ଶ୍ରୀଜୀଉଙ୍କ ପଇତାଲାଗି ନୀତି ସମ୍ପନ୍ନ
ପୁରୀ : ଶ୍ରୀମନ୍ଦିରରେ ସୋମବାର ଶ୍ରୀଜୀଉ ମାନଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହୋଇଯାଇଛି । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସେଥିପାଇଁ ଜୟ ବିଜୟ ଦ୍ୱାର ଅପରାହ୍ନ ୪ଟା ୫୫ରେ ବନ୍ଦ କରାଯାଇଥିଲା । ଅପରାହ୍ନ ୫ଟାରେ ଦଇତାପତି ସେବକ ମାନେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ପଇତା ଲାଗି ପାଇଁ ଗର୍ଭଗୃହ ମଧ୍ୟକୁ ପ୍ରବେଶ କରିଥିଲେ । ଗତ ରବିବାର ଠାରୁ ପାଟରା ସେବାୟତ ମାନେ ତିନୋଟି ରଙ୍ଗର ପାଟ ପଇତା ମା ମହାଲକ୍ଷ୍ମୀଙ୍କ ଜଗମୋହନରେ ବୋଳିବା ପରେ ସେବାୟତଙ୍କୁ ହସ୍ତାନ୍ତର କରିଥିଲେ । ଆଜି ସେହି ପଇତା ଗୁଡିକ ଦଇତାପତି ସେବାୟତ ମାନେ ଶ୍ରୀଜୀଉମାନଙ୍କ ଶ୍ରୀଅଙ୍ଗରେ ଲାଗି କରିଥିଲେ । ରାତି ପ୍ରାୟ ସାଢ଼େ ୮ଟା ପରେ ଅନ୍ୟାନ୍ୟ ନୀତି ସମ୍ପାଦିତ ହୋଇଥିଲା ।
ଶ୍ରୀମନ୍ଦିର ନୀତି ଓ ପରମ୍ପରା ଅନୁସାରେ ଦଇତାପତି ସେବକ ମାନେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ଏହି ପଇତା ଲାଗି ନୀତି ସମ୍ପନ୍ନ କରିଥିଲେ । ଆଗକୁ ଚନ୍ଦନ ଯାତ୍ରା ଥିବାରୁ ମହାପ୍ରଭୁ ଜଳକ୍ରୀଡ଼ା କରିବେ ।
