ପୁଣି ଅଲୋଡ଼ା ଶିଶୁକନ୍ୟା; ପାହାଡ ପାଦ ଦେଶରୁ ମୃତଦେହ ଉଦ୍ଧାର
ଧର୍ମଶାଳା : ପୁଣି ଅଲୋଡ଼ା ହୋଇଛି ଶିଶୁକନ୍ୟା । ପାହାଡ ପାଦ ଦେଶରୁ ଶୁକ୍ରବାର ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ମାଣ୍ଡୁକା ଅଞ୍ଚଳରୁ ।
ଏହି ମାଣ୍ଡୁକା ପାହାଡ ପାଦ ଦେଶରୁ ଏକ ନବଜାତ ଶିଶୁକନ୍ୟା ପଡିଥିବା ନେଇ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ସ୍ଥାନୀୟ ଲୋକେ ଆଶା କର୍ମୀଙ୍କ ସହାୟତାରେ ଶିଶୁକନ୍ୟାକୁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ହେଲେ ଶିଶୁକନ୍ୟାଟି ପୂର୍ବରୁ ଗୁରୁତର ହୋଇପଡିଥିବା ଜଣାପଡିଥିଲା । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ତେବେ ଶିଶୁ କନ୍ୟାଟିକୁ କିଏ ଓ କାହିଁକି ଏଭଳି ଅବସ୍ଥାରେ ଛାଡି ଚାଲିଯାଇଛି ସେନେଇ ତଦନ୍ତ ଚଳାଇଛି ବାଲିଚନ୍ଦ୍ରପୁର ପୋଲିସ । ତେବେ ସ୍ଥାନୀୟ ଅଙ୍ଗନବାଡି ଓ ଆଶା କର୍ମୀ କିପରି ଏଭଳି ଘଟଣାକୁ ଜାଣି ପାରିଲେନି ନା ଜାଣିଶୁଣି ଅତି ଚତୁରତାର ସହ ଏଭଳି କାର୍ଯ୍ୟ କରିଛନ୍ତି ତାକୁ ନେଇ ସାଧାରଣରେ ଆଲୋଚନା ହେଉଛି । ତେବେ ଯାଜପୁର ଜିଲାରେ ଗୋଟିଏ ନୁହେଁ କି ଦୁଇଟି ନୁହେଁ ଯାହାକି ଏଭଳି ଘଟଣା ବାରମ୍ବାର ଘଟୁଥିବା ଜଣାପଡିଛି । ଏଭଳି ପରିସ୍ଥିତିରେ ସଚେତନତାର ଆବଶ୍ୟକତା ରହିଛି । ଏ ଦିଗରେ ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବି କରିଛନ୍ତି ।
