ବାଲେଶ୍ୱର : ୨୭ରୁ ୩୦ ଚାନ୍ଦିପୁରରେ ପରୀକ୍ଷାମୂଳକ ଉଡ଼ାଣ, ସ୍ଥାନୀୟ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଜରୁରୀ ବୈଠକ
ବାଲେଶ୍ୱର : ବାଲେଶ୍ୱର ଜିଲା ଚାନ୍ଦିପୁର ଆଇଟିଆରରୁ ସିରିଜ୍ ପରୀକ୍ଷାମୂଳକ ଉଡ଼ାଣ (ଏକ୍ସପେରିମେଣ୍ଟାଲ ଫ୍ଲାଇଟ୍ ଟ୍ରାଏଲ) ଆସନ୍ତା ମାର୍ଚ୍ଚ ୨୭ରୁ ୩୦ ତାରିଖ ମଧ୍ୟରେ ହେବାର କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ପରୀକ୍ଷଣ କେନ୍ଦ୍ର (ଏଲସି-୩)ର ଅଢ଼େଇ କିଲୋମିଟର ପରିଧି ମଧ୍ୟରେ ବସବାସ କରୁଥିବା ସ୍ଥାନୀୟ ଜନସାଧାରଣଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର ପାଇଁ ଶୁକ୍ରବାର ପୂର୍ବାହ୍ନରେ ସଦ୍ଭାବନା ସଭାଗୃହ ଠାରେ ଜିଲା ପ୍ରଶାସନର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।


ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପରୀକ୍ଷାମୂଳକ ଉଡ଼ାଣ ପାଇଁ ସ୍ଥାନୀୟ ଖଡୁପାହି, କୁସୁୁମୁଳି ପାହି, ଭୀମପୁର ପାହି, ତୁଣ୍ଡରା ପାହି, ଜୟଦେବକସବା ପାହି ଏବଂ ସାହାଜାନଗର ପାହି ଗ୍ରାମର ପ୍ରାୟ ୭ହଜାର ଲୋକଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଏଥିପାଇଁ ଖଡୁପାହି ୟୁପି ସ୍କୁଲ, ତୁଣ୍ଡରା ବାତ୍ୟା ଆଶ୍ରୟସ୍ଥଳୀ ଏବଂ ଜୟଦେବ କସବାପାହି ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଅସ୍ଥାୟୀ ଶିବିର କରାଯିବ । ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କୁ ସଠିକ୍ ଭାବେ ଚିହ୍ନଟ ସହ ସେମାନଙ୍କୁ ମାଇକ୍ ପ୍ରଚାର ମାଧ୍ୟମରେ ସଚେତନ କରିବା ଏବଂ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର ପାଇଁ ପଦକ୍ଷେପ ନେବାକୁ ମତ୍ସ୍ୟ ବିଭାଗ ଉପନିର୍ଦ୍ଦେଶକଙ୍କୁ କୁହାଯାଇଥିଲା । ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର ଲୋକଙ୍କୁ ପ୍ରାପ୍ୟ ଟଙ୍କା ଠିକ୍ ଭାବେ ପ୍ରଦାନ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଜିଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରାପ୍ୟ ଟଙ୍କା ଗ୍ରହଣ ସମୟରେ ଲୋକମାନଙ୍କୁ ନିଜର ପରିଚୟ ପତ୍ର ଯଥା ଆଧାର କାର୍ଡ଼ କିମ୍ବା ଭୋଟର ପରିଚୟ ପତ୍ର ଦେଖାଇବାକୁ ହେବ । ଅସ୍ଥାୟୀ ଶିବିରକୁ ଆସୁଥିବା ଲୋକଙ୍କୁ ନିଜ ସାଙ୍ଗରେ ଜରୁରୀ ଔଷଧ ଏବଂ ଖାଦ୍ୟ ଆଣିବା ପାଇଁ ସଚେତନ କରାଯିବ । କେଉଁ ସମୟରେ ଲୋକମାନଙ୍କୁ ଅସ୍ଥାୟୀ ଶିବିରକୁ ଆସିବାକୁ ହେବ ଏବଂ କେତେ ସମୟ ସେଠାରେ ରହିବାକୁ ହେବ ସେ ନେଇ ସେମାନଙ୍କୁ ଆଗୁଆ ମାଇକ୍ ପ୍ରଚାର ମାଧ୍ୟମରେ ଜଣାଇ ଦିଆଯିବ । ଅସ୍ଥାୟୀ ଶିବିର ନିକଟରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ପାଇଁ ପୋଲିସ ବିଭାଗକୁ ଏବଂ ଆପାତକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ ବିଭାଗକୁ କୁହାଯାଇଥିଲା । ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ତତ୍ତ୍ୱାବଧାନରେ ଅସ୍ଥାୟୀ ଶିବିର ନିକଟରେ ଆମ୍ବୁଲାନ୍ସ ଓ ଡାକ୍ତରୀ ଟିମ୍ ମୁତୟନ କରାଯିବ । ଏହି ପରୀକ୍ଷାମୂଳକ ଉଡ଼ାଣ ଏକ ରାଷ୍ଟ୍ରୀୟ ସୁରକ୍ଷା ସମ୍ପର୍କିତ ବିଷୟ ହୋଇଥିବାରୁ ଏହାକୁ ସର୍ବାଧିକ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ଜିଲାପାଳ ଉପସ୍ଥିତ ଅଧିକାରୀମାନଙ୍କୁ କହିଥିଲେ । ବୈଠକରେ ଅତିରିକ୍ତ ଜିଲାପାଳ(ରାଜସ୍ୱ) ଭବେଶ କୁମାର ନାୟକ, ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ, ଉପଜିଲାପାଳ ଆଶିଷ ଈଶ୍ୱର ପାଟିଲ, ଆଇଟିଆର ବରିଷ୍ଠ ବୈଜ୍ଞାନିକ ନୀଳାଦ୍ରି ରାୟ, ଆଇଏଏସ ପ୍ରୋବେସନର କୁନାଲ ଚୌହାନଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
