ଋଷ ବିପକ୍ଷରେ ଲଢ଼ିବା ପାଇଁ ୟୁକ୍ରେନ୍ରେ ପହଞ୍ଚିଲେ ବିଶ୍ୱର ଶ୍ରେଷ୍ଠ ‘ସ୍ନାଇପର୍’ ୱାଲି
ନୂଆଦିଲ୍ଲୀ : ଋଷ ସେନା ବିପକ୍ଷରେ ଲଢ଼ିବା ପାଇଁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ‘ସ୍ନାଇପର୍’ ୱାଲି ଯୁଦ୍ଧ-ବିକ୍ଷତ ୟୁକ୍ରେନ୍ରେ ପହଞ୍ଚିଛନ୍ତି । ‘ରୟାଲ୍ କାନାଡିଆନ୍ ୨୨ ତମ ରେଜିମେଣ୍ଟ୍’ରୁ ଅବସର ନେଇଥିବା ୱାଲି କହିଛନ୍ତି, ରୁଷ୍ ବିରୋଧରେ ଦେଶର ଲଢ଼େଇରେ ଯୋଗ ଦେବା ପାଇଁ ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନସ୍କି ବିଦେଶୀମାନଙ୍କୁ ଡାକରା ଦେବା ବେଳେ, ଆଲାରାମ ବାଜିଲେ ଦମକଳ କର୍ମଚାରୀଙ୍କୁ ଯେମିତି ଲାଗେ ମୋତେ ଠିକ୍ ସେମିତି ଲାଗିଲା । ବୁଧବାର ଦିନ ୟୁକ୍ରେନ୍ରେ ପହଞ୍ଚିବା ପରେ ୨ ଦିନ ମଧ୍ୟରେ ୱାଲି ୬ଜଣ ଋଷ ସୈନିକଙ୍କୁ ହତ୍ୟା କରିଛନ୍ତି । ନିକଟରେ ଗୋଟାଏ ସାକ୍ଷାତ୍କାରରେ ଏହି ପ୍ରସିଦ୍ଧ ‘ସ୍ନାଇପର୍’ କହିଥିଲେ, ମୁଁ ସେମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି। ଏଇଟା ପ୍ରକୃତ କଥା । ଋଷ ନ ହୋଇ ୟୁରୋପୀୟ ହେବାକୁ ମନ ବଳାଉଥିବାରୁ ଏଠାକାର ଜନସାଧାଣଙ୍କ ଉପରେ ବୋମା ବୃଷ୍ଟି ହେଉଛି ।
ଦିନକରେ ୪୦ଜଣଙ୍କୁ ଗୁଳି କରି ମାରିବାର ସାମର୍ଥ୍ୟ ଥିବାରୁ ୱାଲିଙ୍କୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ‘ସ୍ନାଇପର୍’ କୁହାଯାଏ । ୪୦ ବର୍ଷିୟ ୱାଲି ହେଉଛନ୍ତି ଜଣେ ଫରାସୀ-କାନଡୀୟ କମ୍ପ୍ୟୁଟର୍ ବୈଜ୍ଞାନିକ । ୨୦୦୯ରୁ ୨୦୧୧ ମଧ୍ୟରେ ସେ ଦୁଇଥର ଆଫଗାନିସ୍ତାନ ଯୁଦ୍ଧରେ ଯୋଗ ଦେଇ ଥିଲେ। ଆଫଗାନିସ୍ଥାନରେ ହିଁ ତାଙ୍କୁ ‘ୱାଲି’ ନାଁ ଦିଆଯାଇଥିଲା। ଆରବୀୟ ଭାଷାରେ ‘ୱାଲି’ର ଅର୍ଥ ରକ୍ଷାକାରୀ।
