ଥମୁନି ନିର୍ବାଚନୀ ହିଂସା, ପୁଣି ଜଣେ ସାମ୍ବାଦିକଙ୍କୁ ଆକ୍ରମଣ! ଗିରଫ ପରେ ପୋଲିସଙ୍କୁ ଅଟକାଇ ଦୁଇ ଅଭିଯୁକ୍ତଙ୍କୁ ଛଡାଇ ନେଲେ
ନୀଳଗିରି : ଥମୁନି ନିର୍ବାଚନୀ ହିଂସା । କେଉଁଠି ସାମ୍ବାଦିକଙ୍କୁ ମାଡ଼, ତ କେଉଁଠି ବୁଥ କ୍ୟାପଚରିଂ, ଆଉ କେଉଁଠି ବାଲାଟ ବକ୍ସ ଲୁଟ ହୋଇଛି । ଏହି ପରିପ୍ରେକ୍ଷୀରେ ପୁଣି ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି । ପ୍ରଚାର ସମୟରେ ଫୋଟୋ ଉଠାକୁ କେନ୍ଦ୍ରକରି ଆକ୍ରମଣ ହୋଇଥିବାର ଜଣାପଡିଛି। ଏଥିରେ ସାମ୍ବାଦିକ ଜଣକ ଆହତ ହୋଇଥିବା ବେଳେ ନୀଳଗିରି ମେଡ଼ିକାଲରେ ଚିକିତ୍ସା ହୋଇ ଘରକୁ ଫେରିଛନ୍ତି । ଅନ୍ୟପକ୍ଷରେ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଯାଇଥିବା ପୋଲିସଙ୍କୁ ଅଟକାଇ ଅଭିଯୁକ୍ତଙ୍କୁ ଛଡାଇ ନେଇଛନ୍ତି ବିଜେଡି କର୍ମୀ । ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ସେହିପରି ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ଦୃଢ଼ ନିନ୍ଦା କରାଯାଇଛି ।
ସୂଚନା ଯେ, ବାଲେଶ୍ୱର ଜିଲା ନୀଳଗିରି ନୀଳଗିରି ନିର୍ବାଚନ ମଣ୍ଡଳୀ ଜୋନ ନଂ. ୨ର କାନପୁର ଠାରେ ରବିବାର ସନ୍ଧ୍ୟାରେ ବିଜେଡି ପକ୍ଷରୁ ପ୍ରଚାର ହେଉଥିଲା । ସନ୍ଧ୍ୟା ୭ଟା ପରେ ନିର୍ବାଚନ ପ୍ରଚାର ନିୟମ ଉଲ୍ଲଙ୍ଘନ ହୋଇଥିବାର ଜାଣି ଫୋକସ ପ୍ଲସର ସାମ୍ବାଦିକ ଲେଲିନ କୁମାର ଦେ ଫୋଟୋ ଉତ୍ତୋଳନ କରୁଥିଲେ । ଉକ୍ତ ସମୟରେ ପ୍ରଚାର ଗାଡି ପଛରେ ଥିବା ବିଜେଡ଼ି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଭାସ୍କର ବେହେରା, ବିଜେଡି ୨ ନଂ ଜୋନର ୨୦୧୭ରେ ହୋଇଥିବା ଜିଲା ପରିଷଦ ତଥା ବର୍ତ୍ତମାନର ଜିଲା ପରିଷଦ ପ୍ରାର୍ଥୀନୀଙ୍କ ପୁଅ ସୌମ୍ୟ ରଞ୍ଜନ ଜେନା, ଅଜୟ ମହାଳିକ, ସୁଜି ଜେନା, ସନ୍ତୋଷ କୁମାର ବ୍ରହ୍ମ ମିଳିତ ଭାବେ ଆକ୍ରମଣ କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏଥିସହ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ଏନେଇ ସାମ୍ବାଦିକ ଶ୍ରୀ ଦେ ନୀଳଗିରି ଥାନାରେ ଲିଖିତ ଅଭିଯୋଗ ପରେ ଥାନା ମାମଲା (ନଂ. ୮୬/୨୦୨୨) ରୁଜୁ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସୋମବାର ପ୍ବର୍ବାହ୍ନରେ ନୀଳଗିରି ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ମାତ୍ର ଉକ୍ତ ସମୟରେ କିଛି ବିଜେଡି କର୍ମୀ ପହଞ୍ଚି ପୋଲିସ ଗାଡିକୁ ଅଟକାଇ ଅଭିଯୁକ୍ତଙ୍କୁ ଛଡାଇ ନେଇଥିବା ଜଣାପଡିଛି। ତେବେ ବିଜେଡି କର୍ମୀ ମାନେ ଘଟଣାକୁ ଅନ୍ୟ ପ୍ରକାରରେ କହିଛନ୍ତି। ହାରିବା ଭୟରେ କର୍ମୀଙ୍କୁ ମିଥ୍ୟା ମାମଲାରେ ଫସାଇ ଦିଆଯାଇଛି ବୋଲି କହି ପୋଲିସ ଉପରେ ଆଙ୍ଗୁଳି ଉଠାଇଛନ୍ତି। ଅଭିଯୁକ୍ତକୁ ଗିରଫ କରି ନପାରି ଖାଲି ହାତରେ ପୋଲିସ ଫେରିଥିବା ଦେଖାଦେଇଛି।
