ୟୁକ୍ରେନ୍ରୁ ନବୀନଙ୍କ ମୃତଦେହ ଫେରିବା ପାଇଁ ଉଦ୍ୟମ କର : ପ୍ରଧାନମନ୍ତ୍ରୀ
ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ବୈଠକ ଅନୁଷ୍ଠିତ
ନୂଆଦିଲ୍ଲୀ : ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପରିପ୍ରେକ୍ଷୀରେ ବଦଳୁଥିବା ବିଶ୍ୱ ପରିଦୃଶ୍ୟକୁ ନଜରରେ ରଖି ରବିବାର ନୂଆଦିଲ୍ଲୀରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କର, ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଳା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲ ପ୍ରମୁଖ ଯୋଗ ଦେଇଥିଲେ । ବୈଠକରେ ଋଷିଆର ୟୁକ୍ରେନ ଆକ୍ରମଣରେ ପ୍ରାଣ ହରାଇଥିବା ଭାରତୀୟ ଛାତ୍ର ନବୀନ ଶେଖରପ୍ପାଙ୍କ ପାର୍ଥୀବ ଶରୀର ଏ ପର୍ଯ୍ୟନ୍ତ ଭାରତ ଅଣାଯାଇ ପାରିନଥିବାରୁ ଏଥିଲାଗି ହର ସମ୍ଭବ ପ୍ରୟାଶ ଜାରି ରଖିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେହିପରି ଯୁଦ୍ଧକୁ ନେଇ ବଦଳୁଥିବା ପରିଦୃଶ୍ୟରେ ଭାରତର ସୁରକ୍ଷା ସମୀକ୍ଷା ମଧ୍ୟ କରିଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀଙ୍କୁ ଭାରତର ସୀମାବର୍ତି ଅଂଚଳ ସମେତ ଭାରତର ସୁରକ୍ଷା ପ୍ରସ୍ତୁତି ନେଇ ମନ୍ତ୍ରୀ ଓ ଅଧିକାରୀମାନେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି ।
ରୁଷ-ୟୁକ୍ରେନ୍ ଯୁଦ୍ଧ ଯୋଗୁ ୟୁକ୍ରେନ୍ରେ ଫସିଥିବା ଭାରତୀୟମାନଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ଅଭିଯାନ ଜାରି ରହିଛି । ଏହାରି ଭିତରେ ଶତାଧିକ ଛାତ୍ରଙ୍କୁ ଅପରେଶନ ଗଙ୍ଗା ଜରିଆରେ ଉଦ୍ଧାର କରି ଭାରତ ଫେରାଇ ଅଣାଯାଇଛି । ତେବେ ଯୁଦ୍ଧ ଯୋଗୁ ନବୀନ ଶେଖରପ୍ପା ନାମକ ଜଣେ ଛାତ୍ରଙ୍କର ମୃତ୍ୟୃ ଘଟିଛି । ତାଙ୍କ ମୃତ ଦେହକୁ ଫେରାଇ ଆଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତତ୍ପରତା ପ୍ରକାଶ କରିଛନ୍ତି । ନବୀନଙ୍କ ମୃତ ଦେହକୁ ଫେରାଇ ଆଣିବାକୁ ସବୁ ପ୍ରକାର ପ୍ରୟାସ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୟୁକ୍ରେନ୍ର ଖାରକିଭ୍ର ଯୁଦ୍ଧରେ ବଳି ପଡ଼ିଛନ୍ତି ନବୀନ । କର୍ଣ୍ଣାଟକର ହାଭେରି ଜିଲ୍ଲାର ନବୀନଙ୍କ ଘର । ତାଙ୍କର ବୟସ ୨୧ । ଖାରକିଭ୍ ଜାତୀୟ ମେଡିକାଲ ବିଶ୍ୱବିଦ୍ୟାଳୟରେ ସେ ଶେଷ ବର୍ଷରେ ଅଧ୍ୟୟନ କରୁଥିଲେ । ନବୀନ ୟୁକ୍ରେନ୍ର ଦ୍ୱିତୀୟ ବୃହତମ ସହର ଖାରକିଭ୍ରେ ରହୁଥିଲେ ଏବଂ ଭାରତ ଫେରିବାକୁ ପ୍ରସ୍ତୁତ ହେଉଥିଲେ । ନବୀନ ଗଭର୍ଣ୍ଣର୍ ହାଉସ ନିକଟରେ ଏକ ଆପାର୍ଟମେଂଟ୍ରେ ରହୁଥିଲେ । ରୁଷ୍ -ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରେ ସେ ବଙ୍କର୍ରେ ରହୁଥିଲେ । ତେବେ ଖାଦ୍ୟ ପାଇଁ ସେ ବଙ୍କର୍ ବାହାରକୁ ଆସି ଏକ ଦୋକାନ ଆଗରେ ଧାଡ଼ିରେ ଠିଆ ହୋଇଥିବା ସମୟରେ ହଠାତ୍ ଗୋଳିମାଡ଼ରେ ନବୀନଙ୍କର ମୃତ୍ୟୁ ହୋଇଥିଲା ।
ଏଥିରେ ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଭାରତୀୟଙ୍କୁ ବାହାର କରିବା ଲାଗି ଚଳାଯାଇଥିବା ଅପରେସନ ଗଙ୍ଗାର ବିବରଣୀ ମଧ୍ୟ ପ୍ରଦାନ କରାଯାଇଛି । ଭାରତ ସରକାରଙ୍କ ଏହି ଉଦ୍ଧର ଅପରେସନରେ ପଡୋଶୀ ଦେଶମାନଙ୍କର କିଛି ନାଗରିକଙ୍କୁ ମଧ୍ୟ ସଫଳତାର ସହ ଉଦ୍ଧାର କରାଯାଇଥିବା ନେଇ ସୂଚନା ଦିଆଯାଇଛି । ଗତମାସ ୨୪ ତାରିଖରେ ଋଷିଆ ୟୁକ୍ରେନ ବିରୋଧରେ ଯୁଦ୍ଧଘୋଷଣା କରିଥିଲା । ସେବେଠାରୁ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଅନେକ ଉଚ୍ଚସ୍ତରୀୟ ବୈଠକ କରିସାରିଲେଣି । ଏଥିରେ ରବିବାର ଅନୁଷ୍ଠିତ ସୁରକ୍ଷା ସମ୍ପର୍କିତ ମନ୍ତ୍ରୀମଣ୍ଡଳ ବୈଠକରେ ମଧ୍ୟ ବିସ୍ତୃତ ତଥ୍ୟ ଉପସ୍ଥାପନ କରାଯାଇଛି ।
