ବାଲେଶ୍ୱର : ସମ୍ଭାବ୍ୟ ବାତ୍ୟା ଓ ବର୍ଷାରୁ ଫସଲର ସୁରକ୍ଷା ନିମନ୍ତେ କୃଷି ବିଭାଗ ପକ୍ଷରୁ ଚାଷୀଙ୍କ ପାଇଁ ପରାମର୍ଶ
ବାଲେଶ୍ୱର : ଦକ୍ଷିଣ ଆଣ୍ଡାମାନ ସାଗର ତଥା ଏହାର ପାଶ୍ୱର୍ବର୍ତୀ ଅଂଚଳରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇ ଆସନ୍ତା ୧୦ତାରିଖ ବେଳକୁ ଉତର ଆନ୍ଧ୍ର ଓ ଓଡିଶା ଉପକୂଳ ଦେଇ ଗତି କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉପକୂଳ ଓଡିଶାର ଜିଲାଗୁଡିକରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ପରିପ୍ରେକ୍ଷୀରେ ସମ୍ଭାବ୍ୟ ବାତ୍ୟା ଓ ବର୍ଷାରୁ ଫସଲ ସୁରକ୍ଷା ତଥା ପରିଚାଳନା ନିମନ୍ତେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ, ଓଡିଶା ଏବଂ ବାଲେଶ୍ୱର ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲାର ଚାଷୀମାନଙ୍କ ନିମନ୍ତେ ବିଭିନ୍ନ ପରାମର୍ଶ ଜାରି କରାଯାଇଛି । ଡାଳୁଅ ଧାନ ୮୫% ପାକଳ ହୋଇ ଯାଇଥିଲେ ଏହାକୁ ଅମଳ କରି ସୁରକ୍ଷିତ ସ୍ଥାନରେ ରଖିବା, ବିଳମ୍ବରେ ଲଗାଯାଇଥିବା ଧାନ ଫସଲରୁ ଅତ୍ୟଧିକ ଜଳ ନିଷ୍କାସନର ବ୍ୟବସ୍ଥା କରିବା ଏବଂ ବର୍ଷା ଆଶଙ୍କା ଯୋଗୁଁ ଫସଲରେ ରୋଗନାଶକ ଏବଂ କୀଟନାଶକ ପ୍ରୟୋଗ ନ କରିବାକୁ ଜିଲାର କୃଷକମାନଙ୍କୁ ପରାମର୍ଶ ଦିଆଯାଇଛି । ସେହିପରି ମୁଗ, ବିରି, ଚିନାବାଦାମ ଫସଲକୁ ଅମଳ କରି ସୁରକ୍ଷିତ ସ୍ଥାନରେ ରଖିବା, ବିଳମ୍ବରେ ଲଗାଯାଇଥିବା ଚିନାବାଦାମ ଫସଲ ସହିତ ପନିପରିବା ଫସଲରୁ ଅତ୍ୟଧିକ ଜଳ ନିଷ୍କାସନର ବ୍ୟବସ୍ଥା କରିବାକୁ କୃଷକମାନଙ୍କୁ କୁହାଯାଇଛି । ଲଟାଜାତୀୟ ପନିପରିବାରେ ରଞ୍ଜା ଓ କଦଳୀ, ଅମୃତଭଣ୍ଡା ଆଦି ଗଛରେ ଡେରା ସହିତ ଆଖୁ ଫସଲ ପବନରେ ନଇଁ ପଡିଥିଲେ ତାକୁ ଉଠାଇଦେବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି । କୃଷକମାନେ ଏ ନେଇ ଯେପରି ଆଗୁଆ ସୂଚନା ପାଇ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିପାରିବେ ତାହା ସୁନିଶ୍ଚିତ କରିବା ଲାଗି କୃଷି ବିଭାଗ ଅଧିକାରୀମାନଙ୍କୁ ଜିଲାପାଳ ଶ୍ରୀ କେ ସୁଦର୍ଶନ ଚକ୍ରବର୍ତୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଏ ସମ୍ପର୍କିତ ଅଧିକ ସୂଚନା ପାଇବା ପାଇଁ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ଓ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରିବା ପାଇଁ ଜିଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ନିକୁଞ୍ଜ କିଶୋର ରାଉତ ଚାଷୀମାନଙ୍କୁ ନିବେଦନ କରିଛନ୍ତି ।
