ବାଲେଶ୍ୱର ପୌର ନିର୍ବାଚନ : ୩ ଦିନରେ ୭ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ
ବାଲେଶ୍ୱର : ବାଲେଶ୍ୱରରେ ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ମୋଟ୍ ୪୮ ଜଣ ନାମାଙ୍କନ ଫର୍ମ ନେଇଥିବା ବେଳେ ୫ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ପୂର୍ବରୁ ୨ଜଣ ନାମାଙ୍କନ ଦାଖଲ କରିଥିବାର ବେଳେ ଏହାକୁ ମିଶାଇ ମୋଟ୍ ୭ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ଅଧ୍ୟକ୍ଷ ପଦ ପାଇଁ ଜଣେ ହେଲେ ନାମାଙ୍କନ ଦାଖଲ କରି ନ ଥିବାର ଜଣାପଡ଼ିଛି । ନାମାଙ୍କନ ଦାଖଲ କରିଥିବା ବ୍ୟକ୍ତିମାନେ ହେଲେ ୧୬ ନଂ ୱାର୍ଡ଼ କାଉନସିଲର ପଦ ପାଇଁ ସୁଷମା ବେହେରା, ୧୫ ନଂ ୱାର୍ଡ଼ ପାଇଁ ପଙ୍କଜିନୀ ଶତପଥୀ, ୨୨ ନଂ ୱାର୍ଡ଼ ପାଇଁ ଅଞ୍ଜନା ଦାସ, ୧୪ ନଂ ୱାର୍ଡ଼ ପାଇଁ ବିକାଶ ବନସଲ ବେହେରା, ୧୧ନଂ ୱାର୍ଡ଼ ପାଇଁ ସଞ୍ଜୀବ ବେହେରା । ଦାଖଲ କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ଅନେକଙ୍କୁ ବିଭିନ୍ନ ଦଳରୁ ଟିକଟ ମିଳିବାର ଆଶା ଥିଲେ ବି ନିଜର ରାଶି ଓ ଭଲ ଦିନକୁ ଦୃଷ୍ଟିରେ ରଖି ସେମାନେ ଏବେ ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିବା କେତେକ କହିଛନ୍ତି । ସବୁଠାରୁ ବଡ଼କଥା ହେଲା ଦଳୀୟ ପତାକା ଧରି ପ୍ରାର୍ଥୀମାନେ ଦଳର କର୍ମୀ ଓ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ସ୍ୱାଧୀନ ଭାବେ ନାମାଙ୍କନ ପତ୍ର ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା । ଟିକଟ ମିଳିବା ପରେ ସେମାନେ ତାହାକୁ ନିର୍ବାଚନ ଅଧିକାରୀଙ୍କ ଠାରେ ପଇଠ ସହ ଦଳୀୟ ଚିହ୍ନରେ ପ୍ରତିଦ୍ୱନ୍ଦିତା କରିପାରିବେ ବୋଲି ସୂଚନା ଦେଇଛନ୍ତି । ଏନେଇ ପ୍ରାବଧାନ ଥିବା ଜଣାପଡ଼ିଛି ।
ଅନ୍ୟପକ୍ଷରେ ନାମାଙ୍କନକୁ ୩ଦିନ ବିତିବାକୁ ବସିଥିବା ବେଳେ ପ୍ରମୁଖ ରାଜନୈତିକ ଦଳମାନଙ୍କ ପକ୍ଷରୁ ପ୍ରାର୍ଥୀ ଚୟନ ଚୂଡ଼ାନ୍ତ ହୋଇ ପାରିନଥିବା କର୍ମୀ ମହଲରେ ଆଲୋଚନା ହେଉଛି । ବିଶେଷ କରି ନୂତନ ପୌର ପଦ ସଂରକ୍ଷଣ ନିୟମ ଅନୁସାରେ ବିଭିନ୍ନ ଦଳ ସାଙ୍ଗଠନିକ ଭାର ତୁଲାଇ ଆସୁଥିବା କିଛି କର୍ମୀ ଟିକଟରୁ ବାଦ ପଡ଼ିବା, ଅସନ୍ତୁଷ୍ଟଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରମୁଖ ଦଳର ନେତା ତଥା କର୍ମକର୍ତ୍ତାମାନେ ପ୍ରାର୍ଥୀ ଚୟନକୁ ବେଶ ଗୁରୁତର ସହ ପରିଚାଳନା କରୁଛନ୍ତି । ୭ ତାରିଖ ନାମାଙ୍କନ ଦାଖଲର ଶେଷଦିନ ଥିବା ବେଳେ ତା’ ପୂର୍ବରୁ ବାଲେଶ୍ୱର ପୌରପାଳିକାର ୩୧ ଗୋଟି ୱାର୍ଡ଼ ସମେତ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ଚୟନ ଚୂଡ଼ାନ୍ତ ହେବା ନେଇ ଦଳୀୟ କର୍ମୀମାନେ ଆଶା ପ୍ରକାଶ କରିଛନ୍ତି ।
