ପୁଟିନଙ୍କ ସହ କଥା ହେଲେ ମୋଦୀ, ଶାନ୍ତି ଚାହେଁ ଭାରତ
ନୂଆଦିଲ୍ଲୀ : ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବର୍ତ୍ତମାନ ଚାଲିଥିବା ଯୁଦ୍ଧ ବିଷୟରେ ମୋଦିଙ୍କୁ ଜଣାଇଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ତାଙ୍କର ଦୀର୍ଘ ଦିନର ବିଶ୍ବାସକୁ ଦୋହରାଇ କହିଛନ୍ତି ଯେ, ଋଷିଆ ଏବଂ ନାଟୋ ମଧ୍ୟରେ ଥିବା ପାର୍ଥକ୍ୟ କେବଳ ସଚ୍ଚୋଟ ଏବଂ ଆନ୍ତରିକ କଥାବାର୍ତ୍ତା ମାଧ୍ୟମରେ ସମାଧାନ ହୋଇପାରିବ। ଏହାସହିତ ମୋଦୀ, ପୁଟିନଙ୍କୁ, ୟୁକ୍ରେନରୁ ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ କହିଥିବା ବେଳେ ପୁଟିନ ମଧ୍ୟ ସହଯୋଗ ନେଇ ପ୍ରତିଶୃତି ଦେଇଛନ୍ତି।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଏକମତ ହେବା ସହ ଅଧିକାରୀ କୁଟନୀତି ଜରିଆରରେ ସମାଧାନ ପାଇଁ ଯୋଗାଯୋଗରେ ରହିବେ। ଏହି ପ୍ରସଙ୍ଗରେ ନିୟମିତ ଯୋଗାଯୋଗ କରିବେ। ସେହିପରି ୟୁକ୍ରେନରେ ଫସି ରହିଥିବା ଭାରତୀୟ ଏବଂ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ବାହାରିବା ଓ ସୁରକ୍ଷିତ ଫେରିବା ଉପରେ କହିଛନ୍ତି ମୋଦୀ। ସେହିଭଳି ଦ୍ବିପାକ୍ଷିକ କୁଟନୀତି ସ୍ତରରେ ଏହାର ସମଧାନ କରି ହେବ ବୋଲି ମୋଦୀ କହିଛନ୍ତି। ଏହି କଥା ବାର୍ତ୍ତା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସେହିପରି ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତ କୌଣସି ରାଷ୍ଟ୍ରକୁ ସିଧାସଳଖ ସମର୍ଥନ କରୁ ନାହିଁ। କାରଣ ଉଭୟ ରୁଷିଆ ଓ ୟୁକ୍ରେନ୍ ଭାରତର ବନ୍ଧୁ ରାଷ୍ଟ୍ର। ଦୁଇ ଦେଶ ସହ ଭାରତର ଭଲ ସମ୍ପର୍କ ରହିଛି। ସେମାନଙ୍କ ସହ ଭାରତ ବିଭିନ୍ନ କ୍ଷେତ୍ରରେ ଚୁକ୍ତି ବି ସ୍ୱାକ୍ଷରିତ କରିଛି। ଏଣୁ ଯୁଦ୍ଧ ସ୍ଥିତିରେ କୌଣସି ଗୋଟିଏ ଦେଶକୁ ସମର୍ଥନ କରି ଅନ୍ୟ ଦେଶର ଶତ୍ରୁ ହେବାକୁ ଚାହୁଁ ନାହିଁ ଭାରତ । ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରଖିଛି। ଆଲୋଚନା ଜରିଆରେ ସମସ୍ୟାର ସମାଧାନ କରି ଯୁଦ୍ଧକୁ ଏଡ଼ାଇବା ପାଇଁ ଭାରତ କହିଛି । ଅନ୍ୟପଟେ ଭାରତର ଅନ୍ୟତମ ପ୍ରତିଦ୍ୱନ୍ଦୀ ପାକିସ୍ତାନ କିନ୍ତୁ ରୁଷିଆକୁ ଖୋଲାଖୋଲି ସମର୍ଥନ କରୁଛି। ୟୁକ୍ରେନକୁ ବିରୋଧ କରିବା ପାଇଁ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ରୁଷିଆ ଗସ୍ତ କରିଛନ୍ତି । ଯାହା ପ୍ରମାଣିତ କରିଛି ଯେ ପାକିସ୍ତାନ ଏବେ ରୁଷିଆକୁ ସମର୍ଥନ କରି ପ୍ରତ୍ୟକ୍ଷ ଭାବେ ୟୁକ୍ରେନର ଓ ପରୋକ୍ଷ ଭାବେ ଆମେରିକାର ଶତ୍ରୁ ହୋଇଛି। କିନ୍ତୁ ଭାରତ ଏବେ ନୀରବ ରହି ବୁଦ୍ଧିମତ୍ତାର ପରିଚୟ ଦେଇଛି । ଜାତିସଂଘ ନିରାପତ୍ତା ପରିଷଦରେ ଉଭୟ ପକ୍ଷଙ୍କୁ ସୁହାଇଲା ଭଳି କଥା କହିଛି । କାରଣ ଯଦି ଭାରତ ଏବେ କୌଣସି ଗୋଟିଏ ରାଷ୍ଟ୍ରକୁ ସମର୍ଥନ କରେ ତେବେ ଆଗକୁ ୟୁକ୍ରେନ୍ ଓ ଆମେରିକାର ଶତ୍ରୁ ହୋଇଯିବ। ଫଳରେ ଏହି ଯୁଦ୍ଧର ପ୍ରଭାବ ଭାରତ ଉପରେ ବି ପଡ଼ିବ। ଆମେରିକା ଭଳି ବୃହତ ତଥା ସବୁ କ୍ଷେତ୍ରରେ ଶକ୍ତିଶାଳୀ ରାଷ୍ଟ୍ରର ଶତ୍ରୁ ନ ହେବାକୁ ଭାରତ ଏବେ ଉଚିତ ଭାବିଛି। କିନ୍ତୁ ବର୍ତ୍ତମାନର ଯୁଦ୍ଧ ସ୍ଥିତିକୁ ବନ୍ଦ କରିବା ନିହାତି ଜରୁରୀ। ରୁଷିଆ ହେଉ କି ୟୁକ୍ରେନ୍ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଥିରୁ ଓହରିଯିବା ତୁରନ୍ତ ଆବଶ୍ୟକ ବୋଲି ଜାତିସଂଘ ବି ମତ ଦେଇଛି । ତେବେ ସମୟ ହିଁ କହିବ ଆଗକୁ ଏହି ସ୍ଥିତି କି ରୂପ ନେଉଛି । ଅନ୍ୟପକ୍ଷରେ ଭାରତର ମତାମତକୁ ରୁଷିଆ ସ୍ୱାଗତ କରିଛି। ଏହାର ବରିଷ୍ଠ ଅଧିକାରୀ ରୋମାନ ବାବୁସ୍କିନ କହିଛନ୍ତି କି ଭାରତ ସହ ଆମର ସାମରିକ ଚୁକ୍ତି ରହିଛି । ଯାହା ଉଭୟ ଦେଶର ସମ୍ପର୍କ ଏବଂ ପରସ୍ପର ଉପରେ ବିଶ୍ୱାସକୁ ନେଇ ଆଧାରିତ । ଏଥିରେ ଉଭୟ ଦେଶର ସ୍ୱାର୍ଥ ମଧ୍ୟ ଜଡ଼ିତ। ତେବେ ଏଭଳି ସ୍ଥିତିରେ କିନ୍ତୁ କିଛି ପାଶ୍ଚାତ୍ୟ ଦେଶ ଭାରତକୁ ସମାଲୋଚନା କରିଛନ୍ତି ।
