ରାଜ୍ୟରେ ବଢୁଛି ତାତି, ସତର୍କ ରହିବାକୁ ଏସଆରସିଙ୍କ ନିର୍ଦ୍ଦେଶ
୩୮ ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡ଼ ରାଜ୍ୟରେ ଉତ୍ତପ୍ତ ସହର
ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିଚାଲିଛି । ଫଳରେ ବଢୁଛି ତାତି । ବିଶେଷ କରି ପଶ୍ଚିମ ଓଡ଼ିଶାରେ ଏହାର ସବୁଠୁ ଅଧିକ ପ୍ରଭାବ ଦେଖିବାକୁ ମିଳିଛି। ୩୮ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ଟିଟିଲାଗଡ଼ ରାଜ୍ୟରେ ଉତ୍ତପ୍ତ ସହର ହୋଇଛି। ଏଥିସହ ପଶ୍ଚିମ ଓଡ଼ିଶାର ୭ଟି ସହରର ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଛିଛି। ଆଗକୁ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଆହୁରି ବୃଦ୍ଧି ପାଇପାରେ ।
ଦୁଇ ଦିନ ପରେ ପାଗ ଆହୁରି ବଦଳିବ । କେତେକ ଜିଲାରେ ଦିନର ତାପମାତ୍ର ତିନିରୁ ଚାରି ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍ ବିଶ୍ୱାସ ପୂର୍ବାନୁମାନ କରିିଛନ୍ତି । ରାଜ୍ୟକୁ ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶାକୁ ଶୁଷ୍କ ଓ ଉତ୍ତପ୍ତ ବାୟୁ ପ୍ରବେଶ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ଦିନବେଳା ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଆସନ୍ତା ୧୬ ଓ ୧୭ ତାରିଖରେ ରାଜ୍ୟର ୬ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି । ଏହି ଦୁଇଦିନ ତାତି ୪୦ ଡିଗ୍ରୀ ଛୁଇଁବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ୧୬ ତାରିଖରେ ବଲାଙ୍ଗିର, ସୋନପୁର ଓ ବୌଦ୍ଧ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି । ସେହିପରି ୧୭ ତାରିଖରେ ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ହେବ ବୋଲି କେନ୍ଦ୍ର ଆକଳନ କରିଛି। ୟେଲୋ ୱାର୍ଣ୍ଣିଂ ବି ଜାରି କରିଛି । ଯାହାକୁ ନେଇ ଉପରୋକ୍ତ ୬ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ସୂଚନା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର୍ (ଏସ୍ଆର୍ସି) ।ଏହି ଖବର ଲୋକଙ୍କ ମଧ୍ୟରେ ପ୍ରସାର କରିବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଯେ, ରବିବାର ରାଜ୍ୟର ୧୬ଟି ସହରର ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ଉପରେ ରହିଥିଲା । ଟିଟିଲାଗଡ଼ର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ଛୁଇଁଥିଲା । ସେହିପରି ବଲାଙ୍ଗୀରର ୩୭.୮ ଡିଗ୍ରୀ ସେଲସିୟସ୍, ଝାରସୁଗୁଡ଼ାରେ ୩୭.୩ ଡିଗ୍ରୀ ସେଲସିୟସ୍, ଅନୁଗୁଳରେ ୩୭.୧ ଡିଗ୍ରୀ ସେଲସିୟସ୍ ରହିଥିଲା । ସେହିପର ସମ୍ବଲପୁରରେ ୩୬.୯ଡିଗ୍ରୀ ସେଲସିୟସ୍ ଓ ରାଜଧାନୀ ଭୁବନେଶ୍ୱରରେ ୩୬.୬ଡିଗ୍ରୀ ସେଲସିୟସ୍ ସମେତ ରାଜ୍ୟ ୧୨ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଥିଲା ।
