ତାତିରେ ସିଝୁଛି ଓଡ଼ିଶା : ଗ୍ରୀଷ୍ମ ପ୍ରବାହ ପାଇଁ ଆଜି ୧୧ ଜିଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ପ୍ରବଳ ତାତିରେ ଅସ୍ତବ୍ୟସ୍ତ ଓଡ଼ିଶାବାସୀ । ମୁଣ୍ଡଫଟା ଖରା ଓ ଗୁଳୁଗୁଳି ଅସହ୍ୟ ହେଉଛି । ଦିନ ବେଳା ଘରୁ ବାହାରିବା କଷ୍ଟକର ହେଉଛି । ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ କହିଛନ୍ତି ଆଗାମୀ ୩ ଦିନ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତନ ହେବାର ନାହିଁ । ତେବେ ଦିନବେଳା ବାହାରକୁ ବାହାରୁଥିଲେ ସତର୍କତା ମୂଳକ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି ।
ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାୟୀ ଆଜି ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ୧୧ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୧ଟି ଜିଲା ମଧ୍ୟରେ ରହିଛନ୍ତି ମୟୂରଭଞ୍ଜ, କେନ୍ଦୁଝର,ସୁନ୍ଦରଗଡ଼, ଦେବଗଡ,ଝାରସୁଗୁଡ଼ା, ସମ୍ବଲପୁର, ବରଗଡ, ଅନୁଗୁଳ, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର । ଏହି ଗ୍ରୀଷ୍ମ ପ୍ରବାହ ସମୟରେ ଖରାକୁ ନବାହାରି ଛାଇ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଶିଶୁ, ଅସୁସ୍ଥ ଓ ବୃଦ୍ଧ ଲୋକଙ୍କ ପ୍ରତି ଅଧିକ ଯତ୍ନଶୀଳ ହେବା, ଅଧିକ ପାଣି ପିଇବା ସହିତ ଶରୀରକୁ ହାଇଡ୍ରେଟ ରଖିବାକୁ ବି ପାଣିପାଗ ବିଭାଗ ପରାମର୍ଶ ଦେବା ସହିତ ଆଖୁ, ଗ୍ରୀଷ୍ମ ମକା, ଡାଲି ଏବଂ ଅନ୍ୟାନ୍ୟ ଫସଲ ଏବଂ ପନିପରିବାରେ ଜଳସେଚନ କାର୍ଯ୍ୟ ଜାରି ରଖିବାକୁ କୃଷକମାନଙ୍କୁ ପରାମର୍ଶ ଦିଆଯାଇଛି ।
