ଆଶିଷ ମିଶ୍ରାଙ୍କ ବେଲ ଖାରଜ ଆବେଦନର ଆଜି ପ୍ରକାଶ ପାଇବ ରାୟ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଲକ୍ଷୀମପୁର ଖେରୀ ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ବେଲ ଖାରଜ ଆବେଦନର ଆଜି ରାୟ ପ୍ରକାଶ କରିବେ ସୁପ୍ରିମକୋର୍ଟ । ଆଶିଷଙ୍କୁ ବେଲ ମିଳିବା ପରେ ତଦନ୍ତ ପ୍ରଭାବିତ ହେବା ନେଇ ଆଶଙ୍କା ବଢିବା ସହ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରି ଜାମିନ ଖାରଜ ପାଇଁ ଆବେଦନ କରିଥିଲେ ମୃତ ଚାଷୀଙ୍କ ପରିବାର ।
ଲକ୍ଷୀମପୁର ଖେରୀରେ କୃଷକ ଆନ୍ଦୋଳନ ଜାରି ରହିଥିବାବେଳେ ଆନ୍ଦୋଳନରତ କୃଷକଙ୍କ ଉପରେ ଆଶିଷ ମିଶ୍ରା ଗାଡି ଚଢାଇ ଦେଇଥିବା ଅଭିଯୋଗ ହୋଇଥିଲା । ପୋଲିସ ତଦନ୍ତରେ ମଧ୍ୟ ଆଶିଷ ଗାଡିରେ ଥିବା ନେଇ ପ୍ରମାଣ ମିଳିବା ପରେ ତାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରାଯାଇଥିଲା । ଏହି ଘଟଣାରେ ଚାଷୀଙ୍କ ସମେତ ମୋଟ ୮ଜଣ ପ୍ରାଣ ହରାଇଥିବାବେଳେ ଏକାଧିକ ଆହତ ମଧ୍ୟ ହୋଇଥିଲେ । ଘଟଣାର ତଦନ୍ତ ଏସଆଇଟି ଜାରି ରଖିଥିବାବେଳେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ବେଲ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା । ଯାହାକୁ ନେଇ ମୃତ କୃଷକଙ୍କ ପରିବାର ଲୋକେ ଆପତ୍ତି ଉଠାଇ କୋର୍ଟର ଦ୍ବାରସ୍ଥ ହୋଇଥିଲା । ଏହି ବେଲ ଖାରଜ ଆବେଦନର ଶୁଣାଣି ଶେଷ ହୋଇସାରିଥିବା ବେଳେ ରାୟ ସଂରକ୍ଷିତ ଥିଲା । ଯାହା ଆଜି ସୁପ୍ରିମକୋର୍ଟ ପ୍ରକାଶ କରିବାକୁ ଯାଉଛନ୍ତି ।
