ଡ୍ରାଇଭର ମହାସଂଘର ବିଶାଳ ସମାବେଶ, ରାଜଧାନୀରେ ଟ୍ରାଫିକ୍ ସମସ୍ୟା
୩ ମାସରେ ଡ୍ରାଇଭରମାନଙ୍କ ଦାବି ପୂରଣ ନେଇ ଉଦ୍ୟମ କରାଯିବ : ମନ୍ତ୍ରୀ
ଦାବି ପୂରଣ ନହେଲେ ପୁଣି ଆନ୍ଦୋଳନ : ମହାସଂଘ
ଭୁବନେଶ୍ୱର : ଆଗାମୀ ୩ ମାସ ମଧ୍ୟରେ ଡ୍ରାଇଭର ମାନଙ୍କ ଦାବି ପୂରଣ ନେଇ ଉଦ୍ୟମ କରାଯିବ । ଡ୍ରାଇଭର ମହାସଂଘର ଦାବି ସଂକ୍ରାନ୍ତରେ ପରିବହନ ଓ ଶ୍ରମ ବିଭାଗ ଅଧୀନରେ ଏକ କମିଟି ଗଠନ କରାଯିବ । ଏହି କମିଟି ବିଭିନ୍ନ ରାଜ୍ୟ ଗସ୍ତ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରକାଶ କରିଛନ୍ତି । ଡ୍ରାଇଭର ମହାସଂଘର କର୍ମକର୍ତାଙ୍କ ସହ ଆଲୋଚନା ପରେ ମନ୍ତ୍ରୀ ଏହା କହିଛନ୍ତି । ଡ୍ରାଇଭର ମହାସଂଘକୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ କୁହାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେନ୍ଦୁଲି କହିଛନ୍ତି ସରକାରଙ୍କ ସହ ଆଲୋଚନା ସଫଳ ହୋଇଛି । ଆନ୍ଦୋଳନ ପ୍ରତ୍ୟାହାର କରୁଛୁ । ୩ ମାସ ମଧ୍ୟରେ ଦାବି ପୂରଣ ନ ହେଲେ ପୁଣି ଆନ୍ଦୋଳନ ଡାକରା ଦିଆଯିବ ବୋଲି ସେ କହିଛନ୍ତି । ତେବେ ମହାସଂଘର ସମ୍ପାଦକ ଚୈତନ୍ୟ ପ୍ରଧାନ କହିଛନ୍ତି ଆଜି ପାଇଁ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି । କାଲିଠୁ ଷ୍ଟିଅରିଂ ଛାଡ୍ ଆନ୍ଦୋଳନ କରିବୁ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ସେ କହିଛନ୍ତି । ୧୦ ଦଫା ଦାବି ନେଇ ସୋମବାର ରାଜରାସ୍ତାକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ । ସୋମବାର ଭୋରରୁ ରାଜ୍ୟର ବିଭିନ୍ନ ଅଂଚଳରୁ ହଜାର ହଜାର ସଂଖ୍ୟାରେ ଡ୍ରାଇଭର ଆସି ଭୁବନେଶ୍ୱରରେ ପହଂଚିବା ପରେ ମାଷ୍ଟରକ୍ୟାଂଟିନ୍ ଛକରେ ଏକତ୍ରିତ ହୋଇଥିଲେ । ଫଳରେ ଭୁବନେଶ୍ୱରର ରାସ୍ତାଘାଟଗୁଡ଼ିକ ଜାମ୍ ହୋଇଯାଇଥିଲା । ରସୁଲଗଡ଼, ବାଣୀବିହାର, ରାଜମହଲ , ଆଚାର୍ଯ୍ୟ ବିହାର, ଜୟଦେବ ବିହାର ଆଦି ଛକରେ ଟ୍ରାଫିକ୍ ସମସ୍ୟା ଦେଖାଦେଇଥିଲା । ପାଖାପାଖି ୫ ଘଂଟା ଧରି ସମସ୍ୟା ଲାଗି ରହିଥିଲା । କେବଳ ଜାତୀୟ ରାଜପଥ ନୁହେଁ ଗଳିକନ୍ଦି ରାସ୍ତାକୁ ମଧ୍ୟ ଅବରୋଧ କରିଥିଲେ ଆନ୍ଦୋଳନକାରୀ । ଆବଶ୍ୟକ କାମରେ ଘରୁ ବାହାରୁଥିବା ଲୋକେ ଟ୍ରାଫିକ୍ ଜାମ୍ ରେ ଫଶି ରହିଥିଲେ । ଏଥିରୁ ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ମଧ୍ୟ ବର୍ତି ନଥିଲା । ଆନ୍ଦୋଳନକାରୀଙ୍କ ସଂଖ୍ୟା ଦେଖି ପୋଲିସ୍ ର ଅକଲ ମଧ୍ୟ ଗୁଡୁମ୍ ହେଇଯାଇଥିଲା । ଗାଡି ଚଳାଚଳ ସ୍ୱାଭାବିକ କରିବା କାଠିକର ପାଠ ହୋଇଥିଲା ।
ପରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ଡ୍ରାଇଭର ମହାସଂଘର କର୍ମକର୍ତାମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇ ରାଜ୍ୟର ଘରୋଇ ଡ୍ରାଇଭର ମାନଙ୍କର ବିଭିନ୍ନ ପ୍ରକାର ସମସ୍ୟାକୁ ସମାଧାନ କରିବା ପାଇଁ ଆଲୋଚନା କରାଯାଇଥିଲା । ପଡ଼ୋଶୀ ରାଜ୍ୟମାନଙ୍କରେ ଘରୋଇ ଡ୍ରାଇଭରମାନଙ୍କୁ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ସୁବିଧାସୁଯୋଗ ଅନୁସାରେ ଆମ ରାଜ୍ୟରେ ତାହା କାର୍ଯ୍ୟକ୍ଷମ କରିବାକୁ ବୈଠକରେ ନିଷ୍ପତି ହୋଇଛି । ଆସନ୍ତା ତିନିମାସ ମଧ୍ୟରେ ଏସବୁଗୁଡ଼ିକୁ ଅନୁଧ୍ୟାନ କରାଯାଇ ଘରୋଇ ଡ୍ରାଇଭରମାନଙ୍କ ଦାବି ପୂରଣ କରାଯିବ ବୋଲି ବୈଠକ ପରେ ମନ୍ତ୍ରୀ ଶ୍ରୀ ବେହେରା ସାମ୍ବାଦିକମନଙ୍କୁ ସୂଚନା ଦେଇଛନ୍ତି । ଘରୋଇ ଡ୍ରାଇଭରମାନଙ୍କୁ କାର୍ଯ୍ୟସ୍ଥଳରେ ଯେପରି କୌଣସି ପ୍ରକାରର ହଇରାଣ କିମ୍ବା କୌଣସି ପ୍ରକାରର ଅସୁବିଧା ନହୁଏ ସେଥିପ୍ରତି ସଜାଗ ରହିବା ପାଇଁ ପୋଲିସ ପ୍ରଶାସନ ତରଫରୁ ରାଜ୍ୟର ସମସ୍ତ ଆରକ୍ଷୀ ଅଧୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଘରୋଇ ଡ୍ରାଇଭର ମାନଙ୍କର ନୂତନ ଡ୍ରାଇଭିଙ୍ଗ ଲାଇସେନ୍ସ ପ୍ରାପ୍ତି କିମ୍ବା ଲାଇସେନ୍ସ ରିନ୍ୟୁ କରିବା କାର୍ଯ୍ୟ ନେଇ ପରିବହନ ବିଭାଗ କାର୍ଯ୍ୟାଳୟକୁ ଗଲେ, ସେମାନଙ୍କୁ ପୂର୍ଣ୍ଣ ସହଯୋଗ ସହ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବା ନିମନ୍ତେ ରାଜ୍ୟର ସମସ୍ତ ପରିବହନ ଅଧିକାରୀ (ଆରଟିଓ)ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।
ଏହାସହିତ ଘରୋଇ ଡ୍ରାଇଭରମାନଙ୍କ ଦାବିଗୁଡ଼ିକୁ ରାଜ୍ୟ ସରକାର ଅନୁଧ୍ୟାନ କରି ପୂରଣ କରିବା ନିମନ୍ତେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବେ । ଏହି କମିଟିରେ ୪ଟି ବିଭାଗ ଯଥା- ସ୍ୱରାଷ୍ଟ୍ର, ଅର୍ଥ, ପରିବହନ ଓ ଶ୍ରମ ବିଭାଗର ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ରହିବେ । ଘରୋଇ ଡ୍ରାଇଭରମାନଙ୍କ ପାଇଁ ଅନ୍ୟ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସୁବିଧାସୁଯୋଗଗୁଡ଼ିକୁ କମିଟି ଅନୁଧ୍ୟାନ କରି ଆମ ରାଜ୍ୟରେ ଏହାକୁ ଆସନ୍ତା ତିନିମାସ ମଧ୍ୟରେ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରମ, କର୍ମଚାରୀ ରାଜ୍ୟବୀମା ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ।
ଏହି ଉଚ୍ଚସ୍ତରୀୟ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଟକ ମେୟର ସୁବାସ ସିଂହ, ଏଡିଜି (ଆଇନଶୃଙ୍ଖଳା) ଆର.କେ. ଶର୍ମା, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ୍, ପରିବହନ କମିଶନର ଅରୁଣ ବୋଥ୍ରା, ଶ୍ରମ କମିଶନର ଏନ୍. ତିରୁମାଳା ନାୟକ, ଅତିରିକ୍ତ ଶ୍ରମ କମିଶନର ଏନ୍. ମିଶାଲ ଓ ଡିଏଲ୍ସି ବି. ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଉଲ୍ଲେଖଯୋଗ୍ୟ ଯେ ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଓ ଦୁର୍ଘଟଣାରେ ମୃତ ଡ୍ରାଇଭରଙ୍କୁ ୨୦ ଲକ୍ଷ, ଆହତ ଡ୍ରାଇଭରଙ୍କୁ ୧୦ ଲକ୍ଷ ବୀମାରାଶି, ୫୫ ବର୍ଷ ପରେ ପେନସନ ଦେବାକୁ ବି ଦାବି ହୋଇଛି । ଏଥିସହ ଡ୍ରାଇଭର ଆବାସ ଯୋଜନାରେ ଗୃହନିର୍ମାଣ, ଡ୍ରାଇଭରଙ୍କ ପିଲାମାନଙ୍କୁ ଉଚ୍ଚଶିକ୍ଷା ଲାଗି ବ୍ୟବସ୍ଥା କରାଯିବାକୁ ମଧ୍ୟ ସଂଘ ଦାବି କରିଛି ।
