ଋଷ-ୟୁକ୍ରେନ ଯୁଦ୍ଧକୁ ପୂରିଲା ଏକ ସପ୍ତାହ ! ସମ୍ପୂର୍ଣ୍ଣ ବଦଳିଲା ୟୁକ୍ରେନର ଚିତ୍ର
ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧକୁ ପୂରିଛି ଏକ ସପ୍ତାହ । ଯୁଦ୍ଧରେ ୟୁକ୍ରେନର ଅଧିକାଂଶ ସହର ଧ୍ୱଂସ ବିଧ୍ୱସ୍ତ ହୋଇଛି । ଏକ ସପ୍ତାହ ମଧ୍ୟରେ ୟୁକ୍ରେନର ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଛି । ରୁଷ ସହିତ ୟୁକ୍ରେନ ମଧ୍ୟ କ୍ଷେପଣାସ୍ତ୍ର-ଡ୍ରୋନ୍-ଏୟାର ପାୱାରକୁ ତୀବ୍ର ବ୍ୟବହାର କରିଛି । ରାସ୍ତାରେ ଠିଆ ହୋଇଥିବା ଟ୍ୟାଙ୍କ, କ୍ଷେପଣାସ୍ତ୍ର ଆକ୍ରମଣ ଏବଂ ନିଛାଟିଆ ରାସ୍ତାରେ ନଷ୍ଟ ହୋଇଥିବା ଅଟ୍ଟାଳିକା ଚିତ୍ର ହୃଦୟ ବିଦାରକ । ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ସପ୍ତାହ ପୂର୍ବରୁ ୨୪ ଫେବୃଆରୀରେ ୟୁକ୍ରେନ ବିରୋଧରେ କଠୋର ସାମରିକ କାର୍ୟ୍ୟାନୁଷ୍ଠାନ ଆରମ୍ଭ କରିବାକୁ ଘୋଷଣା କରିଥିଲେ। ଯାହା ପରେ ଯୁଦ୍ଧ ଆରମ୍ଭ ହୋଇଥିଲା ।
ସେହି ଦିନଠାରୁ ରୁଷର ସୈନିକମାନେ କ୍ରମାଗତ ଭାବରେ ୟୁକ୍ରେନ ଆଡକୁ ଅଗ୍ରସର ହେଉଥିବାବେଳେ ୟୁକ୍ରେନ ସୈନ୍ୟ ତଥା ସାଧାରଣ ଲୋକ ମଧ୍ୟ ଶକ୍ତିଶାଳୀ ରୁଷ ସେନାର ଆକ୍ରମଣକୁ ଜବାବ ଦେଉଛନ୍ତି। ଅନେକ ସ୍ଥାନରେ ସାଧାରଣ ଲୋକ ବିନା ଭୟରେ ରୁଷ ସେନାର ରାସ୍ତା ଅବରୋଧ କରିଛନ୍ତି। ୟୁକ୍ରେନର ରାଜଧାନୀ ଏବଂ ଖାରକିଭ୍କୁ କାବୁ କରିବାକୁ ଚାହୁଁଛି ରୁଷ କିନ୍ତୁ ଏପର୍ୟ୍ୟନ୍ତ ସଫଳତା ପାଇନାହିଁ। ହେଲେ ଖେରସନ ସମେତ କେତେକ ସହର ରୁଷ ଦ୍ୱାରା ଅଧିକୃତ ହୋଇଛି । ଏହା ବ୍ୟତିତ ମାଇକୋଲାଇଭ, ଲଭିଭ, ଜାଇଟୋମିର, ଇଭାନୋ-ଫ୍ରାଙ୍କିଭସ୍କ, ଚେର୍ନିହିଭ , ଚେର୍ନିହିଭ ଓବ୍ଲାଷ୍ଟ, ଭୋଲିନ ଓବ୍ଲାଷ୍ଟ, ଚେରକାସୀ ଓବ୍ଲାଷ୍ଟ, କିରୋଭୋହରାଡ ଅଞ୍ଚଳ, ପୋଲଟାଭା ଓବ୍ଲାଷ୍ଟ, ଭଳି ସହରରେ ଆକ୍ରମଣ ଜାରି ରହିଛି ।
ରୁଷର କ୍ଷେପଣାସ୍ତ୍ର କ୍ରମାଗତ ଭାବରେ ଏହି ସବୁ ସହର ଉପରେ ଆକ୍ରମଣ କରୁଛି । ବିପଦ ସାଇରନ୍ ଶବ୍ଦ ଶୁଣି ପରେ ଲୋକମାନେ ସୁରକ୍ଷିତ ସ୍ଥାନରେ ଲୁଚି ରହିଛନ୍ତି । ଯୁଦ୍ଧରେ ରୁଷ ଦ୍ୱାରା କ୍ଷେପଣାସ୍ତ୍ର, ଡ୍ରୋନ୍ ଆକ୍ରମଣ କରାଯାଉଛି । ଡାକ୍ତରଖାନାକୁ ମଧ୍ୟ ଟାର୍ଗେଟ କରାଯାଉଛି । କିଛି ରକେଟ୍ ଖାରକିଭ୍ ମିଲିଟାରୀ ଏକାଡେମୀ ଉପରେ ମଧ୍ୟ ପଡିଥିଲା। ୟୁକ୍ରେନର କୋନୋଟପ୍ ସହରର ମେୟର ବୁଧବାର ଦାବି କରିଛନ୍ତି ଯେ ଆତ୍ମସମର୍ପଣ କରିବା ପାଇଁ ରୁଷର ସୈନିକମାନେ ସମ୍ପୂର୍ଣ୍ଣ ଧ୍ୱଂସ କରିବା ନେଇ ଧମକ ଦେଇଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦାବି କରିଛନ୍ତି ଯେ ଏକ ସପ୍ତାହ ମଧ୍ୟରେ ତାଙ୍କ ସୈନ୍ୟବାହିନୀ ୯,୦୦୦ ରୁଷୀୟ ସୈନିକଙ୍କୁ ହତ୍ୟା କରିଛନ୍ତି।
ଅନ୍ୟପକ୍ଷରେ ରୁଷର କହିବା ଅନୁଯାୟୀ ଅନୁଯାୟୀ, ୟୁକ୍ରେନ ବିରୋଧରେ ଚାଲିଥିବା ସାମରିକ ଅପରେସନରେ ୪୯୮ ସୈନିକ ପ୍ରାଣ ହରାଇଛନ୍ତି। ଏହାବ୍ୟତିତ ୧୫୯୭ ସୈନିକ ଆହତ ହୋଇଛନ୍ତି। ୟୁକ୍ରେନର ସାଧାରଣ ଲୋକମାନେ ମଧ୍ୟ ଏହି ଯୁଦ୍ଧରେ କ୍ଷେପଣାସ୍ତ୍ରର ଟାର୍ଗେଟରେ ପରିଣତ ହୋଇଛନ୍ତି। ମିଳିତ ଜାତିସଂଘ କହିଛି ଯେ ମାର୍ଚ୍ଚ ୧ ସୁଦ୍ଧା ଯୁଦ୍ଧରେ ୟୁକ୍ରେନର ୭୫୨ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ସେପଟେ ୟୁକ୍ରେନ୍ ଆକ୍ରମଣର ଅଷ୍ଟମ ଦିନରେ ୟୁକ୍ରେନ୍ର ବିଭିନ୍ନ ଅଞ୍ଚଳରେ ରୁଷୀୟ ସେନା ବୋମା ବର୍ଷଣ କରିବା ସହ ସହରର ରାସ୍ତାଘାଟରେ ଘମାଘୋଟ ଯୁଦ୍ଧ ଚଳାଇଛି। ରୁଷୀୟ ଆକ୍ରମଣ ଆରମ୍ଭ ହେବା ଠାରୁ ଆଜି ପର୍ୟ୍ୟନ୍ତ ପ୍ରାୟ ୨୦୦୦ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା କଥା ୟୁକ୍ରେନ୍ର ‘ଷ୍ଟେଟ୍ ଇମର୍ଜେନ୍ସି ସର୍ଭିସ୍’ ଦାବି କରିଛି ।
