୫ ବର୍ଷ ମଧ୍ୟରେ ଡ୍ରାଇଭିଂ ଲାଇସେନ୍ସ ନେବାରେ ଓଡ଼ିଶାର ମହିଳାଙ୍କ ସଂଖ୍ୟା ୩୩% ବୃଦ୍ଧି
କଟକ : ଓଡ଼ିଶାର ମହିଳାମାନେ ଆତ୍ମନିର୍ଭର ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଗତ ୫ ବର୍ଷ ମଧ୍ୟରେ ଓଡ଼ିଶାରେ ଡ୍ରାଇଭିଂ ଲାଇସେନ୍ସ ନେବାରେ ମହିଳାଙ୍କ ସଂଖ୍ୟା ୩୩% ବୃଦ୍ଧି ହୋଇଛି । ଗତ ୨୦୧୭ରେ ୨୫ହଜାର ୦୮୬ ଜଣ ମହିଳା ସାରା ରାଜ୍ୟରେ ଡ୍ରାଇଭିଂ ଲାଇସେନ୍ସ ପାଇଥିଲେ । ୨୦୨୧ରେ ଏହି ସଂଖ୍ୟା ବୃଦ୍ଧି ପାଇ ୩୩ହଜାର ୬୬୬ ହୋଇଛି। ଯଦିଓ ୨୦୧୯ ଏବଂ ୨୦୨୦ରେ ଏହି ସଂଖ୍ୟା ହ୍ରାସ ପାଇଛି । ୨୦୨୦ରେ ମହିଳା ଡ୍ରାଇଭିଂ ଲାଇସେନସଧାରୀଙ୍କ ସଂଖ୍ୟା ୩୬ ହଜାର ଥିଲା । ଅନ୍ୟ ରାଜ୍ୟ ତୁଳନାରେ ଏହି ସଂଖ୍ୟା ଓଡ଼ିଶାରେ ଅଧିକ ରହିଛି ବୋଲି ସଡକ ସୁରକ୍ଷା ଯୁଗ୍ମ କମିସନର ସଂଜୟ ବିଶ୍ୱାଳ କହିଛନ୍ତି ।
ସେ କହିଛନ୍ତି ଯେ, ସମାଜରେ ଅଧିକରୁ ଅଧିକ ମହିଳା ଆଗକୁ ଆସିବା ଏବଂ ଡ୍ରାଇଭିଂ ଲାଇସେନ୍ସ ନେବାକୁ ଉତ୍ସାହିତ କରାଯିବା ଆବଶ୍ୟକ। ମହିଳାମାନେ ଗାଡ଼ି ଚଳାଇବା ଶିଖିବା ଦ୍ୱାରା ଆତ୍ମବିଶ୍ୱାସ ଲାଭ କରନ୍ତି । ସେମାନଙ୍କ ଦୈନନ୍ଦିନ ଯାତ୍ରା ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିଥାଏ ତେଣୁ ଏଭଳି ପରିସ୍ଥିତିରେ ଏହାକୁ ଉତ୍ସାହଜନକ ଭାବେ ଗ୍ରହଣ କରାଯାଉଛି । ମହିଳାମାନଙ୍କୁ ସଶକ୍ତୀକରଣ କରିବା ଏବଂ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ପରିବହନ ବିଭାଗ ଓ ଓଡ଼ିଶା ସରକାର ମହିଳାମାନଙ୍କୁ ଡ୍ରାଇଭିଂ ତାଲିମ ଦେଉଥିବା ସେ କହିଛନ୍ତି।
ସୂଚନା ଯେ, ଡ୍ରାଇଭିଂ ଟ୍ରେନିଂ ସ୍କୁଲ, ଭୁବନେଶ୍ୱର ଓ ଡ୍ରାଇଭିଂ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ଡିଟିଆଇ, ଛତିଆରେ ମହିଳାମାନଙ୍କୁ ମାଗଣାରେ ତାଲିମ ପ୍ରଦାନ କରାଯାଉଛି। ଭୁବନେଶ୍ୱରରେ ୨୫ ଜଣ ମହିଳା ପ୍ରଶିକ୍ଷକଙ୍କଠାରୁ ବର୍ତ୍ତମାନ ୯୦ଜଣ ମହିଳା ପ୍ରଶିକ୍ଷଣ ନେଇଛନ୍ତି। ଛତିଆ ଏଚଏମଭି, ଡିଟିଆଇରେ ମହିଳାଙ୍କ ନାମ କ୍ରମାଗତ ବୃଦ୍ଧି ପାଇଛି। ଗତ ୩ରୁ ୪ବର୍ଷ ଭିତରେ ୬୦ଜଣ ମହିଳାଙ୍କୁ ତାଲିମ ଦିଆଯାଇଛି। ସେମାନଙ୍କ ମଧ୍ୟରୁ କେତେକ ପ୍ରଶିକ୍ଷଣ ନେଇ ଏବେ ଚାକିରି ବି କରୁଛନ୍ତି।
