ନୀଳଗିରିରେ ଅଭାବନୀୟ ଘଟଣା : ବର୍ଜ୍ୟବସ୍ତୁ ଖାଇ ପୁଣି ଏକ ଗୋରୁ ମୃତ
ନୀଳଗିରି : ନୀଳଗିରି ଏନ୍ଏସିର ଦାୟିତ୍ୱହୀନତା ପାଇଁ ଗୋଟିଏ ପରେ ଗୋଟିଏ ଗୋରୁ ଗାଈଙ୍କ ମୃତ୍ୟୁ ହେଉଥିବା ନେଇ ଅଭିଯୋଗ ହୋଇଛି ।
ସୂଚନା ଯେ, ନୀଳଗିରି ଏନ୍ଏସିରେ ପରିବେଶର ସ୍ୱଚ୍ଛତା ଆଣିବା ପାଇଁ ୧୩ ଗୋଟି ୱାର୍ଡ଼ରେ ସଫେଇ କାର୍ଯ୍ୟ କରାଯାଇ ଥାଏ । ପ୍ରତିଦିନ ପ୍ରତି ୱାର୍ଡ଼ରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ସଂଗ୍ରହ କରାଯାଇ ଟ୍ରାକ୍ଟର ଯୋଗେ ଜାମୁଡ଼ିହା ପଞ୍ଚାୟତ ମଲିଆଣି ଗ୍ରାମର ମୋରମ ଖାଦାନ ଠାରେ ପ୍ରଶାସନ ପକ୍ଷରୁ ତିଆରି ହୋଇଥିବା ଗାରବେଜ ମଧ୍ୟରେ ପକାଯାଇଥାଏ । କିନ୍ତୁ ଉକ୍ତ ଗାରବେଜ ଚାରିପାଖରେ ପାଚେରୀ ସମ୍ପୂର୍ଣ୍ଣ ହୋଇ ନଥିବା ବେଳେ ଆଖପାଖ ଗାଁର ଗୋରୁ ଗାଈମାନେ ଖାଦ୍ୟ ଅନ୍ୱେଷଣରେ ଏଠାରେ ପଡ଼ିଥିବା ବର୍ଜ୍ୟବସ୍ତୁ ଖାଇ ମରୁଛନ୍ତି ।
ଶୁକ୍ରବାର ପରମାନନ୍ଦ ଦାସଙ୍କ ଗୋଟିଏ ଗାଈ ବର୍ଜ୍ୟବସ୍ତୁ ଖାଇ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି । କିଛିମାସ ପୂର୍ବରୁ ଉକ୍ତ ଅଞ୍ଚଳରେ ୧୦ରୁ ଉର୍ଦ୍ଧ୍ୱ ଗୋରୁ ବର୍ଜ୍ୟବସ୍ତୁ ଖାଇ ମରିଥିଲେ । ପୁଣି ଆଜିର ମୃତ୍ୟୁ ପରେ ଆଲୋଚନା ଜୋର୍ ଧରିଛିକି ଏନଏସି କର୍ତ୍ତୃପକ୍ଷଙ୍କ ଅଣଦେଖା ପାଇଁ ଗୋରୁ ମୃତ୍ୟୁ ମୁଖରେ ପଡୁଛନ୍ତି । ଏନେଇ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିବା ସହ ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ନଦେଲେ ଆନ୍ଦୋଳନର ସାହାରା ନେବେ ବୋଲି ଚେତାବନୀ ଦେଇଛନ୍ତି ।
