ଆଇପିଏଲ୍-୨୦୨୨ : ଚେନ୍ନାଇକୁ ୭ ୱିକେଟ୍ରେ ହରାଇଲା ଗୁଜରାଟ
ମୁମ୍ବାଇ: ଆଇପିଏଲ୍-୨୦୨୨ର ୬୨ତମ ମ୍ୟାଚ୍ରେ ରବିବାର ଚେନ୍ନାଇ ସୁପର କିଙ୍ଗ୍ସକୁ ଗୁଜରାଟ ଟାଇଟନ୍ସ ୭ ୱିକେଟ୍ରେ ପରାସ୍ତ କରିଛି । ୧୩୪ ରନ୍ର ବିଜୟ ଲକ୍ଷ୍ୟ ନେଇ ଗୁଜରାଟ ୧୯.୧ ଓଭରରେ ୩ଟି ୱିକେଟ୍ ହରାଇ ୧୩୭ ରନ୍ କରିଛି । ବୋଲରଙ୍କ ଶାଣିତ ବୋଲିଂ ଏବଂ ଋଦ୍ଧିମାନ ଶାହାଙ୍କ ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ବଳରେ ଗୁଜରାଟ୍ ଟାଇଟନ୍ସ ସହଜ ବିଜୟ ହାସଲ କରିଛି । ଆଇପିଏଲର ୬୨ତମ ମୁକାବିଲାରେ ପଏଂଟ ଟେବୁଲର ଶୀର୍ଷରେ ଥିବା ଗୁଜରାଟ ଚେନ୍ନାଇ ସୁପର କିଙ୍ଗ୍ସକୁ ୭ ୱିକେଟ୍ରେ ହରାଇଛି । ୧୩ମ ମୁକାବିଲାରୁ ୧୦ମ ବିଜୟ ସହ ଗୁଜରାଟ ପଏଂଟ ଟେବୁଲରେ ନିଜର ଶୀର୍ଷ ସ୍ଥାନ ଆହୁରି ମଜବୁତ କରି ପାରିଛି । ଅନ୍ୟପକ୍ଷେ ଚେନ୍ନାଇ ସୁପର କିଙ୍ଗ୍ସ ୧୩ମ ମୁକାବିଲାରୁ ନବମ ପରାଜୟ ଭୋଗିଛି । ଚେନ୍ନାଇ ଦ୍ୱାରା ଧାର୍ଯ୍ୟ ୧୩୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ୧୯.୧ ଓଭରରେ ୩ ୱିକେଟ୍ ହରାଇ ହାସଲ କରି ନେଇଛି ।
ମୁମ୍ବାଇର ୱାଙ୍ଖଡେରେ ଖେଳା ଯାଉଥିବା ଏହି ମ୍ୟାଚ୍ରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲେ । ଦଳ ପକ୍ଷରୁ ଋତୁରାଜ ଗାଏକ୍ୱାଡଙ୍କ ୫୩ ରନ୍ କରିଥିବା ବେଳେ ନାରାୟଣ ଜଗଦୀଶନ ଅପରାଜିତ ୩୯ ରନ୍ କରିଥିଲେ । ଏମାନଙ୍କ ବ୍ୟତୀତ ଧୋନି ୭, ମୋଇନ ଅଲୀ ୨୧ ଓ ଡେଭୋନ କନୱେ ୫ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଶେଷରେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭର୍ରେ ୫ ୱିକେଟ ହରାଇ ୧୩୩ ରନ୍ କରିଥିଲା । ଗୁଜରାଟ ପକ୍ଷରୁ ମହମ୍ମଦ ଶାମି ୨ଟି ୱିକେଟ ନେଇଥିବା ବେଳେ ରଶିଦ ଖାନ, ଅଲଜାରି ଯୋଶେଫ ଓ ଆର ସାଇ କିଶୋର ଗୋଟିଏ ଲେଖାଏ ସଫଳତା ପାଇଛନ୍ତି । ୧୩୪ ରନ୍ର ଟାର୍ଗେଟ ପିଛା କରୁଥିବା ଗୁଜରାଟ ପାଇଁ ରିଦ୍ଧିମାନ ସାହା ବିସ୍ଫୋରକ ଆରମ୍ଭ କରିଥିଲେ । ତାଙ୍କୁ ଶୁବମନ ଗିଲ୍ ଭରପୂର ସହଯୋଗ କରିଥିଲେ । ଉଭୟ ପ୍ରଥମ ୱିକେଟ ପାଇଁ ୫୯ ରନ ଯୋଡ଼ିଥିଲେ ହେଁ ଗିଲ କେବଳ ଏହା ମଧ୍ୟରୁ ୧୮ ରନ୍ କରିଥିଲେ । ସେ ୧୮ ରନ୍ କରିଥିବା ବେଳେ ଆଇପିଏଲରେ ଡେବ୍ୟୁ କରିଥିବା ଶ୍ରୀଲଙ୍କାର ମତିଶା ପତିରାନା ତାଙ୍କୁ ଆଉଟ କରି ଦେଇଥିଲେ । ମ୍ୟାଥ୍ୟୁ ୱେଡ (୨୦) ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା(୭) ମଧ୍ୟ ବେଶୀ ସମୟ କ୍ରିଜରେ ତିଷ୍ଠି ପାରି ନଥିଲେ । ୧୦୦ ରନ୍ରେ ଦଳ ୩ ୱିକେଟ ହରାଇ ସାମାନ୍ୟ ଚାପରେ ପଡ଼ିଥିଲା । କିନ୍ତୁ ସାହା ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଏଥିସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ । ଡାଭିଲ ମିଲିର ତାଙ୍କ ସହ ଶେଷ ଯାଏ ୧୫ ରନ୍ କରି ଅପରାଜିତ ଥିଲେ । ଶେଷ ଓଭରରେ ଗୁଜରାଟକୁ ଜିତିବା ପାଇଁ ୧ ରନ୍ ଦରକାର ଥିବା ବେଳେ ସାହା ଚୌକା ମାରି ବିଜୟ ମୁଣ୍ଡି ମାରିଥିଲେ । ୫୭ ବଲ୍ରେ ଅପରାଜିତ ୬୭ ରନ୍ର ଇନିଂସ ଖେଳିଥିବା ସାହା ୮ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି । ଚେନ୍ନାଇ ପକ୍ଷରୁ ପତିରାନା ୨ଟି ୱିକେଟ ନେଇଥିବା ବେଳେ ମୋଇନ ଅଲୀଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଛି ।
