ପ୍ରେମ ହେଲା ସଫଳ ! ପ୍ରେମିକ ଘର ଆଗରେ ଧାରଣାରେ ବସି ବାହାହେଲେ ପ୍ରେମିକା
ବିବାହ ସ୍ଥିର ହୋଇଥିବା କନ୍ୟାର ହାତଧରିଲେ ଯୁବକଙ୍କ ସାନଭାଇ
ନୟାଗଡ଼ : ଦୀର୍ଘ ୧୦ ବର୍ଷର ପ୍ରେମ ସମ୍ପର୍କକୁ ଫଳ କରି ଶେଷରେ ପ୍ରେମିକକୁ ବିବାହ କରିଛନ୍ତି । ପ୍ରେମିକ ଅନ୍ୟ ଜଣକୁ ବିବାହ କରିବାକୁ ଯାଉଥିବା ଖବର ପାଇ ପ୍ରେମିକା ପ୍ରେମିକ ଘର ବାରଣ୍ଡାରେ ଧାରଣାରେ ବସି ବିବାହ ପାଇଁ ଜିଦ୍ ଧରିଥିଲେ । ପୁଲିସ ଓ ଗ୍ରାମର କିଛି ଭଦ୍ରବ୍ୟକ୍ତିଙ୍କ ସହାୟତାରେ ଏହି ସମସ୍ୟାର ସମାଧାନ ହୋଇଥିଲା । ପ୍ରେମିକା ଓ ପ୍ରେମର ବିଜୟ ହେବା ସହ ବିବାହ ହୋଇଥିଲା । ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକର ପଦ୍ମାବତୀ ଗ୍ରାମରେ ।
ପ୍ରାୟ ୧୫ ବର୍ଷ ପୂର୍ବେ ପଦ୍ମାବତୀ ଗ୍ରାମରେ ମୟୂରଭଞ୍ଜ ଜିଲ୍ଲାରୁ ଆସି ଜଣେ ମହିଳା ଏଏନ୍ଏମ୍ ଚାକିରି କରିଥିଲେ । ସେ ତାଙ୍କ ପରିବାର ସହ ରହୁଥିଲେ । ଉକ୍ତ ମହିଳାଙ୍କ ବଡ଼ ଝିଅ ସହ ସେହି ଗ୍ରାମର ଜଣେ ଯୁବକର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । କ୍ୟାନସରରେ ମହିଳା ମୃତ୍ୟୁବରଣ କରିବା ପରେ ତାଙ୍କ ପରିବାର ପଦ୍ମାବତୀ ଗ୍ରାମ ଛାଡ଼ି ମୟୂରଭଞ୍ଜ ଚାଲି ଯାଇଥିଲେ । ତଥାପି ସେମାନଙ୍କ ପ୍ରେମ ସମ୍ପର୍କ ଅତୁଟ ରହିଥିଲା । ପ୍ରେମିକା ପାଠପଢ଼ି ମୟୂରଭଞ୍ଜରେ ଅଙ୍ଗନବାଡ଼ିରେ ଚାକିରି କରୁଥିଲେ । କିଛି ଦିନ ତଳେ ପ୍ରେମିକା ଖବର ପାଇଲେ ମେ’ ୨ ତାରିଖରେ ପ୍ରେମିକର ବିବାହ ନୟାଗଡ଼ ଜିଲ୍ଲାର ଇଟାମାଟି ଗ୍ରାମରେ ହେବାକୁ ଯାଉଛି । ଖବର ଶୁଣି ପ୍ରେମିକା ଜଣକ ପଦ୍ମାବତୀ ଗ୍ରାମରେ ପହଞ୍ଚି ପ୍ରେମିକ ଘର ବାରଣ୍ଡାରେ ଧାରଣାରେ ବସିଥିଲେ । ଏ ସମ୍ପର୍କରେ ଗ୍ରାମର କିଛି ଲୋକ ଫତେଗଡ଼ ଖାନାକୁ ଜଣାଇଥିଲେ । ଫତେଗଡ଼ ପୁଲିସ ପ୍ରେମିକା ଓ ପ୍ରେମିକ ଉଭୟଙ୍କୁ ଥାନାକୁ ନେଇ ଭଦ୍ରବ୍ୟକ୍ତିଙ୍କ ମାଧ୍ୟମରେ ଫଇସଲା କରିଥିଲେ ।
ଫଇସଲା ମୁତାବକ ପ୍ରେମିକ ଓ ପ୍ରେମିକାଙ୍କ ବିବାହ ହୋଇଥିଲା । ପ୍ରେମିକର ବିବାହ ସ୍ଥିର ହୋଇଥିବା ଇଟାମାଟି ଗ୍ରାମର ଝିଅକୁ ପ୍ରେମିକର ସାନଭାଇ ବିବାହ କରିଥିଲା । ନିଜର ପ୍ରେମ ସମ୍ପର୍କକୁ ପାଇବା ପାଇଁ ସୁଦୂର ମୟୂରଭଞ୍ଜରୁ ଆସି ପ୍ରେମକୁ ଯେଭଳି ପ୍ରତିପାଦନ କଲେ ତାକୁ ନେଇ ପ୍ରେମିକାକୁ ସବୁଆଡ଼ୁ ପ୍ରଶଂସାର ସୁଅ ଛୁଟିଛି ।
