କୌଣସି ଭାରତୀୟ ପଣବନ୍ଦୀ ଥିବା ଖବର ନାହିଁ : ଏମ୍ଇଏ
ନୂଆଦିଲ୍ଲୀ : ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଉଭୟ ଦେଶ ପକ୍ଷରୁ ବିଭିନ୍ନ ବୟନାବାଜୀ କରାଯାଉଛି। ଏହା ମଧ୍ୟରେ ରୁଷିଆ ଅଧିକାରୀଙ୍କ ତରଫରୁ କୁହାଯାଇଥିଲା ଯେ ୟୁକ୍ରେନ୍ ସେନା ଓ ଅଧିକାରୀ ଭାରତୀୟଙ୍କୁ ଢାଲ ଭାବେ ବନ୍ଦୀ କରୁଛନ୍ତି । ଅନ୍ୟପକ୍ଷରେ ୟୁକ୍ରେନ୍ କହିଛି ଆମେ କାହାକୁ ବନ୍ଧକ ରଖିନୁ ।
ରୁଷିଆର ଘନଘନ ବୋମା ନିକ୍ଷେପ ଦ୍ବାରା ଭାରତୀୟମାନେ ଘରୁ ବାହାରି ପାରୁ ନାହାନ୍ତି। ଫସିଥିବା ଭାରତୀୟ ଶିକ୍ଷାର୍ଥୀଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି । ବିଶେଷ କରି ଖାରକିଭରେ ରହିଥିବା ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ନେଇ ନାନା ପ୍ରକାରର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖାରକିଭରେ ଫସିଥିବା ଭାରତୀୟ ଶିକ୍ଷାର୍ଥୀଙ୍କୁ ୟୁକ୍ରେନ ସେନା ବଳପୂର୍ବକ ପଣବନ୍ଦୀ କରି ରଖିଥିବା ଦାବି କରିଛି ରୁଷ । ଏ ସମ୍ପର୍କରେ ଭାରତ ସରକାରଙ୍କୁ ରୁଷ ପକ୍ଷରୁ ଅବଗତ ମଧ୍ୟ କରାଯାଇଛି ।
ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି ଯେ ଖାରକିଭରେ ଅନେକ ଭାରତୀୟ ଶିକ୍ଷାର୍ଥୀଙ୍କୁ ୟୁକ୍ରେନ ଫୋର୍ସ ପଣବନ୍ଦୀ କରି ରଖିଛି । ଏ ସମ୍ପର୍କରେ ଆମ ପାଖରେ ସୂଚନା ରହିଛି । ଭାରତୀୟ ଶିକ୍ଷାର୍ଥୀମାନେ ଖାରକିଭ ଛାଡ଼ିବାକୁ ଚାହୁଁଥିଲେ ମଧ୍ୟ ସେମାନଙ୍କୁ ଅନୁମତି ମିଳିନି । ଖାରକିଭରେ ରହୁଥିବା ଭାରତୀୟ ଶିକ୍ଷାର୍ଥୀମାନେ ବେଲଗୋରୋଡ ଯିବାକୁ ଲକ୍ଷ୍ୟ ରଖିଛନ୍ତି । ହେଲେ ସେମାନଙ୍କୁ ବାହାରକୁ ଛଡ଼ା ଯାଉନି । ଅନ୍ୟପକ୍ଷରେ ଭାରତ ସରକାରଙ୍କ ବିଦେଶ ବିଭାଗ ପକ୍ଷରୁ ଏହାର ପ୍ରତିକ୍ରିୟା ରଖାଯାଇଛି । କୌଣସି ଭାରତୀୟ ପଣବନ୍ଦୀ ଥିବା ଖବର ନଥିବା କୁହାଯାଇଛି । ସୂଚନା ଯେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗତ ବୁଧବାର ବିଳମ୍ବିତ ରାତିରେ ଫୋନ ଯୋଗେ କଥା ହୋଇଛନ୍ତି । ଏହି କଥାବାର୍ତ୍ତାର କିଛି ସମୟ ପରେ ହିଁ ରୁଷ ପକ୍ଷରୁ ଏପରି ଦାବି କରାଯାଇଛି ।
