ଆଇପିଏଲ୍-୨୦୨୨ : ରାଜସ୍ଥାନକୁ ୫ ଉଇକେଟରେ ହରାଏ ପ୍ରଥମ ବିଜୟ ହାସଲ କଲା ମୁମ୍ବାଇ
ମୁମ୍ବାଇ: ଲଗାତାର ଆଠଟି ମ୍ୟାଚ୍ ହାରିବା ପରେ ଚଳିତ ସିଜିନରେ ଶେଷରେ ବିଜୟର ସ୍ଵାଦ ଚାଖିଛି ପାଞ୍ଚ ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ। ଏଥିସହ କ୍ରମାଗତ ନଅଟି ମ୍ୟାଚ୍ ହାରିବାର ଅଲୋଡା ରେକର୍ଡରୁ ଦଳ ବର୍ତ୍ତି ଯାଇଛି। ବୋଲରଙ୍କ ଦମଦାର ବୋଲିଂ ପରେ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ମୁମ୍ଵାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୨ରେ ପ୍ରଥମ ବିଜୟ ହାସଲ କରିଛି। ନବମ ମ୍ୟାଚରୁ ମୁମ୍ଵାଇ ପ୍ରଥମ ବିଜୟ ହାସଲ କରିଥିବା ବେଳେ ରାଜସ୍ଥାନ ରୟାଲ୍ସ ତୃତୀୟ ପରାଜୟ ଭୋଗିଛି। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ଜୋସ ବଟଲରଙ୍କ ୬୭ ରନ ବଳରେ ୬ ଓ୍ଵିକେଟ୍ ହରାଇ ୧୫୮ ରନ କରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ସୂର୍ଯ୍ୟକୁମାର ଯାଦବଙ୍କ ୫୧ ରନ ଏବଂ ତିଳକ ବର୍ମାଙ୍କ ୩୫ ରନ ବଳରେ ୧୯.୨ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।
ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ପକ୍ଷରୁ ଓପନର ଜୋସ୍ ବଟଲରଙ୍କ ଅର୍ଦ୍ଧଶତକ ବଳରେ ଆଇପିଏଲର ୪୪ତମ ମ୍ୟାଚ୍ରେ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୫୮ ରନ କରିଛି। ସିଜିନରେ ପ୍ରଥମ ବିଜୟ ହାସଲ ପାଇଁ ମୁମ୍ବାଇ ସମ୍ମୁଖରେ ୧୫୯ ରନର ବିଜୟ ଲକ୍ଷ୍ୟ ରହିଛି। ରାଜସ୍ଥାନ ପକ୍ଷରୁ ବଟଲର ସର୍ବାଧିକ ୬୭ ରନ କରିଛନ୍ତି। ତାଙ୍କ ବ୍ୟତୀତ ରବିଚନ୍ଦ୍ରନ ଅଶ୍ଵିନ ୨୧, ଡାରିଲ ମିଚେଲ ୧୭, ଅଧିନାୟକ ସଞ୍ଜୁ ସାମସନ ୧୬ ଏବଂ ଦେବଦତ୍ତ ପାଡିକଲ ୧୫ ରନ କରିଛନ୍ତି। ମୁମ୍ବାଇ ପକ୍ଷରୁ ରିଲେ ମେରେଡିଥ ୨୬ ରନ ଦେଇ ୨ଟି ଏବଂ ହ୍ରିତିକ ଶୋକିନ ୪୭ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।
୧୫୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ୨୩ ରନରେ ପ୍ରଥମ ଝଟକା ଲାଗିଥିଲା। ଅଧିନାୟକ ରୋହିତ ଶର୍ମା (୨) ପୁଣି ଥରେ ଦଳକୁ ନିରାଶ କରିଛନ୍ତି। ଇଶାନ କିଷନ ୨୬ ରନ କରି ଆଉଟ୍ ହୋଇଥିଲେ। ୪୧ ସ୍କୋରରେ ଦୁଇ ଓପନରଙ୍କ ପରେ ସୂର୍ଯ୍ୟକୁମାର ଯାଦବ ଏବଂ ତିଳକ ବର୍ମା ଇନିଂସ ସମ୍ଭାଳିଥିଲେ। ଉଭୟ ଧୈର୍ଯ୍ୟର ସହ ବ୍ୟାଟିଂ କରି ତୃତୀୟ ଓ୍ଵିକେଟରେ ୮୧ ରନ ଯୋଡି ଦଳର ବିଜୟ ମାର୍ଗ ପ୍ରଶସ୍ତ କରିଥିଲେ। ସୂର୍ଯ୍ୟକୁମାର ଯାଦବ ପୁଣି ଥରେ ଦମଦାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ଦଳୀୟ ସ୍କୋର ୧୨୨ ରନରେ ସେ ୩୯ ବଲରୁ ୫ ଚୌକା ଏବଂ ୨ ଛକା ସହ ୫୧ ରନ କରିଥିଲେ। ସମାନ ସ୍କୋରରେ ତିଳକ ବର୍ମା ୩୫ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ଟିମ୍ ଡେଭିଡ୍ ଏବଂ କିରଣ ପୋଲାର୍ଡ ଦଳର ବିଜୟ ଔପଚାରିକତା ପୂରଣ କରିଥିଲେ। ତେବେ କିରଣ ପୋଲାର୍ଡ ୧୦ ରନ କରି ଶେଷ ଓଭରରେ ଆଉଟ୍ ହୋଇଥିଲେ। ଡେଭିଡ୍ ୨୦ ରନ କରି ଅପରାଜିତ ଥିଲେ। ଡାନିଏଲ ସାମ୍ସ ବିଜୟ ସୂଚକ ଛକା ମାରିଥିଲେ। ଦଳ ୧୯.୨ ଓଭରରେ ୧୬୧ ରନ କରି ସିଜିନରେ ପ୍ରଥମ ବିଜୟ ହାସଲ କରିଛି। ରାଜସ୍ଥାନ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଧ କୃଷ୍ଣା, ରବିଚନ୍ଦ୍ରନ ଅଶ୍ଵିନ ଏବଂ ୟୁଜବେନ୍ଦ୍ର ଚହଲ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।
