ପୁରୀ ସାଜିଛି ଭୋଗଭୂମି: ଶଙ୍କରାଚାର୍ଯ୍ୟ
ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ମୁହଁ ଖୋଲିଛନ୍ତି ପୁରୀ ଶଙ୍କରାଚାର୍ୟ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ। ସେ କହିଛନ୍ତି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ଯାହା ହେଉଛି ତାହା ମନ୍ଦିର ଉପରେ ପ୍ରଭାବ ପକାଇବ । ଏହା ସହ ସେ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ‘ଆଧ୍ୟାତ୍ମିକ ସହର ପୁରୀକୁ ସରକାର ଭୋଗଭୂମି ସଜାଇଦେଇଛନ୍ତି । ମୋ ଅନୁପସ୍ଥିତିରେ ସବୁ କାର୍ୟ୍ୟ କରାଯାଉଛି ।
ଏପରି କରିବା ଉଚିତ ନୁହେଁ, ଏ ବିଷୟରେ ଆଲୋଚନା କରିବା ଅତ୍ୟନ୍ତ ଜରୁରୀ।’ ସେ କହିଛନ୍ତି ବିକାଶ କାର୍ୟ୍ୟ ହେଉ କିନ୍ତୁ ଏହା ଯେପରି ଶ୍ରୀମନ୍ଦିର ଉପରେ କୌଣସି ପ୍ରଭାବ ନପକାଉ, ସରକାରଙ୍କୁ ଶ୍ରୀମନ୍ଦିରର ବର୍ତ୍ତମାନ ଓ ଭବିଷ୍ୟତ ପ୍ରତି ଦୃଷ୍ଟି ଦେବା ଜରୁରୀ ।’ ତେବେ ଶ୍ରୀମନ୍ଦିର ଚାରିପାଖରେ ରାତି ଅଧିଆ ଜିପିଆର ସର୍ଭେକୁ ନେଇ ବିଭିନ୍ନ ମହଲରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଚାଲିଥିବା ନିର୍ମାଣ କାର୍ୟ୍ୟ ପୂର୍ବରୁ ଜିପିଆର ଦ୍ୱାରା ସର୍ଭେ କରାଯାଇ ନଥିବା ଅଭିଯୋଗ ହୋଇଥିଲା । ହେଲେ ଗତକାଲି ହଠାତ୍ ରାତି ଅଧିଆ ଜିପିଆର ସର୍ଭେ କରାଯାଉଥିବା ଦେଖିବାକୁ ମିଳିଛି । ତେବେ ଏମିତି ରାତିଅଧିଆ ଜିପିଆର ସର୍ଭେ କରିବାର କାରଣ କ’ଣ ହୋଇପାରେ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
