ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଏଏଫ୍ଆଇ ଇଣ୍ଡିଆନ ଗ୍ରାଁପ୍ରି-୩
ଭୁବନେଶ୍ୱର : ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ସହଯୋଗରେ ଶନିବାର ଠୁ କଳିଙ୍ଗ ଷ୍ଟାଡିୟମରେ ଏଏଫ୍ଆଇ ଇଣ୍ଡିଆନ୍ ଗ୍ରାଁପ୍ରି-୩ ଆୟୋଜିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କ୍ରୀଡ଼ାବିତମାନେ ଭୁବନେଶ୍ୱରରେ ପହଞ୍ଚି ଗତ ଶୁକ୍ରବାର ଠାରୁ ଷ୍ଟାଡିୟମରେ ଅଭ୍ୟାସ କରିଥିଲେ ।
ଜାତୀୟ ସ୍ତରର କିଛି ବଛା ବଛା କ୍ରୀଡ଼ାବିତ ଗ୍ରାଁପ୍ରି-୩ ଓ ଗ୍ରାଁପ୍ରି-୪ରେ ଅଂଶ ଗ୍ରହଣ କରୁଛନ୍ତି । ଆଭା ଖଟୁଆ (ତ୍ରିପଲ ଜମ୍ପ), ମନପ୍ରୀତ କୌର (ସଟପୁଟ୍),ସରିତା ରମିତ ସିଂ (ହାମର ଥ୍ରୋ), ନଭଜିତ କୌର (ଡିସ୍କସ ଥ୍ରୋ) ପ୍ରମୁଖ ମୁଖ୍ୟ ଆକର୍ଷଣ ସାଜିବେ । ପ୍ରତିଯୋଗିତା ସନ୍ଧ୍ୟା ୫ଟାରୁ ଆରମ୍ଭ ହେବ । ପୂର୍ବରୁ ୨୦୧୮ରେ ଭୁବନେଶ୍ୱରରେ ଅନ୍ତଃ ରାଜ୍ୟ ଆଥଲେଟିକ୍ ଚାମ୍ପିଅନସିପ୍ ଆୟୋଜିତ ହୋଇଥିଲା । ଇଣ୍ଡିଆନ ଗ୍ରାଁପ୍ର-୪ ଆସନ୍ତା ୨୪ ତାରିଖରେ ଖେଳାଯିବ।
ଏହି ଅବସରରେ ଓଡ଼ିଶାର ଦୁଇ ଅନ୍ତର୍ଜାତୀୟ ଆଥଲେଟ୍ ଅମିୟ କୁମାର ମଲ୍ଲିକ ଏବଂ ଶ୍ରାବଣୀ ନନ୍ଦ ୨୦୦ ମିଟରରେ ଦୌଡ଼ିବେ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ୩୧ ବର୍ଷୀୟ ଶ୍ରାବଣୀ ଜାମାଇକାରେ ରହି ଅଭ୍ୟାସ କରୁଥିବାରୁ କିଛି ବର୍ଷ ହେଲା କୌଣସି ଜାତୀୟ ଇଭେଣ୍ଟରେ ଭାଗ ନେଇ ନଥିଲେ । କିନ୍ତୁ ସେ ନିୟମିତ ଅଭ୍ୟାସ ଜାରି ରଖିଛନ୍ତି । ଗତ ମାର୍ଚ୍ଚ ମାସରେ ସେ ଏକ ଇଭେଣ୍ଟରେ ଦୌଡ଼ିଥିଲେ । ୨୦୦ ମିଟରରେ ସେ ୨୩.୬୮ ସେକେଣ୍ଡ ଟାଇମିଂ ଦେଇଥିଲେ । ଅଲିମ୍ପିଆନ ଦୂତି ଚାନ୍ଦ କିନ୍ତୁ ଏହି ପ୍ରତିଯୋଗିତାରେ ଦୌଡ଼ିବେ ନାହିଁ ବୋଲି କହିଛନ୍ତି । ଜୁନ ୧୦ ତାରିଖରେ ଆୟୋଜିତ ହେବାକୁ ଥିବା ସର୍ବଭାରତୀୟ ଅନ୍ତଃ ରାଜ୍ୟ ଆଥଲେଟିକ ଚାମ୍ପିଅନସିପ୍ ପାଇଁ ପ୍ରସ୍ତୁତ ହେଉଥିବା ସେ କହିଛନ୍ତି ।
