ଜୁନ ୧୯ ଓ ୨୬ରେ ସମବାୟ ସମିତି ନିର୍ବାଚନ, ରହିବନି ଦଳୀୟ ଚିହ୍ନ
ଭୁବନେଶ୍ୱର : ଆସନ୍ତା ଜୁନ ମାସ ୧୯ ଓ ୨୬ ତାରିଖରେ ୭୦୭୬ ପ୍ରାଥମିକ ସମବାୟ ସମିତି ପାଇଁ ନିର୍ବାଚନ ହେବ। ଏଥିରୁ ୧୫ ଜଣ ନିର୍ଦେଶକ ଲେଖାଏଁ ନିର୍ବାଚିତ ହୋଇ ୧୩୨ଟି ସେଣ୍ଟ୍ରାଲ ସମବାୟ ସମିତିକୁ ଯିବେ। ପୁଣି ସେଥିରୁ ୧୫ ଜଣ ଲେଖାଏଁ ନିର୍ଦ୍ଦେଶକ ଆପେକ୍ସ ବଡିକୁ ଯାଇ ୨୧ ଜଣ ନିର୍ଦ୍ଦେଶକ ନିର୍ବାଚିତ କରିବେ । ପ୍ରାଥମିକ ସମବାୟ ସମିତି ନିର୍ବାଚନର ତିନି ମାସ ପରେ ସେଣ୍ଟ୍ରାଲ ସମବାୟ ସମିତି ନିର୍ବାଚନ ଓ ତା ୩ ମାସ ପରେ ଆପେକ୍ସ ବଡି ନିର୍ବାଚନ ହେବ। ପ୍ରାଥମିକ, ସେଣ୍ଟ୍ରାଲ ଓ ଆପେକ୍ସକୁ ମିଶାଇ ରାଜ୍ୟରେ ସମୁଦାୟ ୭୨୨୯ ସମବାୟ ସମିତି ଅଛି । ଯେଉଁଥିରେ ରାଜ୍ୟ ସରକାରଙ୍କ ୫ଟି ବିଭାଗ ରହିଛି ।
ଏଥିରେ ସମବାୟର ୪୧୫୨, ହସ୍ତତନ୍ତ ଓ ବୟନଶିଳ୍ପର ୮୦୩, ମତ୍ସ୍ୟ ସମ୍ପଦର ୧୯୧୨, ଏମଏସଏମଇର ୨୦୮ ଓ ଆୟୁଷର ଗୋଟିଏ ସମବାୟ ସମିତି ଅଛି। ଏ ଯାଏ ୩୦,୯୦,୧୦୫ ଚାଷୀ ଭୋଟର ଅଛନ୍ତି। କିଛିଙ୍କ ଭୋଟର ଲିଷ୍ଟ ଅପଡେଟ ନଥିବାରୁ କଟିବ। ଆସନ୍ତା ଦୁଇ ମାସ ଭିତରେ ୩୮୯୨ ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତି ଦେଇ ଟ୍ରେନିଂ ଦେବେ ଜିଲ୍ଲା ସମବାୟ ନିର୍ବାଚନ ଅଧିକାରୀ। ଏହି ନିର୍ବାଚନ ଅଧିକାରୀମାନେ ସମବାୟ ସମିତିସ୍ତରରେ ବିଜ୍ଞପ୍ତି ପ୍ରକାଶ କରିବେ। ନୋଟିସକୁ ପ୍ରଚାର ପ୍ରସାର ପାଇଁ ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ ଲଗାଯିବ। ସେମାନେ ନୂଆ ଭୋଟର ତଥ୍ୟ ମାଗିବାଠାରୁ ଆରମ୍ଭ କରି ନିର୍ବାଚନର ସମସ୍ତ କାର୍ଯ୍ୟ ସମ୍ପାଦନ କରିବେ । ନିର୍ବାଚନରେ ଦଳୀୟ ଚିହ୍ନ ରହିବ ନାହିଁ । ଶେଷରେ ୧୫ ଦିନ ପରେ ସମବାୟ ସମିତିର ସଭାପତି ଓ ଉପସଭାପତି ପାଇଁ ନିର୍ବାଚନ ହେବ ।
