ଜାତୀୟ ଭାରୋତୋଳନ : ଝିଲ୍ଲୀ, ସ୍ନେହାଙ୍କୁ କାଂସ୍ୟ
ଭୁବନେଶ୍ୱର : ସ୍ଥାନୀୟ କିଟ୍ ସ୍ଥିତ ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମରେ ଆୟୋଜିତ ଆଇଡବ୍ଲ୍ୟୁଏଲ୍ଏଫ୍ ଜାତୀୟ (ଯୁବ, କନିଷ୍ଠ, ବରିଷ୍ଠ) ଭାରୋତୋଳନ ପ୍ରତିଯୋଗିତାରେ ଓଡ଼ିଆଙ୍କ ଖାତାରେ ଆଉ ଦୁଇ ପଦକ ଯୋଡ଼ି ହୋଇଛି । ସୋମବାର ଦ୍ୱିତୀୟ ଦିବସରେ ୬୧ କେଜି ପୁରୁଷ ବର୍ଗରେ ମୁନା ରୌପ୍ୟ ଜିତି ରାଜ୍ୟ ପାଇଁ ପ୍ରଥମ ପଦକ ଆଣିଥିଲେ । ମଙ୍ଗଳବାର ତୃତୀୟ ଦିବସରେ ଆର୍ଏସ୍ପିବି ପକ୍ଷରୁ ଭାଗନେଇଥିବା ଓଡ଼ିଆ ଝିଅ ଝିଲ୍ଲୀ ଦଳବେହେରା ଏବଂ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସ୍ନେହା ସୋରେନ ନିଜ ନିଜ ବିଭାଗରେ ଗୋଟିଏ ଲେଖାଏଁ କାଂସ୍ୟ ଜିତିଥିଲେ । ଫଳରେ ତୃତୀୟ ଦିନ ସୁଦ୍ଧା ଓଡ଼ିଆଙ୍କ ମୋଟ ପଦକ ସଂଖ୍ୟା ୩ (୧ ରୌପ୍ୟ ଓ ୨ କାଂସ୍ୟ)ରେ ପହଂଚିଛି ।
ବରିଷ୍ଠ ମହିଳା ବର୍ଗର ୪୯ କେଜି ବିଭାଗରେ ଝିଲ୍ଲୀସ୍ନାଚରେ ୭୬ କେଜି ଓ କ୍ଲିନ ଓ ଜର୍କରେ ୯୩ କେଜି ସହ ମୋଟ ୧୬୯ କେଜି ଭାର ଉତୋଳନ କରି ତୃତୀୟ ସ୍ଥାନ ପାଇଥିଲେ । ଏହି ବର୍ଗରେ ମଣିପୁରର ଜୀନାରାଣୀ ଦେବୀ ମୋଟ ୧୭୫ କେଜି ଉଠାଇ ସ୍ୱର୍ଣ୍ଣ ଏବଂ ଆରଏସପିବିର ସଂଜିତା ଚାନୁ ମୋଟ ୧୭୪ କେଜି ଉଠାଇ ରୌପ୍ୟ ପଦକ ଜିତିଥିଲେ । ସେହିପରି ୪୯ କେଜି ଅନ୍ତଃରାଜ୍ୟ ବରିଷ୍ଠ ମହିଳା ବର୍ଗରେ ଓଡିଶାର ସ୍ନେହା ସୋରେନ ସ୍ନାଚରେ ୭୫ କେଜି ଏବଂ କ୍ଲିନ ଓ ଜର୍କରେ ୯୧ କେଜି ସହ ମୋଟ ୧୬୬ କେଜି ଉଠାଇ କାଂସ୍ୟ ପଦକ ହାସଲ କରିଥିଲେ । ଏହି ବର୍ଗରେ ମଣିପୁରର ଜିନାରାଣୀ ଦେବୀ ସ୍ୱର୍ଣ୍ଣ ଓ ମହାରାଷ୍ଟ୍ରର ସାକ୍ଷୀ ମହାସକେ ରୌପ୍ୟ ପଦକ ଜିତିଥିଲେ । ୪୯ କେଜି ଯୁବା ମହିଳା ବର୍ଗରେ ପଣ୍ଡିଚେରିର ଭି. ମଧୁମିତା (ମୋଟ ୧୫୫ କେଜି) ସ୍ୱର୍ଣ୍ଣ, ଉତରପ୍ରଦେଶର ନିଲମ ପଟେଲ (ମୋଟ ୧୫୨ କେଜି) ରୌପ୍ୟ ଏବଂ ତାମିଲନାଡୁର ଭି. ରିଥିକା (ମୋଟ ୧୫୦ କେଜି) କାଂସ୍ୟ ପଦକ ହାସଲ କରିଥିଲେ । ନୀଲମ ଏହି ବର୍ଗରେ ସ୍ନାଚରେ ସର୍ବାଧିକ ୬୭ କେଜି ଉତୋଳନ କରି ନୂଆ ଜାତୀୟ କୀର୍ତିମାନ ପ୍ରତିଷ୍ଠା କରିଥିଲେ । ୪୯ କେଜି କନିଷ୍ଠ ମହିଳା ବର୍ଗରେ ମହାରାଷ୍ଟ୍ରର ସାକ୍ଷୀ ମହାସକେ (ମୋଟ ୧୬୮ କେଜି) ସ୍ୱର୍ଣ୍ଣ, ଛତିଶଗଡ଼ର ଜ୍ଞାନେଶ୍ୱରୀ ଯାଦବ (ମୋଟ ୧୬୧ କେଜି) ରୌପ୍ୟ ଏବଂ ପଣ୍ଡିଚେରୀର ଭି. ମଧୁମିତା (ମୋଟ ୧୫୫ କେଜି) କାଂସ୍ୟ ପଦକ ଜିତିଥିଲେ । ଓଡ଼ିଶା ସରକାରଙ୍କ ସହଯୋଗ ଏବଂ ଭାରତୀୟ ଭାରୋତୋଳନ ମହାସଂଘ ଓ ଓଡ଼ିଶା ଭାରୋତୋଳନ ସଂଘ ଆନୁକୂଲ୍ୟରେ ଏହି ପ୍ରତିଯୋଗିତ ଆୟୋଜିତ ହେଉଛି ।
