୧୦ ଦିନରେ ୯ ଥର ! ଆଜି ପେଟ୍ରୋଲ୍ ଓ ଡିଜେଲ୍ ଲିଟର୍ ପିଛା ୮୦ ପଇସା ବୃଦ୍ଧି
ନୂଆଦିଲ୍ଲୀ : ଲଗାତର ବଢିଚାଲିଛି ତେଲ ଦର । ଲଗାତାର ୧୩୭ ଦିନ ଧରି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିବା ପରେ ପୁଣି ମାର୍ଚ୍ଚ ୨୨ ତାରିଖରୁ ମୂଲ୍ୟବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ । ଗତ ୧୦ ଦିନରେ ନବମ ଥର ପାଇଁ ବଢ଼ିଛି ତୈଳ ଦର । ଆଜି ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି । ସେହିପରି ଭୁବନେଶ୍ୱରରେ ପେଟ୍ରୋଲରେ ୮୬ ପଇସା ଓ ଡିଜେଲରେ ୮୫ ପଇସା ବୃଦ୍ଧି ପାଇଛି । ଫଳରେ ଏହି ୯ ଦିନ ମଧ୍ୟରେ ଲିଟରପିଛା ଡିଜେଲ ଓ ପେଟ୍ରୋଲ ଦର ୮ ଟଙ୍କା ପାଖାପାଖି ବଢିଛି ।
ଆଜି ସକାଳ ୭ଟା ୩୩ରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ବରର ‘ହାଇୱେ ଡିଜେଲ୍ ସେଣ୍ଟର୍’ରେ ପେଟ୍ରୋଲ୍ ୮୬ ପଇସା ଓ ଡିଜେଲ୍ ୮୫ପଇସା ବୃଦ୍ଧି ପାଇ ଲିଟର୍ପିଛା ଯଥାକ୍ରମେ ଟ. ୧୦୮.୬୫ ଓ ଟ. ୯୮.୪୨ ରେ ବିକ୍ରୟ ହେଉଛି ବୋଲି ‘ଇଣ୍ଡିଆନ୍ ଅଏଲ୍’ ସୂଚନା ଦେଇଛି। ଆଜି ସକାଳ ୬ଟା ବେଳଠାରୁ ଦିଲ୍ଲୀରେ ପେଟ୍ରୋଲ୍ ଲିଟର୍ପିଛା ଟ. ୧୦୧.୮୧ ଏବଂ ଡିଜେଲ୍ ଲିଟର୍ପିଛା ଟ. ୯୩.୦୭ରେ ବିକ୍ରୟ ହେଉଛି। ମୁମ୍ବାଇରେ ପେଟ୍ରୋଲ୍ ଲିଟର୍ପିଛା ୮୪ ପଇସା ବୃଦ୍ଧି ପାଇ ଟ. ୧୧୬.୭୨ ଏବଂ ଡିଜେଲ୍ ମଧ୍ୟ ଲିଟର୍ପିଛା ୮୪ ପଇସା ବୃଦ୍ଧି ପାଇ ଟ. ୧୦୦.୯୪ରେ ବିକ୍ରୟ ହେଉଛି। ସେହିପରି, ଚେନ୍ନାଇରେ ୭୬ ପଇସା ବୃଦ୍ଧି ପାଇ ପେଟ୍ରୋଲ୍ ଲିଟର୍ପିଛା ଟ. ୧୦୭.୪୫ ଏବଂ ଡିଜେଲ୍ ଲିଟର୍ପିଛା ଟ. ୯୭.୫୨ ବିକ୍ରୟ ହେଉଛି। କୋଲ୍କାତାରେ ପେଟ୍ରୋଲ୍ ଲିଟର୍ପିଛା ଦର ଟ. ୧୧୧.୩୫ ଥିବା ବେଳେ ଡିଜେଲ୍ ଲିଟର୍ପିଛା ଦର ଟ. ୯୬.୨୨ରେ ବିକ୍ରି ହେଉଛି। ସାଢ଼େ ୪ ମାସ ଅପରିବର୍ତ୍ତିତ ରହିବାପରେ ମାର୍ଚ ୨୨ ଠାରୁ ଇନ୍ଧନ ଦର ବୃଦ୍ଧି ପାଇବାରେ ଲାଗିଛି। ଆଜି ହେଉଛି ଇନ୍ଧନ ଦରର ୮ମ ବୃଦ୍ଧି। ସେହି ହିସାବରେ ମୋଟାମୋଟି ପେଟ୍ରୋଲ୍ ଓ ଡିଜେଲ୍ ଦର ଟ. ୬.୪୦ ବୃଦ୍ଧି ପାଇଲାଣି। ପ୍ରଥମ ୪ଥରରେ ପେଟ୍ରୋଲ୍ ଏବଂ ଡିଜେଲ୍ ଦର ୮୦ ପଇସା ବୃଦ୍ଧି ପାଇଥିଲା। ତା’ପରେ ପେଟ୍ରୋଲ୍ ୫୦ ପଇସା ଓ ଡିଜେଲ୍ ୩୦ ପଇସା ବୃଦ୍ଧି ପାଇଥିଲା। ପରବର୍ତ୍ତି ସମୟରେ ଡିଜେଲ୍ ୫୫ ପଇସା ଏବଂ ପେଟ୍ରୋଲ୍ ୩୫ ପଇସା ବୃଦ୍ଧି ହେଲା। ପରେ ମଙ୍ଗଳବାର ଦିନ ପେଟ୍ରୋଲ୍ ଦର ଲିଟର୍ପିଛା ୮୦ ପଇସା ଏବଂ ଡିଜେଲ୍ ୭୦ ପଇସା ବୃଦ୍ଧି ପାଇଥିଲା। ବୁଧବାର ଦିନ ମଧ୍ୟ ଉଭୟ ଇନ୍ଧନ ଦର ୮୦ ପଇସା ବୃଦ୍ଧି ପାଇଥିଲା।
