ସରୋଜିନୀ ଖୁଣ୍ଟିଆଙ୍କୁ ଭୁବନେଶ୍ବର ପାଇଁ ମେୟର ପ୍ରାର୍ଥୀନୀ ଘୋଷଣା କଲା ‘ଆପ୍’
ଭୁବନେଶ୍ବର : ଶ୍ରୀମତୀ ସରୋଜିନୀ ଖୁଣ୍ଟିଆ ହେଉଛନ୍ତି ଭୁବନେଶ୍ବର ପାଇଁ ଆପ୍ ମେୟର ପ୍ରାର୍ଥୀନୀ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଆପ୍ ଓଡ଼ିଶା ରାଜ୍ୟ ସଂଯୋଜକ ନିଶିକାନ୍ତ ମହାପାତ୍ର ତାଙ୍କ ନାମ ଘୋଷଣା କରିଛନ୍ତି। ସରୋଜିନୀ ଖୁଣ୍ଟିଆ ଜଣେ ସାଧାରଣ ଘରର ଗୃହିଣୀ। କିନ୍ତୁ ବହୁ ଆଗରୁ ସେ ଇଣ୍ଡିଆ ଏଗେଟ କରପସନ୍ ସହ ସାମିଲ୍ ଥିଲେ। ତାଙ୍କର ସମଗ୍ର ପରିବାର ଆରମ୍ଭରୁ ବିଭିନ୍ନ ସାମାଜିକ ଆନ୍ଦୋଳନ ସହ ସାମିଲ୍ ରହି ଆସିଛନ୍ତି। ଫାଇଲିନ୍ ପିଡିତଙ୍କ ଗୃହ ନିର୍ମାଣ ପାଇଁ ବିଶ୍ବବ୍ୟାଙ୍କରୁ ଆସିଥିବା ଟଙ୍କା ଖର୍ଚ୍ଚରେ ଅହେତୁକ ବିଳମ୍ବ ବିରୁଦ୍ଧରେ ସେ ସାତପଡା ଠାରୁ ଭୁବନେଶ୍ବର ପର୍ଯ୍ୟନ୍ତ ହୋଇଥିବା ପଦଯାତ୍ରା, ଧାରଣା, ମନ୍ତ୍ରୀଙ୍କ ନିବାସ ଆଗରେ ଧାରଣା ଓ ଅନଶନରେ ସାମିଲ ଥିଲେ।
ଭୁବନେଶ୍ବର ଓ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳରେ ହୋଇଥିବା ମଦମୁକ୍ତି ଆନ୍ଦୋଳନରେ ଲଢୁଆ ସାଥୀ ସରୋଜିନୀ ଖୁଣ୍ଟିଆ ସାମିଲ ଥିଲେ। ଭୁବନେଶ୍ବର ମହାନଗର ନିଗମ ପାଇଁ ଆପ୍ ତରଫରୁ ଜାରି ହୋଇଥିବା ୬ଟି ବିନ୍ଦୁ ବିଶିଷ୍ଟ ଏକ ଇସ୍ତାହାରର ପ୍ରତ୍ୟେକ ବିନ୍ଦୁ ଉପରେ କାମ କରିବା ପାଇଁ ସେ ଆପଣଙ୍କ ଭୋଟ ଓ ସହଭାଗିତା ଭିକ୍ଷା କରୁଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ସହ ସାଧାରଣ ସମ୍ପାଦକ ସୌମ୍ୟରଞ୍ଜନ ସ୍ବାଇଁ, ରାଜ୍ୟ ପ୍ରବକ୍ତା ରଙ୍ଗାଚରଣ ପ୍ରଧାନ, ପ୍ରବକ୍ତା ଜୟସୂର୍ଯ୍ୟ କାନୁନଗୋ, ପବିତ୍ର ମୋହନ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ପାର୍ଟି ତରଫରୁ ଭୁବନେଶ୍ବର ମହାନଗର ନିଗମ ପାଇଁ ନିର୍ବାଚନ ଇସ୍ତାହାର ଜାରି କରାଯାଇଥିଲା।
