ଆଇପିଏଲ୍-୨୦୨୨ : ଚେନ୍ନାଇକୁ ୧୩ ରନରେ ହରାଇଲା ବାଙ୍ଗାଲୋର
ପୁଣେ : ଆଇପିଏଲ୍-୨୦୨୨ର ୪୯ତମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚେନ୍ନାଇ ସୁପର କିଙ୍ଗ୍ସକୁ ୧୩ ରନରେ ପରାସ୍ତ କରିଛି । କ୍ରମାଗତ ୩ଟି ମ୍ୟାଚ୍ ହାରିବା ପରେ ପରାଜୟଧାରା ଭାଙ୍ଗିଛି ବାଙ୍ଗାଲୋର। ମୋଟ ୧୧ଟି ମୁକାବିଲାରୁ ୬ଷ୍ଠ ବିଜୟ ସହ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନକୁ ଉଠିଛି ବାଙ୍ଗାଲୋର। ସେହିପରି ପରାଜୟ ସହ ଚେନ୍ନାଇ ପ୍ଲେ ଅଫ ଆଶାକୁ ଶକ୍ତ ଧକ୍କା ଲାଗିଛି। ଚେନ୍ନାଇ ୧୦ଟି ମ୍ୟାଚରୁ ସପ୍ତମ ପରାଜୟ ଭୋଗିଛି। ବାଙ୍ଗାଲୋର ବିଜୟରେ ଜୋସ ହେଜେଲଉଡ, ଗ୍ଲେନ ମ୍ୟାକ୍ସଓ୍ଵେଲ ଏବଂ ହର୍ଷଲ ପଟେଲ୍ ପ୍ରମୁଖ ଭୂମିକା ନିଭାଇଛନ୍ତି। ବାଙ୍ଗାଲୋର ଦ୍ଵାରା ଧାର୍ଯ୍ୟ ୧୭୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଚେନ୍ନାଇ ୮ ଓ୍ଵିକେଟ୍ ହରାଇ ୧୬୦ ରନରେ ସୀମିତ ରହିଛି।
ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ମହେନ୍ଦ୍ର ସିଂହ ଧୋନି ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ହେଲେ ଆରସିବି ପାଇଁ ବିରାଟ କୋହଲି ଓ ଅଧିନାୟକ ଡୁପ୍ଲେସିସ ଭଲ ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୬୨ ରନ୍ ଯୋଡ଼ି ଦଳକୁ ଭଲ ଷ୍ଟାର୍ଟ ଦେଇଥିଲା। ଏତିକି ବେଳେ ୩୮ ରନ୍ କରିଥିବା ଡୁପ୍ଲେସିସ ବଡ଼ ଶଟ୍ ଖେଳିବା ଲୋଭରେ ମୋଇନ ଅଲୀଙ୍କ ବଲରେ ଆଉଟ ହୋଇଯାଇଥିଲେ। ଗ୍ଲେନ ମ୍ୟାକ୍ସୱେଲ(୩)ଙ୍କୁ ଆରସିବି ରନ ଆଉଟ ରୂପେ ହରାଇଥିଲା। ବିରାଟ କୋହଲି ସତର୍କତାର ସହ ବ୍ୟାଟିଂ କରୁଥିଲେ ମଧ୍ୟ ୩୦ ରନ୍ କରି ମୋଇନଙ୍କ ଦ୍ୱିତୀୟ ଶିକାର ବନିଥିଲେ। ୬୨ ରନ୍ରେ କୌଣସି ୱିକେଟ ହରାଇ ନଥିବା ଆରସିବି ୭୯ ରନ୍ରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏହି ସମୟରେ ଦୁଇ ଯୁବ ତାରକା ରଜତ ପଟିଦାର ଓ ମହିପାଲ ଲୋମରୋର ସ୍ଥିତି ସମ୍ଭାଳିଥିଲେ। ଉଭୟ ଦମଦାର ବ୍ୟାଟିଂ କରି ଦଳୀୟ ସ୍କୋରକୁ ୧୨୩ରେ ପହଞ୍ଚାଇଥିଲେ। କିନ୍ତୁ ପଟିଦାର ୨୧ ରନ କରିଥିବା ବେଳେ ପ୍ରେଟୋରିୟସଙ୍କ ବଲରେ ଆଉଟ ହୋଇଥିଲେ। ଏହାପରେ ମହିପାଲ ଓ ଦୀନେଶ କାର୍ତ୍ତିକ ସ୍ଥିତି ସମ୍ଭାଳି ଦଳୀୟ ସ୍କୋରକୁ ୧୫୫ ରନ୍ରେ ପହଞ୍ଚାଇଥିଲେ। ଏହି ଠାରୁ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ। ୧୯ତମ ଓଭର୍ର ପ୍ରଥମ ବଲରେ ୪୨ ରନ୍ କରିଥିବା ମହିପାଲଙ୍କୁ ଥିକସାନା ଆଉଟ କରିଥିଲେ। ସମାନ ଓଭର୍ରେ ହସରଙ୍ଗା ଓ ଶାହବାଜ ଅହମଦ ମଧ୍ୟ ତାଙ୍କ ଶିକାର ବନିଥିଲା। ୨ ରନ୍ ଭିତରେ ୩ ୱିକେଟ ହରାଇ ଆରସିବି ଦୋହଲି ଯାଇଥିଲା। କିନ୍ତୁ ଶେଷ ଓଭର୍ରେ ଦୀନେଶ କାର୍ତ୍ତିକ ବଡ଼ବଡ଼ ଶଟ ଖେଳିବାରୁ ଆରସିବି ୮ ୱିକେଟ ହରାଇ ୧୭୩ ରନ୍ କରିବାକୁ ସକ୍ଷମ ହୋଇଥିଲା। କାର୍ତ୍ତିକ ଶେଷ ଯାଏ ୧୭ ବଲ୍ରେ ୨୬ ରନ୍ କରି ନଟଆଉଟ ରହିଥିଲେ। ଏହି ଇନିଂସ୍ରେ ସେ ୨ଟି ଛକା ଓ ଗୋଟିଏ ଚୌକା ମାରିଛନ୍ତି। ଚେନ୍ନାଇ ପକ୍ଷରୁ ଥିକସାନା ୩ଟି ୱିକେଟ ନେଇଥିବା ବେଳେ ମୋଇନ ଅଲୀ ୨ଟି ଓ ପ୍ରିଟୋରିୟସ ଗୋଟିଏ ସଫଳତା ପାଇଛନ୍ତି।
ଜବାବରେ ଚେନ୍ନାଇ ସୁପର କିଙ୍ଗ୍ସ ଡେଭନ କନଓ୍ଵେଙ୍କ ୫୬ ରନ ସତ୍ତ୍ଵେ ୮ ଓ୍ଵିକେଟ୍ ହରାଇ ୧୬୦ ରନ କରି ପାରିଛି। ମୋଇନ ଅଲ୍ଲୀ ୩୪ ରନ ଏବଂ ଋତୁରାଜ ଗାଏକଓ୍ଵାଡ ୨୮ ରନ କରିଥିଲେ। ବେଙ୍ଗାଲୁରୁ ପକ୍ଷରୁ ହର୍ଷଲ ପଟେଲ୍ ୩୫ ରନ ଦେଇ ୩ଟି ଓ୍ଵିକେଟ୍, ଗ୍ଲେନ ମ୍ୟାକ୍ସଓ୍ଵେଲ ୨୨ ରନ ଦେଇ ୨ ଏବଂ ଜୋସ୍ ହେଜେଲଉଡ ୧୯ ରନରେ ଏକ ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି।
