ବାଲେଶ୍ୱର : ଗ୍ରୀଷ୍ମ ଋତୁ ଆରମ୍ଭରୁ ତିନିକୋଶିଆ ଜଙ୍ଗଲରେ ନିଆଁ, ଜନବସତିକୁ ବିପଦ
ନୀଳଗିରି : ଜଳୁଛି କୁଳଡ଼ିହା ଅଭୟାରଣ୍ୟ । ଗ୍ରୀଷ୍ମ ଋତୁ ଆରମ୍ଭ ନ ହେଉଣୁ ବାଲେଶ୍ୱର ଜିଲା ନୀଳଗିରି କୁଳଡ଼ିହା ଅଭୟାରଣ୍ୟର ପାଦଦେଶରେ ଥିବା ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ଲାଗିଲା ନିଆଁ । ସଚେତନତା ଅଭାବ ଯୋଗୁଁ ଏଭଳି ଘଟଣା ଘଟୁଥିବା ନେଇ ଜଣାପଡ଼ିଛି ।
ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧ଟା ସମୟରେ ନୀଳଗିରିର ତିନିକୋଶିଆ ସଂରକ୍ଷିତ ଜଙ୍ଗଲର ଭାଲୁକାଶୁଣି ଛକ ନିକଟ ୧୯ନଂ. ରାଜ୍ୟ ରାଜପଥ ସଂଲଗ୍ନରେ ଲାଗିଥିଲା ନିଆଁ । ଗ୍ରାମବାସୀ ନିଆଁ ଲିଭାଉଥିବା ବେଳେ ବନ ବିଭାଗ ବିଭାଗ ପାଖରେ ନଥିଲା ଖବର । ପରେ ଖବର ପାଇ ବନବିଭାଗ କର୍ମଚାରୀ ପହଞ୍ଚି ଉପସ୍ଥିତ ରହି ନିଆଁ ଲିଭାଇ ଥିଲେ । ସୂଚନା ଯେ, ଜଙ୍ଗଲରେ ନିଆଁ ଯୋଗୁଁ ପୋଡ଼ି ପାଉଁଶ ହୋଇଯାଉଛି ବହୁ ବୃକ୍ଷଲତା । ସେହିପରି ନିଆଁ ଝୁଲ ଉଡ଼ି ଜଙ୍ଗଲ ସଂଲଗ୍ନ ଗାଁରେ ଅଗ୍ନିକାଣ୍ଡ ଘଟାଇବାର ଭୟ ମଧ୍ୟ ରହିଛି । ଏହି ବନାଗ୍ନି ଯୋଗୁ କୀଟପତଙ୍ଗ ଓ ବନୌଷଧି ଭସ୍ମୀଭୂତ ହୋଇଯାଇଛି । ବିଶେଷ କରି ତୃଣଭୋଜୀ ପ୍ରାଣୀ ମାନେ ବିଶେଷ ପ୍ରଭାବିତ ହେବା ସହ ସେମାନଙ୍କର ଜୀବନ ସଙ୍କଟ ମଧ୍ୟକୁ ଠେଲି ହୋଇ ଯାଉଛି । ଅନ୍ୟପକ୍ଷରେ ଗତ ବର୍ଷ ବି ଜଙ୍ଗଲରେ ବହୁଥର ନିଆଁ ଲାଗିଥିବାର ଦେଖିବାକୁ ମିଳିଥିଲା ।
