ଜାମିନ ଖାରଜ, ପୁଣି ଜେଲ ଯିବେ ପ୍ରଶାନ୍ତ ଜଗଦେବ!
କଟକ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଜାମିନ ଆବେଦନକୁ ଅଗ୍ରାହ୍ୟ କଲେ ହାଇକୋର୍ଟ। ତେଣୁ ଜାମିନ ଖାରଜ ହୋଇଥିବାରୁ ସେ ପୁଣି ଜେଲକୁ ଯାଇପାରନ୍ତି । ପୂର୍ବରୁ ଅନ୍ତରୀଣ ଜାମିନ ମଞ୍ଜୁର କରିଥିଲେ ହାଇକୋର୍ଟ । ପ୍ରଶାନ୍ତଙ୍କ ଉନ୍ନତ ମାନର ଚିକିତ୍ସା ପାଇଁ ମିଳିଥିଲା ଅନ୍ତରୀଣ ଜାମିନ । ବିଧାୟକଙ୍କୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଅନ୍ତରୀଣ ଜାମିନ ପ୍ରଦାନ ପରେ ସେ ଏପ୍ରିଲ୍ ୨୭ ତାରିଖରେ ସାମୟିକ ଭାବେ ଜେଲରୁ ମୁକୁଳିଥିଲେ । ସ୍ୱାସ୍ଥ୍ୟଗତ ଚିକିତ୍ସା ନିମନ୍ତେ ବିଧାୟକଙ୍କୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ।
ସୂଚନା ଯେ, ଗତ ମାର୍ଚ୍ଚ ୧୨ ତାରିଖ ସକାଳେ ବାଣପୁର ବ୍ଲକ ସମ୍ମୁଖରେ ୨୦ଜଣରୁ ଅଧିକ ଲୋକଙ୍କ ଉପରେ ଗାଡି ଚଢାଇ ଦେଇଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଏଥିରୁ ବାଦ୍ ପଡିନଥିଲେ ଥାନାଅଧିକାରୀ କି ସାଧାରଣଲୋକ । ପରିସ୍ଥିତି ଏପରି ହେଲା କି ସାଧାରଣ ଲୋକଙ୍କ ଆକ୍ରୋଶର ଶିକାର ହେଲେ ବାହୁବଳୀ ବିଧାୟକ । ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କୁ ନିର୍ଘାତିଆ ଛେଚିଲେ, ଦାମୀ କାର୍କୁ ଭାଙ୍ଗିରୁଜି ଚୁର୍ମାର କରିଦେଲେ । ଗୁରୁତର ଅବସ୍ଥାରେ ବିଧାୟକଙ୍କୁ ଉଦ୍ଧାର କରି ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମେଡିକାଲରେ କିଛି ଦିନ ରହିବା ପରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଥିଲା । ପରେ ମେଡିକାଲରୁ ଡିସଚାର୍ଜ ହେବା ପରେ ପୋଲିସ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିଥିଲା । ବାଣପୁର ପୁଲିସ ଏ ନେଇ ୧୧୩/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା।
