ଭୁଶୁଡ଼ିଲା ନିର୍ମାଣଧିନ ସୁଡ଼ଙ୍ଗ ! ୨ ଉଦ୍ଧାର, ଦବି ରହିଛନ୍ତି ୧୦ ଶ୍ରମିକ
ଶ୍ରୀନଗର : ଜମ୍ମୁ-କଶ୍ମୀରର ରାମବନ ଜିଲାର ମାକେରକୋଟ ସ୍ଥିତ ଖୋନି ନାଲାରେ ତିଆରି ଚାଲିଥିବା ଗୋଟିଏ ସୁଡ଼ଙ୍ଗର କିଛି ଅଂଶ ହଠାତ୍ ଭୁଶୁଡ଼ି ପଡ଼ିଛି। ଫଳରେ ମାଟି ତଳେ ୧୦ ଜଣ ଶ୍ରମିକ ଫସି ଯାଇଛନ୍ତି। ସେହିପରି ମାଟି ଅତଡ଼ା ତଳୁ ୨ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବାକି ୧୦ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଜୋରଦାର ପ୍ରୟାସ କରାଯାଉଛି।
ଗୁରୁବାର ରାତିରେ ବାନିହାଲର ଖୋନି ନାଲା ଅଞ୍ଚଳରେ ସୁଡ଼ଙ୍ଗ ମୁହାଣରେ ଏକ ଛୋଟ ଅଂଶ ଭୁଶୁଡ଼ି ପଡ଼ିଥିଲା। ଜାମ୍ମୁ କାଶ୍ମୀର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କହିଛି ଯେ ସୁଡ଼ଙ୍ଗରେ କାର୍ଯ୍ୟ କରୁଥିବା ୧୦ ଶ୍ରମିକ ନିଖୋଜ ଅଛନ୍ତି। ଅଧିକାରୀ କହିଛନ୍ତି ଯେ ସେନା ଏବଂ ପୋଲିସ ତରଫରୁ ମିଳିତ ଭାବେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଚାଲିଛି। ୨ ଜଣ ଆହତଙ୍କୁ ଉଦ୍ଧାର କରାଯାଇଛି। ଅନେକ ବୁଲଡୋଜର, ଟ୍ରକ୍ ଏବଂ ଅନ୍ୟାନ୍ୟ ମେସିନ୍ ମଧ୍ୟ ସୁଡ଼ଙ୍ଗ ଭିତରେ ପୋତି ହୋଇ ରହିଥିବା କୁହାଯାଇଛି | ରାମବାନ୍ ଜିଲାପାଳ ମାସାରତ ଇସଲାମ ଏବଂ ଏସଏସପି ମୋହିତା ଶର୍ମା ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଭିତରେ ଫସି ରହିଥିବା ଲୋକମାନେ ସୁଡ଼ଙ୍ଗର ଅଡିଟ୍ କରୁଥିବା କମ୍ପାନୀର କର୍ମଚାରୀ ବୋଲି କୁହାଯାଇଛି।
ଏନେଇ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଟ୍ୱିଟ କରି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଗୁରୁବାର ରାତିରେ ଖୋନି ନାଲାରେ ଥିବା ସୁଡ଼ଙ୍ଗର ସମ୍ମୁଖ ଭାଗର କିଛି ଅଂଶର ଅଡିଟ ଚାଲିଥିବା ବେଳେ ଏହା ଭୁଶୁଡ଼ି ପଡ଼ିଥିଲା। ଏହାପରେ ସେନା ଓ ପୁଲିସ୍ ତରଫରୁ ମିଳିତ ଭାବେ ଉଦ୍ଧାର ଆରମ୍ଭ କରାଯାଇଛି। ଉଦ୍ଧାର ଜାରି ରହିଥିବା ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାତାୟାତ ବନ୍ଦ କରି ଦିଆଯାଇଛି।
