ଡ୍ରଗ୍ସ ଲିଙ୍କ ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ କ୍ଲିନ୍ ଚିଟ୍!
ମୁମ୍ବାଇ : ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ ଡ୍ରଗ୍ସ ଲିଙ୍କ ମାମଲାରେ ବଡ ଅପଡେଟ୍ ଆସିଛି । ଆର୍ଯ୍ୟନ୍ ଖାନଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ମିଳି ନାହିଁ । ମାମଲାର ତଦନ୍ତ କରୁଥିବା ନାର୍କୋଟିକ୍ସ କେଂଟ୍ରାଲ ବ୍ୟୁରୋର ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସଆଇଟି)କୁ ଆର୍ଯ୍ୟନଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ମିଳିନଥିବା ଏକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । କେବଳ ସେତିକି ନୁହେଁ ଆର୍ଯ୍ୟନ୍ ଖାନଙ୍କ ଡ୍ରଗ୍ସ ମାମଲାରେ ଇଂଟରନ୍ୟାସନାଲ୍ ଲିଙ୍କକୁ ନେଇ ହେଉଥିବା ତଦନ୍ତ ବାବଦରେ ବୟାନ ରଖିଛି ଏସ୍ଆଇଟି ।
ମାମଲାକୁ ନେଇ ଏସଆଇଟି ମୁଖ୍ୟ ସଞ୍ଜୟ ସିଂହ କହିଛନ୍ତି, ଆର୍ଯ୍ୟନ୍ ଖାନଙ୍କ ବିରୁଦ୍ଧରେ କିଛି ପ୍ରମାଣ ମିଳିନଥିବା ଖବର ମିଛ । ଏହା କେବଳ ଏକ ଗୁଜବ । ଏଭଳି ପରିସ୍ଥିତିରେ କିଛି କୁହାଯାଇପାରିବ ନାହିଁ । ଏସ୍ଆଇଟି କହିବା ମୁତାବକ, ଆର୍ଯ୍ୟନ୍ ଖାନଙ୍କ ଇଂଟରନ୍ୟାସନାଲ୍ ଡ୍ରଗ୍ସ ଲିଙ୍କ ଥିବା ନେଇ ସିଧାସଳଖ ଭାବେ କୌଣସି ପ୍ରମାଣ ମିଳିନାହିଁ । ତା ସହିତ ଅନ୍ତରାଷ୍ଟ୍ରୀୟ ସ୍ତରରେ ବଡ ଡ୍ରଗ୍ସ ସିଣ୍ଡିକେଟ୍?ର ଅଂଶ କି ନୁହେଁ ତାହାର ସିଧାସଳଖ ପ୍ରମାଣ ବି ନାହିଁ । କେବଳ ସେତିକି ନୁହେଁ ଆର୍ଯ୍ୟନ ଖାନ ନିକଟରୁ ଡ୍ରଗ୍ସ ମିଳିଛି କି ନାହିଁ ସେ ନେଇ ମଧ୍ୟ କୌଣସି ପ୍ରମାଣ ନାହିଁ । ତେଣୁ କେବଳ ହ୍ୱାଟ୍ସଆପ୍ ଚାଟରୁ ହିଁ କାହାକୁ ଦୋଷୀ କରାଯାଇପାରିବ ନାହିଁ । ସୂଚନାଯୋଗ୍ୟ, ଅକ୍ଟୋବର ୨ ତାରିଖରେ ମୁମ୍ବାଇର ଏକ କ୍ରୁଜ୍ରେ ପାର୍ଟି ଚାଲିଥିବା ବେଳେ ଚଢଉ କରି ଆର୍ଯ୍ୟନ ଖାନଙ୍କୁ ଗିରଫ କରିଥିଲା ଏନସିବି ଟିମ୍ । ଆର୍ଯ୍ୟନ ଖାନଙ୍କ ସମେତ ତାଙ୍କର ବନ୍ଧୁ ଅରବାଜ ମର୍ଚାଂଟ ଏବଂ ମୁନମୁନ୍ ଧମେଚାଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ମୋଟ ୮ ଜଣଙ୍କୁ ଗିରଫ କରି ହେପାଜତକୁ ନେଇଥିଲା ଏନସିବି । ମୁମ୍ବାଇରୁ ଗୋଆ ଯାଉଥିବା ଏକ କ୍ରୁଜ୍ରେ ଡ୍ରଗ୍ସ ପାର୍ଟି ହେଉଥିବା ନେଇ ଖବର ପାଇଥିଲା ଏନସିବି । ଆର୍ଯ୍ୟନ ଖାନ ମଧ୍ୟ ଏହି ପାର୍ଟିରେ ସାମିଲ ଥିଲେ । ଏହା ସହିତ ଚଢଉ ବେଳେ ଅରବାଜ ମର୍ଚାଂଟଙ୍କ ଜୋତା ମଧ୍ୟରୁ ମିଳିଥିଲା ଡ୍ରଗ୍ସ । କିନ୍ତୁ ଆର୍ଯ୍ୟନ୍ ଖାନ ନିକଟରୁ କୌଣସି ଡ୍ରଗ୍ସ ମିଳିନଥିଲା । ଗିରଫ ପରେ କିଛି ଦିନ ଧରି ଏନସିବି ହେପାଜତରେ ରହିଥିଲେ ଆର୍ଯ୍ୟନ ଖାନ । ୨୮ ଦିନ ଧରି ଜେଲରେ ରହିବା ପରେ ଅକ୍ଟୋବର ୨୮ ତାରିଖରେ ଆର୍ଯ୍ୟନ ଖାନଙ୍କୁ ମିଳିଥିଲା ଜାମିନ ।
