ବାଲେଶ୍ୱର ପୌର ନିର୍ବାଚନ : ସ୍ୱାଧୀନ ପ୍ରାର୍ଥୀଙ୍କ ରୋଡ଼ ସୋ’ରେ ଯୋଗଦେଲେ ଟେଲି ଅଭିନେତ୍ରୀ
ବାଲେଶ୍ୱର : ବାଲେଶ୍ୱର ପୌର ନିର୍ବାଚନ ପାଇଁ ମାହୋଲ ସରଗରମ ହୋଇଛି । ନିର୍ବାଚନକୁ ଆଉ କେଇଟା ଦିନ ଥିବାବେଳେ ପୌରାଞ୍ଚଳର କାଉନସିଲର ଓ ଅଧ୍ୟକ୍ଷ ପ୍ରାର୍ଥୀଙ୍କ ପକ୍ଷରୁ ମାରାଥନ ନିର୍ବାଚନୀ ପ୍ରଚାର ଜାରି ରହିଛି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ହେଭିୱେଟ୍ ନେତାମାନେ ପ୍ରଚାର କରୁଥିବା ବେଳେ ଏବେ ଟେଲି ଅଭିନେତା ଓ ଅଭିନେତ୍ରୀମାନେ ସ୍ୱାଧୀନ ପ୍ରାର୍ଥୀଙ୍କ ଭରସା ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ପୌରପାଳିକାର ୨୮ ନଂ ୱାର୍ଡ଼ର ସ୍ୱାଧୀନ ପ୍ରାର୍ଥିର୍ନୀ ଗୀତିଶ୍ରୀ ଚାଟାର୍ଜୀଙ୍କ ପାଇଁ ଓଡ଼ିଆ ଦୂରଦର୍ଶନ ଅଭିନେତ୍ରୀ ଶୋଭା ରାଉତ (ଚୁଲୁବୁଲି) ଓ ଦେବିକା ଅରୁନ୍ଧତି ରୋଡ଼ ସୋ’ କରିଥିଲେ ।
ଦୁଇ ଅଭିନେତ୍ରୀ ଦର୍ଜିପୋଖରୀ ସ୍ଥିତ ସାଇମନ୍ଦିରରେ ପୂଜାର୍ଚ୍ଚନା ପରେ ପ୍ରଥମେ ପଦଯାତ୍ରାରେ ଯୋଗ ଦେଇଥିଲେ । ସ୍ୱାଧୀନ ପ୍ରାର୍ଥୀ ଶ୍ରୀମତୀ ଚାଟାର୍ଜୀଙ୍କ ସହ ସେମାନେ କିଛିବାଟ ପଦଯାତ୍ରା ପରେ ଖୋଲା ଗାଡ଼ିରେ ରୋଡ଼ ସୋ’ରେ ଯାଇଥିଲେ । ଗୀତିଶ୍ରୀଙ୍କ ଭଳି ସର୍ବଗୁଣ ସମ୍ପନ୍ନା ମହିଳାଙ୍କୁ ଅଧିକ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ସେମାନେ ୱାର୍ଡ଼ବାସୀଙ୍କୁ ନିବେଦନ କରିଥିଲେ । ଏହି ରୋଡ଼ ସୋ’ରେ ଗୀତିଶ୍ରୀଙ୍କ ବହୁ ସମର୍ଥକ ସାମିଲ ହୋଇଥିବା ବେଳେ ଦୁଇ ଅଭିନେତ୍ରୀଙ୍କୁ ଦେଖିବାକୁ ରାସ୍ତା ପାଶ୍ୱର୍ରେ ଲୋକଙ୍କ ଗହଳି ଲାଗିଥିଲା ।
