ଆଇପିଏଲ୍-୨୦୨୨ : ଲକ୍ଷ୍ନୌକୁ ୨୪ ରନରେ ହରାଇଲା ରାଜସ୍ଥାନ
ମୁମ୍ବାଇ: ଆଇପିଏଲ୍-୨୦୨୨ର ୬୩ତମ ଲିଗ୍ ମୁକାବିଲାରେ ରବିବାର ଉଭୟ ବ୍ୟାଟିଂ ଏବଂ ବୋଲିଂରେ ପ୍ରଭାବଶାଳୀ ପ୍ରଦର୍ଶନ ଫଳରେ ରାଜସ୍ଥାନ ରୟାଲ୍ସ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସକୁ ୨୪ ରନରେ ପରାସ୍ତ କରିଛି। ଦୀପକ ହୁଡ୍ଡାଙ୍କ ୫୯ ରନ ସତ୍ତ୍ଵେ ରାଜସ୍ଥାନ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୫୪ ରନ କରି ପାରିଛି। ରାଜସ୍ଥାନ ରୟାଲ୍ସ ୧୩ଶ ମୁକାବିଲାରୁ ଅଷ୍ଟମ ବିଜୟ ସହ ପଏଣ୍ଟ ଟେବୁଲର ଦ୍ଵିତୀୟକୁ ଉଠିବା ସହ ପ୍ଲେ ଅଫରେ ଆପାତଃ ପ୍ରବେଶ କରିଛି। ଲକ୍ଷ୍ନୌ ସମାନ ମ୍ୟାଚରୁ ପଞ୍ଚମ ପରାଜୟ ଭୋଗିଛି। ତଥାପି ୧୬ ପଏଣ୍ଟ ହାସଲ କରି ସାରିଥିବାରୁ ଲକ୍ଷ୍ନୌର ପ୍ଲେ ଅଫ ଖେଳିବା ନିଶ୍ଚିତ ଲାଗୁଛି।
ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ୬ ଓ୍ଵିକେଟ୍ ହରାଇ ୧୭୮ ରନ କରିଥିଲା। ଦଳ ପକ୍ଷରୁ ଯଶସ୍ଵୀ ଜୟସଓ୍ଵାଲ ସର୍ବାଧିକ ୪୧ ରନ କରିଥିଲେ। ଦେବଦତ୍ତ ପାଡିକଲ ୧୮ ବଲରୁ ଦ୍ରୁତ ୩୮ ରନ କରିଥିବା ବେଳେ ସଞ୍ଜୁ ସାମସନ ୩୨, ରିୟାନ ପରାଗ ୧୭ ରନ କରିଥିଲେ। ଟ୍ରେଣ୍ଡ ବୋଲ୍ଟ ଅପରାଜିତ ୧୭ ଏବଂ ଅଶ୍ଵିନ ୧୦ ରନ କରି ଅପରାଜିତ ଥିଲେ। ଲକ୍ଷ୍ନୌ ତରଫରୁ ରବି ବିଷ୍ଣୋଇ ୩୧ ରନ ଦେଇ ୨ଟି ଓ୍ଵିକେଟ୍, ଅଭେଶ ଖାନ, ଜାସନ ହୋଲଡର ଏବଂ ଆୟୁଷ ବଦୋନୀ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
ଜବାବରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ୮ ଓ୍ଵିକେଟ୍ ହରାଇ ୧୫୪ ରନରେ ସୀମିତ ରହିଛି। ଦଳ ରାଜସ୍ଥାନ ନିକଟରୁ ୨୪ ରନରେ ହାରିଛି। ଦୀପକ ହୁଡ୍ଡା ୩୯ ବଲରୁ ଦ୍ରୁତ ୫୯ ରନ କରିଥିଲେ ହେଁ ତାହା ଦଳ ପାଇଁ ପର୍ଯ୍ୟାପ୍ତ ନଥିଲା। ଶେଷ ଆଡକୁ ମାର୍କସ ଷ୍ଟୋଇନିସ ୧୭ ବଲରୁ ୨୭ ରନ କରିଥିଲେ। କୃଣାଲ ପାଣ୍ଡ୍ୟା ୨୫ ରନ କରିଥିଲେ ହେଁ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ। ଅଧିନାୟକ କେଏଲ ରାହୁଲ ୧୦ ରନ କରି ନିରାଶ କରିଛନ୍ତି। କ୍ଵିଣ୍ଟନ ଡି କକ ୭ ରନ କରିଥିଲେ। ରାଜସ୍ଥାନ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୧୮ ରନ ଦେଇ ୨ଟି, ପ୍ରସିଦ୍ଧ କୃଷ୍ଣା ୩୨ ରନରେ ୨ ଏବଂ ଓବିଡ ମାକକୟ ୩୫ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ଅଶ୍ଵିନ ଏବଂ ଚହଲଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି।
