ନୂଆ ଲୁକରେ ନବୀନ! ସ୍ପୋର୍ଟି ଲୁକରେ ବୁଲିଲେ ଓ ଖେଳ ଦେଖିଲେ
ଆହତ ଫୁଟବଲ ଖେଳାଳୀଙ୍କୁ ଦେଲେ ଆଶ୍ୱାସନା
ଭୁବନେଶ୍ୱର : ନୂଆ ଲୁକ୍ ରେ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡିୟମ ଗସ୍ତ ବେଳେ ସ୍ପୋର୍ଟି ଲୁକ୍ ରେ ନଜର ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋମବାର ଅପରାହ୍ନରେ ୩୦୦ କୋଟି ଟଙ୍କାର ବିଭିନ୍ନ କ୍ରୀଡା ଭିତିଭୂମି ପ୍ରକଳ୍ପ ବିଶେଷତଃ ନିର୍ମାଣାଧୀନ ଇନ୍ଡୋର ଆଥଲେଟିକ୍ ଷ୍ଟାଡିଅମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବାକୁ କଳିଙ୍ଗ ଷ୍ଟାଡିୟମ୍ ରେ ପହଂଚିଥିଲେ ମୁଖ୍ୟମନ୍ତ୍ରୀ । ଟ୍ରାକ ପ୍ୟାଂଟ ଏବଂ ଟି-ସାର୍ଟ ପରିଧାନ କରି ପ୍ରବେଶ କରିଥିଲେ । ସମୀକ୍ଷା ସହ ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ଓମେନ୍ ଫୁଟବଲ ଲିଗ ଦେଖିଥିଲେ । ନବୀନଙ୍କ ଏଭଳି ଗସ୍ତ ଖେଳାଳିଙ୍କୁ ଉତ୍ସାହିତ କରିଛି।

ସେହିପରି ସ୍ପୋର୍ଟସ ଓଡିଶା ଟିମ୍ ର ୧୮ ବର୍ଷ ବୟସ୍କା ଫୁଟବଲ ଖେଳାଳୀ ମନୀଷା ନାୟକ ରାଇଜିଂ ଷ୍ଟୁଡେଂଟସ ଟିମ୍ ସହିତ ଥିବା ମ୍ୟାଚ ପୂର୍ବରୁ ତାଙ୍କ ଆଣ୍ଠୁରେ ଆଘାତ ଲାଗିବାରୁ ଆହତ ହୋଇଥିଲେ । ମନ ଦୁଃଖରେ ଚୌକିରେ ବସି ତାଙ୍କ ଟିମ୍ର ମ୍ୟାଚକୁ ଦେଖୁଥିବା ବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ଭେଟି କଥାବାର୍ତା ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମନୀଷାଙ୍କ ସବୁ ଦୁଃଖ ମିଳେଇ ଯାଇଥିଲା ଏବଂ ଖୁସିରେ ସେ ଆଗାମୀ ମ୍ୟାଚ ଖେଳିବା ପାଇଁ ଦୃଢ ମନୋବଳ ରଖି ଆଗକୁ ବଢିବା ପାଇଁ ପ୍ରସ୍ତୁତ ହୋଇଥିଲେ । ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ବିଭିନ୍ନ କ୍ରୀଡା ପ୍ରକଳ୍ପ ନିର୍ମାଣର ଅଗ୍ରଗତି ସମୀକ୍ଷା ପାଇଁ ଆସିଥିବା ବେଳେ, ସେଠାରେ ଚାଲିଥିବା ମହିଳା ଫୁଟବଲ ଲିଗ୍ ମ୍ୟାଚ ଦେଖିବା ପାଇଁ କିଛି ସମୟ ରହିଥିଲେ ଏବଂ ଖେଳାଳୀ ମାନଙ୍କ ସହିତ ମଧ୍ୟ କଥାବାର୍ତା ହୋଇଥିଲେ । ଆଘାତପ୍ରାପ୍ତ ମନୀଷାଙ୍କୁ ଦେଖି ମୁଖ୍ୟମନ୍ତ୍ରୀ ତାଙ୍କ ପାଖକୁ ଯାଇ ତାଙ୍କୁ ଆଶ୍ୱାସନା ଦେଇଥିଲେ ଏବଂ ମନ ଦୁଃଖ ନ କରି ତାଙ୍କର ଚିକିତ୍ସା ଓ ପ୍ରସ୍ତୁତି ଜାରି ରଖି ଆଗାମୀ ମ୍ୟାଚ ଖେଳିବା ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସ୍ନେହ ଓ ଶ୍ରଦ୍ଧାରେ ମନୀଷା ଆତ୍ମହରା ହୋଇପଡିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରେରଣାରେ ସେ ଆଗକୁ ଦୃଢ ଉଦ୍ୟମ ଜାରି ରଖିବେ ବୋଲି କହିଥିଲେ । ସୁନ୍ଦରଗଡ ସ୍ପୋର୍ଟସ ହଷ୍ଟେଲର ଛାତ୍ରୀ ବର୍ତମାନ ୧୮ ବର୍ଷରୁ କମ୍ ଖେଲୋ ଇଣ୍ଡିଆ ଫୁଟବଲ କ୍ୟାମ୍ପରେ ରହି ଖେଳ ଅଭ୍ୟାସ ଜାରି ରଖିଛନ୍ତି ।
