ରାତାରାତି ମାଲେମାଲ ହେବାକୁ ଅପରାଧର ରାସ୍ତାକୁ ବାଛିଲେ ! ପୁଣି ଖାକିରେ ଲାଗିଲା ଦାଗ
ମାଲକାନଗିରି : ରାତାରାତି ମାଲେମାଲ ହେବାକୁ ଅପରାଧର ରାସ୍ତାକୁ ବାଛିଲେ । ଖାକି ପୋଷାକ ପିନ୍ଧି ଗଞ୍ଜେଇ ମାଫିଆଙ୍କ ସହ ହାତ ମିଳାଇଥିଲେ ପୋଲିସ ଏଏସଆଇ । କିନ୍ତୁ ନିଜ ବିଭାଗ ହିଁ ତାଙ୍କୁ ଶେଷରେ ଗିରଫ କରିଛି । ଖାକିକୁ କଳଙ୍କିତ କରିଥିବା ପୁଲିସ କର୍ମଚାରୀ ଜଣକ ହେଲେ ମାଲକାନଗିରି ଜିଲ୍ଲା ମାଥିଲି ଥାନା କର୍ତ୍ତନପାଲ୍ଲୀ ଫାଣ୍ଡି ଏଏସଆଇ ଜୟଦାଶ ଖରା । ୪୨୦ କିଲୋ ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ଏଏସଆଇ ଜୟଦାଶ ଖରା କୋର୍ଟ ଚାଲାଣ ହୋଇଛନ୍ତି ତାଙ୍କ ସହ ଅନ୍ୟ ୩ଜଣ ଗଞ୍ଜେଇ ମାଫିଆ ବି ଗିରଫ ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି ।
ପୋଲିସର ସୂଚନାନୁଯାୟୀ, ମାଲକାନଗିରି ସହରର ଗୋଟିଏ ଅଜ୍ଞାତସ୍ଥାନରେ ବିପୁଳ ପରିମାଣରେ ଗଞ୍ଜେଇ ଲୁଚାଇ ରଖାଯାଇଥିଲା । ଏହି ଗଞ୍ଜେଇକୁ ଗଳବାଟ ଦେଖି ପଡ଼ୋଶୀ ରାଜ୍ୟ ଛତିଶଗଡ଼କୁ ପଠାଇବା ପାଇଁ ଗଞ୍ଜେଇ ମାଫିଆ ଯୋଜନା ଚଳାଇଥିଲେ । ଏଥିରେ ସେମାନଙ୍କୁ ସହଯୋଗ କରୁଥିଲେ ପୁଲିସ ଏଏସଆଇ ଜୟଦାଶ ଖରା । ଏଥିପାଇଁ ସେ ବିଳମ୍ବିତ ରାତିରେ ମାଲକାନଗିରି ପହଞ୍ଚିଥିଲେ ।
କାରଣ ପୁଲିସ ଏଏସଆଇ ଜଣକ ବଡ଼ ଗାଡ଼ି ଖୋଜିବା ମାଲକାନଗିରି ପୋଲିସର ଗଞ୍ଜେଇ ଚୋରା ଚାଲାଣ ପାଇଁ ଆସିଥିବା ସନ୍ଦେହକୁ ବଢ଼ାଇ ଦେଇଥିଲା । ଶେଷରେ ବିଛା ଯାଇଥିବା ଜାଲରେ ପଡ଼ିଥିଲେ ପୁଲିସ ଏଏସଆଇ । ଲୁଚାଇ ରଖାଯାଇଥିବା ୪୨୦ କିଲୋ ଗଞ୍ଜେଇକୁ ଅତର୍କିତ ଚଢ଼ଉ କରି ଜବତ କରାଯାଇଥିଲା । ଏହାବ୍ୟତୀତ ନଗଦ ୧୦ ହଜାର ଟଙ୍କା, ଗୋଟିଏ ଲ୍ୟାପ୍ଟପ୍, ଗୋଟିଏ କାର୍, ଦୁଇଟି ମଟର ସାଇକେଲ ଏବଂ ମୋବାଇଲ ଜବତ ହୋଇଥିବା ସୂଚନା ମିଳିଛି।
