ଆଇପିଏଲ୍-୨୦୨୨ : ୫ ଉଇକେଟରେ ଜିତିଲା ଗୁଜରାଟ, ହାଇଦ୍ରାବାଦର ବିଜୟ ଯାତ୍ରାରେ ଲାଗିଲା ବ୍ରେକ୍
ମୁମ୍ବାଇ: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଆଇପିଏଲ ୨୦୨୨ର ୪୦ ତମ ମ୍ୟାଚରେ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି । ଚଳିତ ଆଇପିଏଲରେ ଗୁଜରାଟସର ବିଜୟ ଯାତ୍ରା ଅବ୍ୟାହତ ରହିଥିବା ବେଳେ ହାଇଦ୍ରାବାଦର ବିଜୟ ଯାତ୍ରାରେ ବ୍ରେକ୍ ଲାଗିଛି ।
ଋଦ୍ଧିମାନ ଶାହାଙ୍କ ଅର୍ଦ୍ଧଶତକ ପରେ ରାହୁଲ ତେଓ୍ଵତିଆ ଏବଂ ରଶିଦ ଖାନଙ୍କ ଅବିଶ୍ଵସନୀୟ ବ୍ୟାଟିଂ ଦମରେ ଗୁଜରାଟ ଟାଇଟନ୍ସ ରୋମାଞ୍ଚକର ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ୫ ଓ୍ଵିକେଟରେ ପରାସ୍ତ କରିଛି। ରଶିଦ ଖାନ ଶେଷ ବଲରେ ଛକା ମାରି ଦଳକୁ ବିଜୟୀ କରାଇଛନ୍ତି। ଏଥିସହ ସନରାଇଜର୍ସ ହାଇଦ୍ରାବାଦର ବିଜୟ ଯାତ୍ରାରେ ଲାଗିଛି ବ୍ରେକ। ଶେଷ ଓଭରରେ ରଶିଦ ଖାନ ଏବଂ ରାହୁଲ ତେଓ୍ଵତିଆ ୪ ଛକା ସହ ୨୫ ରନ ସଂଗ୍ରହ କରି ଗୁଜରାଟକୁ ଚମତ୍କାର ବିଜୟ ଦେଇଛନ୍ତି। ଏହି ବିଜୟ ସହ ଗୁଜରାଟ ଟାଇଟନ୍ସ ୧୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନିତ ହୋଇଛି। ହାଇଦ୍ରାବାଦ ଅଷ୍ଟମ ମ୍ୟାଚରୁ ତୃତୀୟ ପରାଜୟ ଭୋଗିଛି। ଅଭିଷେକ ଶର୍ମାଙ୍କ ୪୨ ବଲରୁ ୬୫ ଏବଂ ଆଡନ ମାରକ୍ରମ ୪୦ ବଲରୁ ୫୬ ରନ ଜରିଆରେ ହାଇଦ୍ରାବାଦ ୧୯୫ ରନ ପ୍ରଭାବଶାଳୀ ସ୍କୋର କରି ପାରିଥିଲା। ଶଶାଙ୍କ ସିଂହ ୬ ବଲରୁ ୨୫ ରନ କରିଥିଲେ। ଜବାବରେ ଗୁଜରାଟ ଋଦ୍ଧିମାନ ଶାହଙ୍କ ୩୮ ବଲରୁ ୧୧ ଚୌକା ଏବଂ ୧ ଛକା ସହ ୬୮ ରନ ସହ ରାହୁଲ ତେଓ୍ଵତିଆଙ୍କ ଅପରାଜିତ ୨୧ ବଲରୁ ୪୦ ରନ ଏବଂ ରଶିଦ ଖାନଙ୍କ ଅପରାଜିତ ୧୧ ବଲରୁ ୩୧ ରନ ବଳରେ ଗୁଜରାଟ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ପୁଣି ଥରେ ଗୁଜରାଟ ଶେଷ ଓଭରରେ ମ୍ୟାଚ୍ ଜିତିବାରେ ସଫଳ ହୋଇଛି।
ସୂଚନା ଯେ, ଗୁଜୁରାଟ ଟସ ଜିତି ହାଇଦ୍ରାବାଦକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୯୫ ରନ କରିଥିଲା । ଦଳ ପକ୍ଷରୁ ଅଭିଷେକ ଶର୍ମା ସର୍ବାଧିକ ୬୫ ରନ କରିଥିବାବେଳେ ଆଇଡେନ ମାର୍କରାମ ୫୬ ରନ କରିଥିଲେ । ମାତ୍ର ଅଧିନାୟକ କେନ ଓ୍ବିଲିୟମସନ ମାତ୍ର ୫ ରନ କରି ଆଉଟ ହୋଇଥିଲେ । ଶେଷ ଓଭର ଗୁଡିକରେ ଦଳ ଅଳ୍ପ କିଛିରନ ବ୍ୟବଧାନରେ କେତୋଟି ଓ୍ବିକେଟ ହରାଇବା ପରେ ଦଳୀୟ ସ୍କୋର ଧୀମେଇ ଯାଇଥିଲା । ମାତ୍ର ଶଶାଙ୍କ ସିଂ ଶେଷ ଓଭରରେ ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୨୦୦ ନିକଟବର୍ତ୍ତୀ କରିଥିଲେ । ସେ ଶେଷ ଓଭରରେ ହ୍ୟାଟ୍ରିକ ଛକା ମାରି ଦଳୀୟ ସ୍କୋରକୁ ୧୯୫କୁ ପହଞ୍ଚାଇଥିଲେ ।
