ଟ୍ରାକ୍ଟର ଓ କମ୍ପ୍ରେଶର ମେସିନ ଓଲଟି ଜଣେ ମୃତ
ବାଲିଆପାଳ : ବାଲିଆପାଳ ଥାନା ଅନ୍ତର୍ଗତ ଅସ୍ତୀ ପଞ୍ଚାୟତର ପାଳଚମ୍ପି ଗ୍ରାମରେ ଟ୍ରାକ୍ଟର ଓ କମ୍ପ୍ରେଶର ମେସିନ ଓଲଟି ଶନିବାର ଜଣକର ମୃତ୍ୟୁ ହୋଇଯାଇଛି । ମୃତକ ଜଣକ ହେଲେ ଜଳେଶ୍ୱର ଥାନା ଅଧୀନସ୍ଥ କଶିଦା ଗ୍ରାମର ବାପି ଦାସ (୪୦) ।
ସୂଚନା ମୁତାବକ ପାଳଚମ୍ପି ଗ୍ରାମରେ ନଳକୂପ ଅଚଳ ହୋଇଯାଇଥିବାରୁ ପାଣି ସଙ୍କଟ ଦେଖା ଦେବାରୁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ । ଗ୍ରାମବାସୀଙ୍କ ପାଣି ସଂକଟ ଦୂର କରିବା ପାଇଁ ଟ୍ୟୁବ୍ୱେଲ ଗୁଡ଼ିକୁ କମ୍ପ୍ରେଶର ୱାସ କରି ଫେରୁଥିବା ବେଳେ ଟ୍ରାକ୍ଟର ଓ କମ୍ପ୍ରେଶର ମେସିନ ଓଲଟି ପଡ଼ିବାରୁ ଶ୍ରୀ ଦାସ ଟ୍ରାକ୍ଟର ତଳେ ଚାପି ହୋଇ ଗୁରୁତର ହୋଇଥିଲେ । ଉପସ୍ଥିତ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବାଲିଆପାଳ ଥାନା ଭାରପ୍ରାପ୍ତ ଅଧିକାରୀ ପର୍ଶୁରାମ ସାହୁ ସଦଳ ବଳେ ଘଟଣା ସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛି । ଏନେଇ ବାଲିଆପାଳ ଥାନା ମାମଲା (ନଂ.୧୦୩/୨୨) ରୁଜୁ କରି ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି ।
