ଆହୁରି ୩ ଦିନ ତାତିବ, ମେ ପ୍ରଥମ ସପ୍ତାହରେ କମିବ ତାପମାତ୍ରା
ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମ ଲହର ଜାରି ରହିଛି । ଆହୁରି ୩ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ । ୩ ଦିନ ପରେ ମେ ପହିଲାରେ ତାପମାତ୍ରାରେ ହ୍ରାସ ଘଟିବ ବୋଲି ;ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଅପରପକ୍ଷରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆରସି) ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ କାଳବୈଶାଖୀ ପ୍ରଭାବରେ ହିଟ ୱେଭ୍ ରେ ସାମାନ୍ୟ ବ୍ରେକ୍ ଲାଗିବ । ଆଗାମୀ ୩ ଦିନ ପରେ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ମେ’ ମାସ ୧ରୁ ୨ ତାରିଖରେ ୨ ଡିଗ୍ରୀ ଯାଏଁ ତାପମାତ୍ରା ତଳକୁ ଖସିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଏହାପୂର୍ବରୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ୧୧ଟି ଜିଲାରେ ହିଟ୍ ୱେଭ୍ ନେଇ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି । ଏହି ଜିଲା ଗୁଡ଼ିକ ହେଉଛନ୍ତି- ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂଭଭଞ୍ଜ, ଅନୁଗୋଳ, ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ ଓ ବଲାଙ୍ଗିର । ଏହି ଜିଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଅନ୍ୟପକ୍ଷରେ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଆଧାରରେ ଏସ୍ଆରସି ପକ୍ଷରୁ ଅନୁଗୁଳ, ବୌଦ୍ଧ, ବଲାଙ୍ଗୀର, ଦେବଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଂଜ, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଚିଠି ଲେଖଯାଇଛି । ଏହି ସବୁ ଜିଲାଗୁଡ଼ିକରେ ଆଗାମୀ ୨ ଦିନ ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି କୁହାଯାଇଛି । ଏସ୍ଆରସି ପକ୍ଷରୁ କୁହାଯାଇଛି ଯେ, ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉପରୋକ୍ତ ଜିଲା ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ନେଉ । ତାପମାତ୍ରା ବଢ଼ିବାକୁ ଥିବା ବେଳେ ଶିଶୁ ଓ ବୟସ୍କଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପଡ଼ିବ । ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟାରେ ଲୋକଙ୍କୁ ବାହାରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି । ଆବଶ୍ୟକ ଅନୁସାରେ ପଦକ୍ଷେପ ନେବା ପାଇଁ ଏସ୍ଆରସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
