ବୟସ୍କଙ୍କ ସ୍ୱାକ୍ଷରତାକୁ ପ୍ରାଥମିକତା ଦେଇ ଏମ୍ଓୟୁ ସ୍ୱାକ୍ଷରିତ
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ଏବଂ ରୋଟାରୀ ଇଣ୍ଡିଆନ୍ ଲିଟ୍ରେସି ମିଶନ୍ ଓ ରୋଟାରୀ ଇଣ୍ଟରନ୍ୟାସନାଲ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷରିତ ହୋଇଚି । ଏଥିରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ରୋଟାରୀ ଇଣ୍ଡିଆ ହ୍ୟୁମାନିଟି ଫାଉଣ୍ଡେସନ୍ର ସିଓଓ ବିଶ୍ୱଜିତ୍ ଘୋଷ, ଡିଷ୍ଟ୍ରିକ୍ଟ ଆର୍ଆଇଡି ଶାନ୍ତନୁ କୁମାର ପାଢ଼ୀ, ଆର୍ଆଇଡିର ଜିଲା ମୁଖ୍ୟ ଉପଦେଷ୍ଟା ରୋଟାରିୟାନ୍ ସୁବ୍ରତ କର, ଫକୀରମୋହନ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ, କୁଳସଚିବ କୁକୁମୀନା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ବୟସ୍କଙ୍କ ସ୍ୱାକ୍ଷରତାକୁ ପ୍ରାଥମିକତା ଦେଇ ଏପରି ବୁଝାମଣା ସ୍ୱାକ୍ଷର କ୍ଷେତ୍ରରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରଥମ ସରକାରୀ ଶିକ୍ଷାନୁଷ୍ଠାନ । ପ୍ରଥମେ ବାଲେଶ୍ୱରର କୌଣସି ଦୁଇଟି ଗ୍ରାମକୁ ଭିତ୍ତି କରି ଏହି ସାକ୍ଷରତା କାର୍ଯ୍ୟକ୍ରମର ଅୟମାରମ୍ଭ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ବାଲେଶ୍ୱର ଓ ଭଦ୍ରକ ଜିଲାରେ ଶିକ୍ଷାର ବିକାଶ ଓ ଉନ୍ନତି ନିମିତ୍ତ ବହୁବିଧ ଯୋଜନା ଓ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପ୍ରସଙ୍ଗରେ ଦସ୍ତାବିଜ୍ ତଥା ବୁଝାମଣା ଜ୍ଞାପନ ହୋଇଥିଲା । ଗୋଟିଏ ସମୃଦ୍ଧ ଓ ସମରାଷ୍ଟ୍ରର ପରିକଳ୍ପନା ତା’ର ଶୈକ୍ଷିକ ବାତାବରଣ ଓ ଗୁଣାତ୍ମକ ଶିକ୍ଷାର ସ୍ଥିତାବସ୍ଥା ଉପରେ ନିର୍ଭରଶୀଳ ହେତୁ ପ୍ରାଥମିକ ସ୍ତରରୁ ବୟସ୍କଙ୍କ ପର୍ଯ୍ୟନ୍ତ ଶିକ୍ଷାର ଗୁରୁତ୍ୱ ଉପବିଧି ଓ ପଦକ୍ଷେପ ଏହି ଦାୟବଦ୍ଧ ସ୍ୱାକ୍ଷରନାମାର ଏକ ମହତ୍ତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ବୋଲି କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ପ୍ରକାଶ କରିଥିଲେ । ଏକବିଂଶ ଶତାବ୍ଦୀରେ ଶିକ୍ଷାପ୍ରତି ବିତସ୍ପୃହତା କଦାପି ପ୍ରଗତିଶୀଳତାର ଲକ୍ଷ୍ୟ ନୁହେଁ । ଯୁଗୀୟ ବୈଶିଷ୍ଟ୍ୟ ଅନୁସାରେ ଏ ଅଞ୍ଚଳରେ ଶିକ୍ଷାର ବିକାଶ ହେଉ ଏହାହିଁ ଲକ୍ଷ୍ୟ ବୋଲି ବିଶ୍ୱଜିତ୍ ଘୋଷ, ଶାନ୍ତନୁ କୁମାର ପାଢ଼ୀ, ସୁବ୍ରତ କର ପ୍ରମୁଖ ମତ ପ୍ରକାଶ କରିଥିଲେ । ବିଶେଷତଃ ବାଲେଶ୍ୱର ଓ ଭଦ୍ରକ ଅନ୍ତର୍ଗତ ଗ୍ରାମୀଣ ଅଞ୍ଚଳମାନଙ୍କରେ ବୟସ୍କଙ୍କ ଭିତରେ ସାକ୍ଷରତାକୁ ନେଇ ଗଠନାତ୍ମକ ମାନସିକତା ତିଆରି କରିବା ଏହି ପଦକ୍ଷେପର ମୂଳଲକ୍ଷ୍ୟ ହେବ ବୋଲି ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ ମତ ଦେଇଥିଲେ । ଆଞ୍ଚଳିକ ମନୁଷ୍ୟ ନିକଟରେ ଥିବା ପରିପକ୍ୱ ଚିନ୍ତନକୁ ସାର୍ବଜନୀନ କରି ପ୍ରକାଶ କରିବା କ୍ଷେତ୍ରରେ ସାକ୍ଷାତକାର ଆବଶ୍ୟକତା ଏକାନ୍ତ ଜରୁରୀ ଏବଂ ବିଶ୍ୱବିଦ୍ୟାଳୟ ଏ ଦିଗରେ ଉଚିତ୍ ପଦକ୍ଷେପ ଗ୍ରହଣ କରିଛି ବୋଲି କୁକୁମୀନା ଦାସ ପ୍ରକାଶ କରିଥିଲେ । ସଂଯୋଜିକା ରାଜଶ୍ରୀ ଦତ୍ତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
