ଆଇପିଏଲ୍-୨୦୨୨ : ରୋମାଞ୍ଚକର ମୁକାବିଲାରେ ମୁମ୍ବାଇକୁ ୩ ରନରେ ହରାଇଲା ହାଇଦ୍ରାବାଦ
ମୁମ୍ବାଇ: ଆଇପିଏଲ-୨୦୨୨ର ୬୪ ତମ ମ୍ୟାଚର ରୋମାଞ୍ଚକର ମୁକାବିଲାରେ ବାଜି ମାରିଲା ସନରାଇଜର୍ସ ହାଇଦ୍ରାବାଦ। ମୁମ୍ବାଇ ଇଣ୍ଡିଆନ୍ସକୁ ୩ ରନରେ ପରାସ୍ତ କଲା ହାଇଦ୍ରାବାଦ । ହାଇଦ୍ରାବାଦ ୧୩ମ ମୁକାବିଲାରେ ଷଷ୍ଠ ବିଜୟ ସହ ପ୍ଲେ ଅଫ ଆଶା ଉଜ୍ଜିବୀତ ରଖି ପାରିଛି। ପ୍ଲେ ଅଫର ସମୀକରଣ ବଦଳିଛି। ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ୧୦ମ ପରାଜୟ ଭୋଗିଛି। ଏବେ ତିନୋଟି ଦଳର ପଏଣ୍ଟ ସଂଖ୍ୟା ୧୨ରେ ରହିଛି। ହେଲେ ଖରାପ ନେଟ୍ ରନ ରେଟ୍ କାରଣରୁ ହାଇଦ୍ରାବାଦ ଅଷ୍ଟମ ସ୍ଥାନରେ ରହିଛି।
ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯ଼ାଉଥିବା ଏହି ମ୍ୟାଚ୍ରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ସଠିକ ସାବ୍ୟସ୍ତ କରି ଡାନିଏଲ ସାମ୍ସ ଇନଫର୍ମ ଅଭିଷେକ ଶର୍ମା(୯)ଙ୍କୁ ଆଉଟ କରି ଦେଇଥିଲେ। ତେବେ ହାଇଦ୍ରାବାଦର ନୂଆ ଓପନର ପ୍ରିୟମ ଗର୍ଗ ଦମଦାର ବ୍ୟାଟିଂ କରିଥିଲେ। ତାଙ୍କ ସହ କ୍ରିଜ୍ରେ ରାହୁଲ ତ୍ରିପାଠୀ ରହିଥିବାରୁ ହାଇଦ୍ରାବାଦ ଦ୍ରୁତଗତିରେ ରନ୍ ସଂଗ୍ରହ କରିଥିଲା। ଉଭୟ ୧୦ ଓଭର୍ ସୁଦ୍ଧା ଦଳୀୟ ସ୍କୋରକୁ ୯୬ ରନ୍ରେ ପହଞ୍ଚାଇଥିଲେ। ଏତିକି ବେଳେ ବଡ଼ ଶଟ ଖେଳିବା ଲୋଭରେ ଗର୍ଗ(୪୨) ରମଣଦୀପ ସିଂହଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ସେ ଏହି ଇନିଂସରେ ୨ଟି ଛକା ଓ ୪ଟି ଚୌକା ମାରିଛନ୍ତି। ଗର୍ଗ ଆଉଟ ହୋଇଥିଲେ ମଧ୍ୟ ରାହୁଲଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥିଲା। ତାଙ୍କୁ ନିକୋଲ୍ସ ପୁରନ ଭରପୂର ସହଯୋଗ କରିଥିଲେ। ଉଭୟ ତୃତୀୟ ୱିକେଟ ପାଇଁ ୧୬.୫ ଓଭର୍ ସୁଦ୍ଧା ଦଳୀୟ ସ୍କୋରକୁ ୧୭୨ରେ ପହଞ୍ଚାଇ ଦେଇଥିଲେ। ରାହୁଲ ତ୍ରିପାଠୀ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଦଳୀୟ ସ୍କୋର ୧୭୨ ଥିବା ବେଳେ ରିଲେ ମେରେଡିଥଙ୍କୁ ଛକା ମାରିବାକୁ ଯାଇ ବାଉଣ୍ଡରୀ ପାଖରେ ପୁରନ ଆଉଟ ହୋଇ ଯାଇଥିଲେ। ଆଉଟ ହେବା ପୂର୍ବରୁ ସେ ୨୨ ବଲ୍ରେ ୩ ଛକା ଓ ୨ ଚୌକା ବଳରେ ୩୮ ରନ୍ର ଇନିଂସ ଖେଳିଥିଲେ। ଏହାର ପରବର୍ତ୍ତୀ ଓଭର୍ରେ ରାହୁଲ ତ୍ରିପାଠୀ ମଧ୍ୟ ଆଉଟ ହୋଇଯାଇଥିଲେ। ତାଙ୍କ ୱିକେଟ ରମଣଦୀପ ସିଂହ ନେଇଥିଲେ। ରାହୁଲ ୪୪ଟି ବଲ୍ରେ ୭୬ ରନ କରିଛନ୍ତି। ଏହି ଇନିଂସରେ ୯ଟି ଚୌକା ଓ ୩ଟି ବିଶାଳ ଛକା ରହିଛି। ସେହି ଓଭର୍ର ଶେଷ ବଲେ ୨ ରନ୍ କରିଥିବା ଏଡେନ ମାର୍କମ ମଧ୍ୟ ରମଣଦୀପଙ୍କ ତୃତୀୟ ଶିକାର ବନିଥିଲେ। ଲଗାତର ୩ଟି ୱିକେଟ ହରାଇବାରୁ ହାଇଦ୍ରାବାଦର ରନ୍ ସଂଗ୍ରହ ହାରରେ ସାମାନ୍ୟ ବ୍ରେକ ଲାଗିଥିଲା। କେନ ୱିଲିୟମସନ ଓ ୱାଶିଂଟନ ସୁନ୍ଦର ବଡ଼ ଶଟ ଖେଳିବାକୁ ଚାହିଁଥିଲେ ମଧ୍ୟ ସେତେଟା ଲାଭ ମିଳି ନଥିଲା। ୧୯ ଓଭର ଶେଷ ସୁଦ୍ଧା ହାଇଦ୍ରାବାଦ ୧୮୬ ରନ୍ କରିଥିଲା। ଶେଷ ଓଭରରେ ୱିଲିୟମସନ ଗୋଟିଏ ଚୌକା ମାରିବା ସହ ସୁନ୍ଦର ୨ ରନ୍ କରିଥିଲେ। ଶେଷ ବଲରେ ବୁମ୍ରା ସୁନ୍ଦରଙ୍କୁ ବୋଲ୍ଡ କରି ଦେବାରୁ ହାଇଦ୍ରାବାଦ ୬ ୱିକେଟ ହରାଇ ୧୯୩ ରନ୍ରେ ଅଟକି ଯାଇଥିଲା। ୱିଲିୟମସନ ଶେଷ ଯାଏ ୭ ବଲରେ ୮ ରନ୍ କରି ଅପରାଜିତ ରହିଥିଲେ। ମୁମ୍ବାଇ ପକ୍ଷରୁ ରମନଦୀପ ସିଂହ ୨୦ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ଡାନିଏଲ ସାମ୍ସ ଓ ରିଲେ ମେରେଡିଥ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।
ଜବାବରେ ହାଇଦ୍ରାବାଦ ଦ୍ଵାରା ଧାର୍ଯ୍ୟ ୧୯୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ୭ ଓ୍ଵିକେଟ୍ ହରାଇ ୧୯୦ ରନ କରିପାରିଛି। ଅଧିନାୟକ ରୋହିତ ଶର୍ମା ୪୮ ରନ ଏବଂ ଇଶାନ କିଷନ ୪୩ ରନ କରି ପ୍ରଥମ ଓ୍ଵିକେଟରେ ୯୫ ରନ ଦଳର ବିଜୟ ମୂଳଦୁଆ ପକାଇଥିଲେ। ହେଲେ ଦୁଇ ବ୍ୟାଟସମ୍ୟାନଙ୍କ ଆଉଟ୍ ପରେ ମୁମ୍ବାଇ ଦିଗହରା ହୋଇ ପଡିଥିଲା। ମଧ୍ୟ କ୍ରମରେ ଦଳ ନିୟମିତ ଓ୍ଵିକେଟ୍ ହରାଇଥିଲା। ଶେଷ ଆଡକୁ ଟିମ୍ ଡେଭିଡ୍ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ମାତ୍ର ୧୮ ବଲରୁ ୩ ଚୌକା ଏବଂ ୪ ଛକା ସହ ୪୬ ରନ କରିଥିଲେ। ହେଲେ ସେ ରନ ଆଉଟ୍ ହେବା ମୁମ୍ବାଇକୁ ମହଙ୍ଗା ପଡିଥିଲା। ଶେଷରେ ସନରାଇଜର୍ସ ହାଇଦ୍ରାବାଦ ମୁମ୍ବାଇ ଇଣ୍ଡିଆନ୍ସକୁ ୩ ଓ୍ଵିକେଟରେ ହରାଇବାରେ ସଫଳ ହୋଇଛି। ହାଇଦ୍ରାବାଦ ପକ୍ଷରୁ ଉମରାନ ମଲିକ ୨୩ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ଭୁବନେଶ୍ଵର କୁମାର ୧୯ମ ଓଭରରେ ମେଡେନ ସହ ୨୬ ରନରେ ଗୋଟିଏ ଏବଂ ଫଜଲ ଫାରୁକି ୩୧ ରନ ଦେଇ ଗୋଟିଏ ସଫଳତା ପାଇଛନ୍ତି।
