ରାଜ୍ୟରେ ସକାଳୁଆ ସ୍କୁଲ ଆରମ୍ଭ
ଭୁବନେଶ୍ୱର : ଗ୍ରୀଷ୍ମପ୍ରବାହକୁ ନଜର ରଖି ଶନିବାରଠୁ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ । ପ୍ରଥମ ଶ୍ର୍ରେଣୀରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ସକାଳ ୬.୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ସ୍କୁଲ ଯାଇଥିଲେ । ସେହିପରି ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସକାଳ ୭ଟାରୁ୧୧.୩୦ ସ୍କୁଲ ଯାଇଛନ୍ତି । ସ୍କୁଲ ଛୁଟି ପରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇଛି ।
ସାରା ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ବହୁ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି ।ଏହାକୁ ଆଖିରେ ରଖି ସ୍କୁଲ ପିଲାଙ୍କ ସମୟ ପରିବର୍ତନ ହୋଇଛି । ସକାଳ ୬.୩୦ ରୁ ୧୦.୩୦ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ କ୍ଳାସ ହେଉଥିବାବେଳେ ସକାଳ ୭ ରୁ ୧୧.୩୦ ରହିଛି ନବମରୁ ଦ୍ୱାଦଶ ପିଲାଙ୍କ ସ୍କୁଲ ସମୟ । ପିଲାମାନେ ଆସିବା ବେଳେ ସାଙ୍ଗରେ ପାଣି ବୋତଲ ଓ ଛତା ନେଇ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ସ୍କୁଲରେ ପର୍ଯ୍ୟାପ୍ତ ପାଣିର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛି ଗଣଶିକ୍ଷା ବିଭାଗ । ପାଠପଢ଼ା ସାଙ୍ଗକୁ ଖରା ଦାଉରୁ କିଭଳି ରକ୍ଷା ପାଇବେ ଅଂଶୁଘାତ କ\’ଣ ଓ ଏହାର ପ୍ରତିକାର କିଭଳି ହୋଇପାରିବ ସେ ନେଇ ଶିକ୍ଷକମାନେ ଅବଗତ କରାଉଛନ୍ତି ଛାତ୍ରଛାତ୍ରୀଙ୍କୁ । ସେପଟେ ଦୁଇବର୍ଷ ପରେ ସ୍କୁଲରେ ପୁଣି ଆରମ୍ଭ ହୋଇଛି ମଧ୍ୟାହ୍ନ ଭୋଜନ ପ୍ରକ୍ରିୟା । ପିଲାମାନେ ପୁଣି ସ୍କୁଲରେ ବସି ପୂର୍ବ ଭଳି ରନ୍ଧା ଖାଦ୍ୟ ଖାଇଛନ୍ତି । କରୋନା ପରେ ସ୍ଥିତି ସ୍ୱାଭାବିକ ହେବା ନେଇ ଉତ୍ସାହିତ ଛାତ୍ରଛାତ୍ରୀ ।
