ଗାଳ୍ପିକ ଗଙ୍ଗାଧରଙ୍କୁ ବାଲେଶ୍ୱର ସାହିତ୍ୟ ଓ ବ୍ୟଙ୍ଗ କଥାକାର ଅଞ୍ଜନଙ୍କୁ ପ୍ରଜାପତି ସମ୍ମାନ
ବାଲେଶ୍ୱର : ବାଲେଶ୍ୱର ସହର ପାଣିଟାଙ୍କି ସ୍ଥିତ ଏକ ଘରୋଇ ହୋଟେଲ୍ ସମ୍ମିଳନୀ କକ୍ଷରେ ଶିକ୍ଷା ଓ ଜ୍ଞାନର ଦିବ୍ୟଦୃଷ୍ଟି ‘ପ୍ରଜାପତି’ ଅନୁଷ୍ଠାନ ପକ୍ଷରୁ ପ୍ରଜାପତି ସାହିତ୍ୟ ଉତ୍ସବ ଓ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବରିଷ୍ଠ ଗାଳ୍ପିକ ଗଙ୍ଗାଧର ବିଶ୍ୱାଳଙ୍କୁ ‘ବାଲେଶ୍ୱର ସାହିତ୍ୟ ସମ୍ମାନ’ ଓ ବ୍ୟଙ୍ଗ କଥାକାର ଅଞ୍ଜନ ଚାନ୍ଦଙ୍କୁ ‘ପ୍ରଜାପତି ସାହିତ୍ୟ ସମ୍ମାନ’ ତାଙ୍କର ସଫଳ ସୃ୍ଷ୍ଟି ପାଇଁ ପ୍ରଦାନ କରାଯାଇଛି । ସମ୍ମାନ ଗ୍ରହଣ ପୂର୍ବକ ଗାଳ୍ପିକ ଶ୍ରୀ ବିଶ୍ୱାଳ ଲେଖକୀୟ ଜୀବନର ଅନୁଭବ ବଖାଣିବା ସହ ସାହିତ୍ୟ ସ୍ୱୟଂ ହିଁ ସମ୍ପୂର୍ଣ୍ଣ ଓ ସୌନ୍ଦର୍ଯ୍ୟପୂର୍ଣ୍ଣ ଅଭିବ୍ୟକ୍ତି ହେଉଛି ସାହିତ୍ୟ ବୋଲି କହିଥିଲେ । ସେହିପରି ବ୍ୟଙ୍ଗ କଥାକାର ଶ୍ରୀ ଚାନ୍ଦ ଲେଖକର ଭାବ ଗହନ ହେଲେ, ଭାଷା ପ୍ରାଞ୍ଜଳ ଓ ପରିମାର୍ଜିତ ହୁଏ । ସାହିତ୍ୟ ଦ୍ୱାରା ଜୀବନ ବିକାଶିତ ହୋଇଥାଏ ଓ ସମାଜ ସଭ୍ୟ, ସମୃଦ୍ଧ ହୋଇଥାଏ ବୋଲି କହିଥିଲେ ।
ଅନୁଷ୍ଠାନର ପ୍ରତିଷ୍ଠାତା କବି ପ୍ରଶାନ୍ତ ଦାସ ଉତ୍ସବରେ ଅଧ୍ୟକ୍ଷତା କରି ପ୍ରଜାପତି ସାହିତ୍ୟ ସମାରୋହ ଓ ସମ୍ବର୍ଦ୍ଧନା ପର୍ବର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଆବାହକ ବିପ୍ଳବ ଦାସମହାପାତ୍ର ଅତିଥିଙ୍କୁ ମଞ୍ଚ ଆହ୍ୱାନ କରିଥିବା ବେଳେ ଶଶିରଞ୍ଜନ ମଲିକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଅତିଥି ଭାବେ ଅବସରପ୍ରାପ୍ତ ଅବକାରୀ କମିଶନର ତଥା ଆଧ୍ୟାତ୍ମିକ ସାରସ୍ୱତ ସ୍ରଷ୍ଟା ଦେବେନ୍ଦ୍ର ମହାପାତ୍ର ଉତ୍ସବକୁ ଉଦ୍ଘାଟନ କରି ନିଜର ରଚନା ସହିତ ନିଜର ଶ୍ରଦ୍ଧା ଓ ସଦ୍ଭାବ ନ ରହିଲେ ନିଜ ଭାବନା ଦୁର୍ବଳ ହୁଏ ଓ ରଚନା ପାଠକଙ୍କୁ ଆନନ୍ଦ ଦେଇପାରେ ନାହିଁ । ଶ୍ରଦ୍ଧା ଓ ସମ୍ବେଦନଶୀଳତା ଭାବର ପୃଷ୍ଠଭୂମିରେ ଛିଡା ହୋଇଥିବା ସୃଷ୍ଟିଟିଏ ସର୍ବଦା କାଳଜୟୀ ବୋଲି କହିଥିଲେ । ସଂଯୋଜକ ରାଜେଶ ଗିରି, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଜୀବନଜ୍ୟୋତି ସ୍ୱାଇଁ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ସ୍ୱେତାଲିଶା ଶୁଭଦର୍ଶନୀ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ସରସ୍ୱତୀ ଭୋଇ ଓ ପ୍ରତିମା ତ୍ରିପାଠୀ ଲେଖକୀୟ ଅଭିମତ ପ୍ରଦାନ କରିଥିଲେ । ଅମରଜିତ ଦାସ, ପ୍ରାର୍ଥସାରଥି ସାହୁ, ନନ୍ଦିତା ନାୟକ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।
