ଉଦ୍ଘାଟିତ ହେଲା ବାବା ଭୁଜାଖିଆ ପୀରଙ୍କ ୭୮ ତମ ବାର୍ଷିକ ଉର୍ସ ଉତ୍ସବ
ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟ ଲୋକ ଆସ୍ଥାନରେ ଚଢ଼ାଇଲେ ଚାଦର
ବାଲେଶ୍ୱର : ବାଲେଶ୍ୱର ଜିଲାର ଭାଇଚାରାର ପ୍ରତୀକ ସହରର ସୁନହଟ ସ୍ଥିତ ‘ବାବା ଭୁଜାଖିଆ ପୀର’ଙ୍କ ୩ ଦିନିଆ ୭୮ ତମ ବାର୍ଷିକ ଉତ୍ସବ ‘ଉର୍ସ’ ଭାବାବେଗମୟ ପରିବେଶ ମଧ୍ୟରେ ଆଜି ଉଦ୍ଘାଟିତ ହୋଇଯାଇଛି । ପ୍ରତିବର୍ଷ ମାର୍ଚ୍ଚମାସ ଶେଷ ବୁଧବାର, ଗୁରୁବାର, ଶୁକ୍ରବାର ତିନିଦିନ ଧରି ବାବାଙ୍କ ଏହି ପୀଠରେ ବାର୍ଷିକ ଉତ୍ସବ ପାଳିତ ହୋଇଥାଏ । ରାଜ୍ୟ ତଥା ରାଜ୍ୟ ବାହାରୁ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ହଜାର ହଜାର ଶ୍ରଦ୍ଧାଳୁ ନିଷ୍ଠାର ସହ ପୀରବାବାଙ୍କୁ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି ।
ଆସନ୍ତା ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ତିନିଦିନ ବାବାଙ୍କ ଉର୍ସ ଉତ୍ସବ ପାଳନ ହେଉଥିବା ବେଳେ ଉତ୍ସବର ପ୍ରଥମ ଦିନରେ ଗୋସାଲ, କୋରାନ୍ ପାଠ, ମିଲାତ ସରିଫ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସକାଳୁ ସ୍ଥାନୀୟ ପରମିଟ ଘାଟରୁ ପାଣି ଆଣାଯାଇ ବାବାଙ୍କ ଆସ୍ଥାନକୁ ପବିତ୍ର କରାଯିବା ପରେ ଚାଦର ଚଢାଯିବା ସହ ସାମୂହିକ କୋରାନ୍ ପାଠ କରାଯାଇଥିଲା । ବିହାରର ଅମଜେର ସରିଫର ଧର୍ମଗୁରୁ ହଜରତ ସୟେଦ ଜମାଲୁଦ୍ଦିନ ଆବେଦୁଲ କ୍ୱାଦ୍ରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗୋସାଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ଭକ୍ତମାନେ ଦିବସବ୍ୟାପୀ ବାବାଙ୍କୁ ଦର୍ଶନ କରି ଚାଦର ଚଢାଇଥିଲେ । ତେବେ ଜନଗହଳି ନିୟନ୍ତ୍ରଣ ଏବଂ ଶାନ୍ତିଶଙ୍ଖଳା ରକ୍ଷା ପାଇଁ ପୀରବାବା ଶାନ୍ତି କମିଟି ଓ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଜଣେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ୩ଜଣ ଡିଏସପି, ୩ଜଣ ଇନ୍ସପେକ୍ଟର, ୨୬ଜଣ ସବ୍-ଇନ୍ସପେକ୍ଟର ଓ ଆସିଷ୍ଟାଂଟ ସବ୍-ଇନ୍ସପେକ୍ଟର ଏବଂ ୧୩ ସେକ୍ସନ ପୋଲିସ ଫୋର୍ସ ସହ କନେଷ୍ଟବଳ ଓ ହୋମଗାର୍ଡଙ୍କୁ ମୁତୟନ କରାଯାଇଛି ବୋଲି ଜିଲ୍ଲା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହିତ ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରଯାଇଥିବା କୁହାଯାଇଛି ।
ଉଭୟ ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟର ଲୋକମାନେ ବାବାଙ୍କ ବାର୍ଷିକ ଉତ୍ସବରେ ଯୋଗ ଦେଇ ପ୍ରାର୍ଥନା କରିବା ସହ ଭୋଗ ଲଗାଇ ଥାଆନ୍ତି । ବିଶେଷ କରି ପୀଠରେ ଲଡୁ, ଗଜା, କୋରା,ଖଜା ଇତ୍ୟାଦି ଶୁଖିଲା ମିଷ୍ଠାନ୍ନ ଭୋଗ ସ୍ୱରୁପ ଲଗାଯିବାର ବିଦ୍ଧି ମଧ୍ୟ ରହିଛି । ବହୁ ଭକ୍ତ ଏହି ପୀଠକୁ ଆସିବା ପରେ ସେମାନଙ୍କର ମାନସିକ ପୁରା ହୋଇଥିବାର କହିଛନ୍ତି । ବାବାଙ୍କ ପ୍ରତି ମନରେ ଦୃଢ ବିଶ୍ୱାସ ଥିବାରୁ ପ୍ରତ୍ୟେକ ବର୍ଷ ଉର୍ସ ଉତ୍ସବ ପାଳନ ପାଇଁ ଭକ୍ତମାନେ ଏଠାକୁ ଆସିଥାନ୍ତି ବୋଲି ସେମାନେ କହିଛନ୍ତି । ଭୁଜାଖିଆ ପୀରବାବାଙ୍କ ଅସଲ ନାଁ ହେଉଛି ହଜରତ ଶ୍ୱାଲେହ ମହମ୍ମଦ । ଲୋକମାନେ ବାବାଙ୍କୁ ଭେଟି ନିଜ ନିଜର ବିଭିନ୍ନ ସମସ୍ୟାର ସମାଧାନର ଦିଗ ତାଙ୍କ ଠାରୁ ପାଇପାରୁଥିଲେ । ଶ୍ରଦ୍ଧାରେ ସମସ୍ତେ ବାବାଙ୍କୁ ଭୁଜା ଦେଉଥିଲେ । ବାବାଙ୍କର ମୁଖ୍ୟ ଖାଦ୍ୟ ଭୁଜା ଥିଲା । ପରବର୍ତି ସମୟରେ ବାବାଙ୍କର ପରିଚୟ ପରିବର୍ତନ ହୋଇ ଭୁଜାଖିଆ ପିର ବାବା ହୋଇଥିବାର ଶୁଣିବାକୁ ମିଳେ । ବାବାଙ୍କ ତିରୋଧାନ ପରେ ସେହି ସ୍ଥାନରେ ତାଙ୍କର ସମାଧି ନିର୍ମାଣ କରାଯାଇଥିଲା । ତେବେ ଭାଇଚାରାର ନିଦର୍ଶନ ପାଲଟିଥିବା ବାବା ଭୁଜାଖିଆ ପୀରଙ୍କ ପୀଠରେ ଉଭୟ ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟର ଲୋକମାନଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ବାବାଙ୍କ ପୀଠକୁ ଆସିଲେ ମନୋସ୍କାମନା ପୂରଣ ହୁଏ ବୋଲି ସମସ୍ତଙ୍କର ଅଗାଧ ବିଶ୍ୱାସ ରହିଛି । ମନୋବାଂଛା ପୂରଣ ହେଲେ ବାବାଙ୍କ ଆସ୍ତାନରେ ଚାଦର ଚଢ଼ାଇବାକୁ ଆସି ଥାଆନ୍ତି ବୋଲି ଶୁଣିବାକୁ ମିଳେ । ଅନ୍ୟପକ୍ଷରେ ଉର୍ସ ଉତ୍ସବର ଶେଷ ଦୁଇ ଦିନରେ ସହରର ବିଭିନ୍ନ ଅଂଚଳରୁ ଭକ୍ତମାନେ ଶୋଭାଯାତ୍ରାରେ ଆସି ବାବାଙ୍କ ଉପରେ ଚାଦର ଚଢାଇବେ ବୋଲି ଉର୍ସ ଉତ୍ସବ ପରିଚାଳନା କମିଟିର କର୍ମକର୍ତାମାନେ କହିଛନ୍ତି । ବାବା ଭୁଜାଖିଆ ପୀର ପୀଠ ପରିଚାଳନା କମିଟିର ସଭାପତି ଶେଖ ରଫିକ, ସମ୍ପାଦକ ଶେଖ ଜହିରୁଦ୍ଦିନଙ୍କ ସମେତ ଶେଖ ଅବଦୁଲ ଲତିଫ, ଶେଖ ଅବଦୁଲ ମୋହିତ, ଶେଖ ଅବଦୁଲ ବୁରହାନ, ଶେଖ ସାମସୁଦ୍ଦିନ, ହାଫିଜ ବାଦରୁଲ ହସନ, ଶେଖ ସଲିମ, ଶେଖ ଅବଦୁଲ ଇସଲାମ, ଶେଖ ଅବଦୁଲ କାମିଲ ପ୍ରମୁଖ ଉତ୍ସବ ପରିଚାଳନାରେ ସକ୍ରିୟ ସହଯୋଗ କରୁଛନ୍ତି ।
