କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର ! ପୁର୍ଣ୍ଣ ଦର୍ଶକର ବାରବାଟୀ ଟି-୨୦
କଟକ : କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ପୂର୍ଣ୍ଣ ଦର୍ଶକରେ ବାରବାଟୀରେ ଅନୁଷ୍ଠିତ ହେବ ଟି-୨୦ ମ୍ୟାଚ୍ । ବିସିସିଆଇ ପକ୍ଷରୁ ପୂର୍ଣ୍ଣ ଦର୍ଶକରେ ମ୍ୟାଚ୍ ଆୟୋଜନ ପାଇଁ ଅନୁମତି ଦିଆଯାଇଛି । ଜୁନ୍ ୧୨ରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବ । ଏନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହା ପୂର୍ବରୁ କରୋନା ମହାମାରୀ ଯୋଗୁଁ ଷ୍ଟାଡିୟମରେ କଟକଣା ଲାଗିଥିଲା ।
ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଶୃଙ୍ଖଳା ଜୁନ୍ ୯ ତାରିଖରୁ ଆରମ୍ଭ ହୋଇ ଜୁନ୍ ୧୯ ତାରିଖରେ ଶେଷହେବ। ନୂଆଦିଲ୍ଲୀରେ ପ୍ରଥମ ମ୍ୟାଚ୍ ଜୁନ୍ ୯ରେ ଖେଳାଯିବା ପରେ ଦ୍ବିତୀୟ ମ୍ୟାଚ୍ ଜୁନ୍ ୧୨ ତାରିଖରେ କଟକରେ ଆୟୋଜିତ ହେବ। ସେହିଭଳି ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ମୁକାବିଲା ଯଥାକ୍ରମେ ବିଶାଖାପାଟଣା, ରାଜକୋଟ ଏବଂ ବେଙ୍ଗାଲୁରୁରେ ଜୁନ୍ ୧୪, ୧୭ ଏବଂ ୧୯ ତାରିଖରେ ଖେଳାଯିବ। ଏହା ପୂର୍ବରୁ ବିସିସିଆଇ ଆଇପିଏଲ୍ ପ୍ଲେ ଅଫ୍କୁ ମଧ୍ୟ ପୂର୍ଣ୍ଣ ଦର୍ଶକ କ୍ଷମତାରେ ଆୟୋଜନ କରିବାକୁ ଅନୁମତି ଦେଇସାରିଛି। କୋଭିଡ୍ ସଂକ୍ରମଣ ସଂଖ୍ୟା ଧୀରେଧୀରେ କମୁଥିବାରୁ ଦର୍ଶକଙ୍କୁ ଷ୍ଟାଡିୟମ୍ ଆସି ମ୍ୟାଚ୍ର ମଜା ନେବାର ସୁଯୋଗ ଦେବାକୁ ବିସିସିଆଇ ନିଷ୍ପତ୍ତି ନେଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ୨୦୨୧ ଟି-୨୦ ବିଶ୍ବକପ୍ର ସେମିଫାଇନାଲ୍ ଖେଳିବାରୁ ଅଳ୍ପକେ ବଞ୍ଚିତ ହେବାପରେ ଦକ୍ଷିଣ ଆଫ୍ରିକାର ଏହା ପ୍ରଥମ ଟି-୨୦ ଶୃଙ୍ଖଳା ହେବ। ଭାରତ ମଧ୍ୟ ଦୀର୍ଘ ବ୍ୟବଧାନ ପରେ କୌଣସି ଅନ୍ତର୍ଜାତୀୟ ଶୃଙ୍ଖଳା ଖେଳିବ। ତା ଛଡ଼ା ବାଂଲାଦେଶ ଓ ପାକିସ୍ତାନ ସହ ଉଭୟ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଚଳିତବର୍ଷର ଟି-୨୦ ବିଶ୍ବକପ୍ରେ ଗୋଟିଏ ଗ୍ରୁପ୍ରେ ସ୍ଥାନ ପାଇଛନ୍ତି। ଏଣୁ ଏହି ଶୃଙ୍ଖଳାକୁ ନେଇ ଉଭୟ ଦେଶର ପ୍ରଶଂସକ ବେଶ୍ ଉତ୍ସାହିତ ଅଛନ୍ତି।
ତେବେ ଏହି ଶୃଙ୍ଖଳାରେ ବିରାଟ କୋହଲି, ରୋହିତ ଶର୍ମା ଏବଂ ଯଶପ୍ରୀତ ବୁମ୍ରାଙ୍କ ଭଳି ଖେଳାଳିଙ୍କୁ ବିଶ୍ରାମ ଦିଆଯିବ ବୋଲି ବିସିସିଆଇ ଆଗୁଆ ସଙ୍କେତ ଦେଇସାରିଛି। ଯଦି ଓଡ଼ିଶା କ୍ରିକେଟ୍ ପ୍ରଶଂସକଙ୍କ କଥା କୁହାଯାଏ, ତାହେଲେ ସେମାନେ ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ବାରବାଟୀ ଗ୍ୟାଲେରିରେ ବସି ଅନ୍ତର୍ଜାତୀୟ ମ୍ୟାଚ୍ ଦେଖିବାର ସୁଯୋଗ ପାଇବେ। କାରଣ ଏଠାରେ ୨୦୧୯ ଡିସେମ୍ବର ୨୨ ତାରିଖର ଭାରତ-ୱେଷ୍ଟଇଣ୍ଡିଜ୍ ଏକଦିବସୀୟ ମ୍ୟାଚ୍ ପରେ ଅନ୍ୟ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇନି। ଶେଷଥର ପାଇଁ ବାରବାଟୀରେ ୨୦୧୭ ଡିସେମ୍ବର ୨୦ ତାରିଖରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା। ଉଭୟ ମ୍ୟାଚ୍କୁ ଭାରତ ଯଥାକ୍ରମେ ୪ ୱିକେଟ୍ ଏବଂ ୯୩ ରନ୍ରେ ଜିତି ନେଇଥିଲା।
