ନବୀନ ନିବାସରୁ ଚାଲିଚାଲି ଆସି ମତଦାନ ସାବ୍ୟସ୍ତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଜି ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ । ଏହି ପରିପ୍ରେକ୍ଷୀରେ ଗୁରୁବାର ସକାଳୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଚାଲିଚାଲି ଆସି ବିଏମସି ୫୩ ନମ୍ବର ୱାର୍ଡର ପଳାସପଲ୍ଲୀ ବୁଥରେ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଭୋଟ ଦାନ ପାଇଁ ବୁଥରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ନବୀନ ନିବାସରୁ ୧୦୦ମିଟର ଦୂରରେ ବୁଥ୍ ଥିବାରୁ ମୁଖ୍ୟମନ୍ତ୍ରୀ ଚାଲିଚାଲି ଆସି ଭୋଟ ଦେଇଛନ୍ତି । ଏଥିପାଇଁ ନବୀନ ନିବାସରୁ ବୁଥ୍ ପର୍ଯ୍ୟନ୍ତ କଡାକଡି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଭୋଟ୍ ଦେଇ ଶେଷରେ ନବୀନ ନିବାସକୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ।
ସୂଚନା ଯେ, ରାଜ୍ୟର ୫୯ଟି ଏନଏସି, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ଆରମ୍ଭ ହୋଇଛି ଭୋଟ । ୪ ହଜାର ୩୭୩ ବୁଥରେ ମତଦାନ ସାବ୍ୟସ୍ତ କରୁଛନ୍ତି ମୋଟ ୪୦ ଲକ୍ଷରୁ ଅଧିକ ଭୋଟର । ଅପରାହ୍ନ ୫ଟା ଯାଏ ଚାଲିବ ଭୋଟ ଗ୍ରହଣ । ଚଳିତ ପୌର ନିର୍ବାଚନରେ ପ୍ରତି ବୁଥରେ ଦୁଇଟି ଇଭିଏମ୍ ରହିଛି । ଗୋଟିଏ କାଉନସିଲର ବା କର୍ପୋରେଟରଙ୍କ ପାଇଁ ଏବଂ ଅନ୍ୟଟି ଅଧ୍ୟକ୍ଷ ବା ମେୟରଙ୍କ ପାଇଁ ରହିଛି ।
