅଖଡ଼େରା ନୀତି ସମ୍ପର୍ଣ୍ଣ ହୋଇଛି । ସକାଳ ୫ଟା ୫୦ରେ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି ପରେ ଭିତରଶୋଧ,ମଙ୍ଗଳଆଳତି ଓ ଅନ୍ୟାନ୍ୟ ନୀତି ପରେ ପୂର୍ବାହ୍ନ ୧୧ଟାରେ ୧୫ରେ ସକାଳଧୂପ ନୀତି ଶେଷ ହୋଇଥିଲା । ୧୧ଟା ୫୦ରେ ପୂଜାପଣ୍ଡା ସେବକମାନେ ଆଜ୍ଞାମାଳ ଧରି ଘଂଟ,ଘଂଟା,ଛତ୍ରୀ ଓ ବିଜେ କାହାଳୀ ସହ ପଟୁଆରରେ ଆସିଥିଲେ । ତିନି ବାଡ଼ର ପୂଜାପଣ୍ଡା ସାମନ୍ତ ଶ୍ରୀନଅରକୁ ଯାଇ ନିର୍ଦ୍ଦେଶ ପାଇବା ପରେ ତିନି ରଥର ମୁଖ୍ୟ ବିଶ୍ୱକର୍ମାଙ୍କୁ ଆଜ୍ଞାମାଳ ପ୍ରଦାନ କରିଥିଲେ । ପୂର୍ବରୁ ପ୍ରତି ରଥର ଦୁଇଟି ଚକ ଓ ଗୋଟିଏ ଅଖ ପ୍ରସ୍ତୁତ ହୋଇ ରହିଥିଲା । ଭୋଇ ସେବାୟତମାନେ ଅଖ ସହ ଦୁଇଟି ଚକର ସଂଯୋଗ କରିଥିଲେ । ଆଜିର ଏହି ଚକଡ଼େରା ନୀତି ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା,ଆରକ୍ଷୀ ଅଧିକ୍ଷୀକ କେ.ବିଶାଲ ସିଂହ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ଶ୍ରୀମନ୍ଦିର ନୀତି ପ୍ରଶାସକ, ବରିଷ୍ଠ ଅଧିକାର ଓ ସେବାୟତମାନେ ଉପସ୍ଥିତ ଥିଲେ ।
