ନୀଳଗିରି ଶାଳବଣୀରେ ଚକ୍ଷୁ ପରୀକ୍ଷା ଶିବିର
ନୀଳଗିରି : ନୀଳଗିରିର ଆଦିବାସୀ ଅଧ୍ୟୁଷିତ ମିଷାପଟ୍ଟା ଗ୍ରାମ ପଞ୍ଚାୟତର ସଠିଲୋବଲବଲିଆ ରାଜସ୍ବ ଗ୍ରାମ ଅନ୍ତର୍ଗତ ଶାଳବଣୀ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଏକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ‘ବଣ ଧୂଳିର ଫୁଲ’ ଦାତବ୍ୟ ଟ୍ରଷ୍ଟ ବାଲେଶ୍ଵର ‘ଯୁବ ବିକାଶ’, ଭୂବନେଶ୍ବର ‘କେୟାର ନେତ୍ରମ୍’ ଓ ଭୋଗରାଇର ‘ସୂର୍ଯ୍ଯମଣୀ ଚକ୍ଷୁ ଚିକିତ୍ସାଳୟ’ ପ୍ରଭୃତିର ମିଳିତ ସହଯୋଗରେ ଅନୁଷ୍ଠିତ କରାଯାଇଛି।
ଏହି ଚକ୍ଷୁ ଶିବିରରେ କେୟାର ନେତ୍ରମର ଚକ୍ଷୁରୋଗ ବିଶେଷଜ୍ଞ ଡା:ଜୟଦେବ ସାମନ୍ତ, ସୂର୍ଯ୍ଯମଣୀ ଚକ୍ଷୁ ଚିକିତ୍ସାଳୟର ଭେଷଜ ବିଶେଷଜ୍ଞ ଡା: ଯ୍ଯତି ମହାନ୍ତି ଓ ଫିଙ୍କି ସୁନ୍ଦର ଚକ୍ଷୁ ପରୀ ଦଳ ଚକ୍ଷୁରୋଗ ନିଦାନ କରାଇଥିଲେ। ଏହି ଆଦିବାସୀ ଅଧୂଷିତ ଅଞ୍ଚଳରେ ଲୋକମାନଙ୍କ ଚକ୍ଷୁରୋଗ ସମ୍ବନ୍ଧରେ ଅନେକ ଲୋକଙ୍କ ଅଜ୍ଞତା ଓ ସ୍ବାସ୍ଥ୍ୟ ସେବାର ଅପହଞ୍ଚତାକୁ ଆଖି ଦୃଷ୍ଟିରେ ରଖି ଏହି ଶିବିରକୁ ଅନୁଷ୍ଠିତ କରାଯାଇ ୫୦ ଜଣରୁ ଉର୍ଦ୍ଧ୍ବ ରୋଗୀଙ୍କ ନିଶୁଳ୍କ ଚକ୍ଷୁ ପରୀକ୍ଷା କରାଯାଇ ଆବଶ୍ୟକ ସ୍ଥଳେ ଟ.୨୦୦/- ରୁ ଟ.୩୦୦/- ସୁଲଭ ମୂଲ୍ୟରେ ବୟସ୍କ ଲୋକମାନଙ୍କୁ ପ୍ରଦାନ କରାଯାଇଥିବା ବେଳେ ପିଲାମାନଙ୍କୁ ନିଶୁଳ୍କ ମୂଲ୍ଯରେ ଚଷମା ପ୍ରଦାନ କରାଯିବାର ବ୍ଯବସ୍ଥା କରାଯାଇଛି।
ଏହା ଛଡା ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରର ୧୨ ଜଣ ବୃଦ୍ଧବୃଦ୍ଧା ଙ୍କର ଚକ୍ଷୁରେ ମୋତିଆ ବିନ୍ଦୁ ରୋଗ ନିରୁପଣ କରାଯାଇଛି, ଯେଉଁ ମାନଙ୍କୁ ଆସନ୍ତା ମାର୍ଚ୍ଚ ୧୦ ତାରିଖରେ ସେମାନଙ୍କ ନିଶୁଳ୍କ ଯାତାୟାତ, ଖାଦ୍ୟପେୟ ଓ ଚିକିତ୍ସା ବ୍ଯବସ୍ଥା ଭୋଗରାଇର ସୂର୍ଯ୍ଯମଣୀ ଚକ୍ଷୁ ଚିକିତ୍ସାଳୟରେ କରାଯିବାର ବ୍ଯବସ୍ଥା କରାଯାଇଛି। ଏତଦ୍ ବ୍ଯତୀତ ଯଦି କେହି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରର ବ୍ଯକ୍ତି ମୋତିଆ ବିନ୍ଦୁ ରୋଗରେ ପିଡୀତ ଥାଆନ୍ତି, ତେବେ ଆସନ୍ତା ମାର୍ଚ୍ଚ ୯ ତାରିଖ ଭିତରେ ବଣ ଧୂଳିର ଫୁଲର ଅଧ୍ୟକ୍ଷ ବିଜୟ ଆଚାର୍ଯ୍ୟଙ୍କୁ ତାଙ୍କ ମୋବାଇଲ ନମ୍ବର ୯୪୩୮୨୯୦୭୦୭ କୁ ଯୋଗାଯୋଗ କଲେ ତାଙ୍କୁ ମଧ୍ୟ ସେହିଭଳି ଆସନ୍ତା ମାର୍ଚ୍ଚ ୧୦ ତାରିଖରେ ନିଶୁଳ୍କ ଚିକିତ୍ସା ଯୋଗାଇଦେବାର ବ୍ଯବସ୍ଥା କରାଯାଇଛି।
ମହିଷାପଟ୍ଟା ଗ୍ରାମ ପଞ୍ଚାୟତ କୁ ସରକାରୀ ଓ ବିଭିନ୍ନ ବେସରକାରୀ ସଂସ୍ଥା ମାନଙ୍କ ମିଳିତ ଉଦ୍ୟମ ତଥା ସର୍ବସାଧାରଣଙ୍କ ସହଯୋଗରେ ଏକ ଚକ୍ଷୁରୋଗ ମୁକ୍ତ ଆଦର୍ଶ ଗ୍ରାମ ପଞ୍ଚାୟତ କରାଇବା ନିମନ୍ତେ ଏକ ପ୍ରକଳ୍ପ ଯୋଜନା କରିବା ନିମନ୍ତେ ସଂଗଠକମାନେ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବାରେ ଯୁବ ବିକାଶର ନିର୍ଦ୍ଦେଶକ ଗୋବିନ୍ଦ ଦଳାଇ, ପ୍ରକଳ୍ପ ସଂଯୋଜକ ମଧୁସୂଦନ ପାତ୍ର, ବଣ ଧୂଳିର ଫୁଲର ପ୍ରମୁଖ କାର୍ଯ୍ଯନିର୍ବାହୀ ଟ୍ରଷ୍ଟି ବାଇଧର ସିଂ, କୋଷାଧ୍ୟକ୍ଷ ପ୍ରଣବ କୁମାର ସିଂ, ଶାଳବଣୀ ଆଦିବାସୀ ନୃତ୍ୟ ମଣ୍ଡଳୀର ସଦସ୍ୟ ଓ ସଦସ୍ଯା ଅଜୟ ସିଂ, ସାବିତ୍ରୀ ସିଂ, ନିରମଣୀ ସିଂ, ମୁଗମଣୀ ସିଂ ଓ ଶାଳବଣୀ ପ୍ରାଥମିକ ବିଦ୍ୟାଳୟର ଅଧ୍ଯକ୍ଷା ଆରତୀ ସିଂ ଙ୍କ ସମେତ ଶାଳବଣୀ ଗ୍ରାମବାସୀ ସହଯୋଗ କରିଥିଲେ।
