ମେ ୨୩ରୁ ଏସିଆ କପ ପୁରୁଷ ହକି : ମୁହାଁମୁହିଁ ହେବେ ଚିର ପ୍ରତିଦ୍ଵନ୍ଦ୍ଵୀ ଭାରତ-ପାକିସ୍ତାନ
ନୂଆଦିଲ୍ଲୀ: ପୁଣି ଥରେ ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ଵନ୍ଦ୍ଵୀ ଭାରତ ଓ ପାକିସ୍ତାନ। ମେ ୨୩ ତାରିଖରେ ଏସିଆ କପ ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ଡିଫେଣ୍ଡିଂ ଚାମ୍ପିଅନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି ମୁକାବିଲା ଖେଳାଯିବ। ଟୁର୍ଣ୍ଣାମେଣ୍ଟ ମେ ୨୩ରୁ ଜୁନ ୧ ପର୍ଯ୍ୟନ୍ତ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନର ଶେଷ ମୁକାବିଲାରେ ପରସ୍ପରକୁ ଭେଟିବେ ଭାରତ ଓ ପାକିସ୍ତାନ। ଟୋକିଓ ଅଲିମ୍ପିକର କାଂସ୍ୟ ପଦକ ବିଜେତା ଭାରତୀୟ ଦଳ ପୁଲ ଏରେ ଜାପାନ, ପାକିସ୍ତାନ, ଇଣ୍ଡୋନେସିଆ ସହିତ ରହିଛି। ପୁଲ ବିରେ ମାଲେସିଆ, ଦକ୍ଷିଣ କୋରିଆ, ଓପନା ଏବଂ ବାଂଲାଦେଶ ରହିଛନ୍ତି।
ପାକିସ୍ତାନ ପରେ ଭାରତ ମେ ୨୪ରେ ଜାପାନ ସହ ଖେଳିବ ମେ ୨୬ରେ ଶେଷ ଲିଗ୍ ମୁକାବିଲାରେ ଇଣ୍ଡୋନେସିଆକୁ ଭେଟିବ ଭାରତ। ଟୁର୍ଣ୍ଣାମେଣ୍ଟ ସୁପର ୪ ଫର୍ମାଟରେ ଖେଳାଯିବ। ପ୍ରତି ଗ୍ରୁପରୁ ଶୀର୍ଷ ଦୁଇ ଦଳ ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିବ। ଫାଇନାଲ୍ ମୁକାବିଲା ଜୁନ ୧ରେ ଖେଳାଯିବ। ଭାରତ ଏବଂ ପାକିସ୍ତାନ ତିନି ଥର ଲେଖାଏଁ ଚାମ୍ପିଅନ ହୋଇଥିବା ବେଳେ ଦକ୍ଷିଣ କୋରିଆ ଚାରି ଥର ଚାମ୍ପିଅନ ହୋଇଛି। ଭାରତ ୨୦୦୩ରେ କୁଆଲାଲମ୍ପୁର, ୨୦୦୭ରେ ଚେନ୍ନାଇ ଏବଂ ୨୦୧୭ରେ ଢାକାରେ ଟାଇଟଲ୍ ଜିତିଥିଲା।
