ଲୋକସଭାରେ ଗୃହିତ ହେଲା ୨୦୨୨ ଅର୍ଥ ବିଲ୍
ନୂଆଦିଲ୍ଲୀ : ଲୋକସଭାରେ ଗୃହିତ ହେଲା ୨୦୨୨ ଅର୍ଥ ବିଲ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଲୋକସଭାରେ ୨୦୨୨ ଅର୍ଥ ବିଲ୍କୁ ଉପସ୍ଥାପନ କରିଥିଲେ । ବିଲ୍ ଉପରେ ଆଲୋଚନା ଆରମ୍ଭ କରି କଂଗ୍ରେସର ଗୌରବ ଗୋଗୋଇ କହିଥିଲେ, କରୋନା ପରେ ଦେଶ ଧୀରେ ଧୀରେ ସୁଧୁରୁଛି କିନ୍ତୁ ଏଥିରେ ଅସମାନତା ରହିଛି । ମୂଲ୍ୟ ବୃଦ୍ଧି ଉପରେ ସେ ସରକାରଙ୍କୁ ସମାଲୋଚନା କରିଥିଲେ । ଅଧିକ ଆୟକାରୀମାନେ ଦେଶ ଛାଡ଼ି ଚାଲିଯାଇଥିବା ବିଷୟ ଉଠାଇ ୟୁକ୍ରେନ୍ ସଂକଟ ଉପରେ ସେ ସରକାରଙ୍କ ଯୋଜନା ବିଷୟରେ ଜାଣିବାକୁ ଚାହିଁଥିଲେ । ଜିଏସ୍ଟି. କ୍ଷତିପୂରଣର ସମୟ ସୀମା ବୃଦ୍ଧି କରିବା ପାଇଁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ।
ତେବେ ବିଜେପିର ନିଶିକାନ୍ତ ଦୁବେ କହିଛନ୍ତି, କୋଭିଡ୍ ପ୍ରଭାବରୁ ବିଶ୍ୱର କୌଣସି ଦେଶର ଅର୍ଥନୀତି ବାଦ୍ ପଡ଼ିନାହିଁ । ବିଲ୍ ପାଇଁ ସେ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୟୁପିଏ ସରକାରଙ୍କ ସମୟରେ ୧ ଲକ୍ଷ ୪୪ହଜାର କୋଟି ଟଙ୍କାର ବଣ୍ଡ ଜାରି କରାଯାଇଥିବାରୁ ଏହାର ସେ ସମାଲୋଚନା କରିଛନ୍ତି । ଏହା ଯୋଗୁଁ ପେଟ୍ରୋଲ୍, ଡିଜେଲ୍ ଓ ଗ୍ୟାସ୍ର ମୂଲ୍ୟ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି ବୋଲି ସେ କହିଥିଲେ । ବର୍ତମାନର ସରକାର ଏହାର ଭରଣା ପାଇଁ ୩ ଲକ୍ଷ ୪୨ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ସେ କହିଛନ୍ତି । ୟୁପିଏ ସରକାରରେ ଅର୍ଥନୀତିଜ୍ଞ ମାନଙ୍କ ସଂଖ୍ୟା ବିଷୟ ଉଲ୍ଲେଖ କରି ସେ କହିଛନ୍ତି, ସେମାନଙ୍କର ନୀତି ସାଧାରଣ ଲୋକଙ୍କ ବିପକ୍ଷରେ ଯାଉଥିଲା । ଶ୍ରୀ ଦୁବେ କହିଛନ୍ତି, ୨୦୧୪ ପରେ ସରକାର ଡିଜିଟାଲ୍ ଓ ଦକ୍ଷ ହୋଇପାରିଲା ।
ଡି.ଏମ୍.କେର ସନ୍ମୁଗ ସୁନ୍ଦରମ୍ ଅର୍ଥ ବିଲ୍କୁ ବିରୋଧ କରି କହିଥିଲେ, ଦ୍ୱୈତ ଟିକସ ନୀତି ବ୍ୟବସାୟୀମାନଙ୍କ ପାଇଁ ସବୁଠୁ ବେଶି ଅସୁବିଧା ସୃଷ୍ଟି କରିଛି । ବୁଣାକାରମାନଙ୍କ କଲ୍ୟାଣ ଦିଗରେ ସରକାର ଯଥେଷ୍ଟ ପଦକ୍ଷେପ ନେଉନଥିବା ସେ ଦୋଷାରୋପ କରିଛନ୍ତି । ବୁଣାକାରମାନଙ୍କୁ ସିନ୍େଥଟିକ ସୂତା, ଫାଇବର ଓ କଂଚାମାଲ୍ ଉପରେ ଟିକସ ରିହାତି ପ୍ରଦାନ କରିବାକୁ ସେ ସରକାରଙ୍କୁ ନିବେଦନ କରିଛନ୍ତି । ଶତକଡ଼ା ୧୮ ଭାଗର ଜି.ଏସ୍.ଟି. ଲାଗୁ ଯୋଗୁଁ ନଡ଼ିଆ ତେଲ ଓ ଖାଇବା ତେଲ ଉତ୍ପାଦନକାରୀମାନେ କ୍ଷତିଗ୍ରସ୍ତ ହେଉଥିବାର ସେ କହିଛନ୍ତି । ତୃଣମୂଳ କଂଗ୍ରେସର ଶତାବ୍ଦୀ ରାୟ ବାନାର୍ଜୀ କହିଥିଲେ, ସାଧାରଣ ଲୋକ ତୈଳ, ପେଟ୍ରୋଲ୍ ଓ ଅତ୍ୟାବଶ୍ୟକ ପଦାର୍ଥ ଗୁଡ଼ିକର ମୂଲ୍ୟ ବୃଦ୍ଧି ବୋଝରେ ଅଣ ନିଶ୍ୱାସୀ ହୋଇପଡ଼ିଛନ୍ତି । ତେଲୁଗୁ ଦେଶମ ପାର୍ଟିର ଜୟଦେବ ଗଲା କହିଛନ୍ତି, ସରକାରଙ୍କୁ ମୁଦ୍ରାସ୍ପିତିକୁ ନିୟନ୍ତ୍ରଣ କରିବାକୁ ହେବ । ରୁଷ-ୟୁକ୍ରେନ୍ ବିବାଦର ଶିଳ୍ପ କ୍ଷେତ୍ର ଉପରେ ପ୍ରଭାବକୁ ନେଇ ସେ ଚିନ୍ତାବ୍ୟକ୍ତ କରିଛନ୍ତି ।
